ତିହିଡି :କରୋନା ମହାମାରୀ ଯୋଗୁଁ ଏବେ ସମଗ୍ର ଦେଶ ଏକ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ତିହିଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଯାହା ସମସ୍ତଙ୍କ ଲାଗି ଏକ ଉଦ୍ବେଗର ବିଷୟ ହୋଇଛି । ତିହିଡି ତହସିଲ ଅନ୍ତର୍ଗତ ଗୁଆମାଳ ପଞ୍ଚାୟତ ନୂଆଶାସନ ଗାଁରେ ଆଜି ଭୋର ସମୟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ପ୍ରାୟ ୨୦ ବଖରା ଘର ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି ।
ଖବରପାଇ ତିହିଡିରୁ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ନିଆଁର ପ୍ରଖରତା ଆଗରେ ତିଷ୍ଠିବାକୁ ସକ୍ଷମ ହୋଇପାରି ନଥିଲେ । ପ୍ରକାଶ ଯେ, ଆଜି ଭୋର ପ୍ରାୟ ୪ଟା ସମୟରେ ନୂଆଶାସନ ଗାଁର ସୁକାନ୍ତ ପଣ୍ଡା, ସନ୍ତୋଷ ପଣ୍ଡା, ଦୀନବନ୍ଧୁ ପଣ୍ଡା, ଅରୁଣ ପଣ୍ଡା ଓ ପ୍ରଫୁଲ ପଣ୍ଡା ପ୍ରମୁଖଙ୍କ ଘରେ ଆକସ୍ମିକ ଅଗ୍ନକାଣ୍ଡ ଘଟିଥିଲା ।
କେହି କିଛି ଜାଣିବା ଆଗରୁ ନିଆଁ ପ୍ରଖର ବେଗରେ ବ୍ୟାପୀ ଯାଇଥିଲା । ଫଳରେ ଉପରୋକ୍ତ ପରିବାର ଗୁଡିକର ଧାନ ଚାଉଳ, ଲୁଗାପଟା ଓ ଅନ୍ୟାନ୍ୟ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଥିଲା । ସେହିପରି ଏହିସବୁ ପରିବାର ନିକଟରେ ଥିବା ଲକ୍ଷାଧିକ ନଗଦ ଟଙ୍କା ବି ନିଆଁରେ ପୋଡି ଯାଇଥିବା ଜଣାଯାଇଛି । ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୫ ଲକ୍ଷ ଟଙ୍କା କ୍ଷୟକ୍ଷତି ଘଟିଥିବା ଜଣାଯାଇଛି । ବିଦୁ୍ୟତ ସଟ ସର୍କିଟରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।
ଖବରପାଇ ତିହିଡି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିବା ସହ ତହସିଲ ପକ୍ଷରୁ ପ୍ରାଥମିକ ସହାୟତା ପ୍ରଦାନ କରିବା ସହ ବିପନ୍ନ ପରିବାର ଗୁଡିକୁ ଆସନ୍ତା ୭ ଦିନ ଯାଏଁ ରନ୍ଧାଖାଦ୍ୟ ପ୍ରଦାନର ବ୍ୟବସ୍ଥା କରାଇଛନ୍ତି ।
ସେହିପରି ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ବିଷ୍ଣୁ ସେଠୀ, ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପ୍ରାକ୍ତନ ବିଧାୟକ ରାଜେନ୍ଦ୍ର ଦାସ, ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦୁ୍ୟତଲତା ନାୟକ, କଂଗ୍ରେସ ନେତା ଅଶୋକ ଦାସ, ଜିଲ୍ଲା ପରିଷଦ ଚିନ୍ତାମଣି ଦାସ ଓ ସ୍ଥାନୀୟ ସରପଞ୍ଚ ପ୍ରଦୀପ ପଣ୍ଡା ପ୍ରମୁଖ ବିପନ୍ନ ପରିବାରଙ୍କ ପାଖରେ ପହଞ୍ଚି ସମବେଦନା ଜଣାଇଥିବା ଜଣାଯାଇଛି । ଅଗ୍ନି ବିପନ୍ନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।