Odisha news

ସ୍ୱାସ୍ଥ୍ୟକେନ୍ଦ୍ରରେ ଅଲ୍ଟ୍ରାସାଉଣ୍ଡ ମେସିନ୍ ଓ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଦାବିପତ୍ର ପ୍ରଦାନ

0
 (ସଞ୍ଜୟ କୁମାର ପାଣିଗ୍ରାହୀ): ଉନ୍ନତ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ନେଉଥିବାବେଳେ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏବେ ବି ଅତ୍ୟାବଶ୍ୟକ ଚିକିତ୍ସା ସୁବିଧା ଓ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ଏହି ସମସ୍ୟାର ସମାଧାନ ତଥା ଡାକ୍ତରଖାନାରେ ଉନ୍ନତ ଚିକିତ୍ସାସେବା ସୁନିଶ୍ଚିତ କରିବା ଦାବିରେ ସ୍ୱର ଉଠାଇଛନ୍ତି ସମାଜସେବୀ ଅମନ ଚନ୍ଦ୍ର ନାୟକଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ। ଏହି ମର୍ମରେ ଗୁରୁବାର କନ୍ଧମାଳ ଜିଲ୍ଲାର ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ମିଶ୍ରଙ୍କୁ ସାକ୍ଷାତ କରି ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇଥିଲେ। ଏଥିସହିତ ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ ନିମନ୍ତେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ। ଦାବିପତ୍ରରେ ମୁଖ୍ୟତଃ ଡାକ୍ତରଖାନାକୁ ଅଲ୍ଟ୍ରାସାଉଣ୍ଡ ମେସିନ୍ ଯୋଗାଇବା, ଦୀର୍ଘଦିନ ଧରି ଖାଲି ପଡ଼ିଥିବା ବିଶେଷଜ୍ଞ ଡାକ୍ତର ପଦବୀଗୁଡ଼ିକୁ ପୂରଣ କରିବା ଏବଂ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତରଙ୍କ ନିୟମିତ ଉପସ୍ଥିତି ଓ ଚିକିତ୍ସାସେବା ସୁନିଶ୍ଚିତ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ଦାବି ଉଠାଯାଇଛି। ବିଶେଷକରି ଗର୍ଭବତୀ ମହିଳା, ପ୍ରସୂତି ଓ ଅନ୍ୟ ରୋଗୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ଦୂରଦୂରାନ୍ତକୁ ଯିବାକୁ ପଡ଼ୁଥିବା ସ୍ଥିତିରେ ସ୍ଥାନୀୟ ଡାକ୍ତରଖାନାରେ ଆବଶ୍ୟକୀୟ ଯନ୍ତ୍ରପାତି ଓ ବିଶେଷଜ୍ଞ ଡାକ୍ତରଙ୍କ ଉପଲବ୍ଧତା ଅତ୍ୟନ୍ତ ଜରୁରୀ ବୋଲି ଦାବି ଉଠାଇଛନ୍ତି ଅଞ୍ଚଳବାସୀ l ଘୁ.ଉଦୟଗିରି ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ଏହାର ଆଖପାଖ ଗ୍ରାମାଞ୍ଚଳର ବହୁ ଲୋକ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି। ତେଣୁ ଏଠାରେ ଆବଶ୍ୟକ ଚିକିତ୍ସା ସୁବିଧା ଓ ବିଶେଷଜ୍ଞ ଡାକ୍ତର ନଥିବା ଯୋଗୁଁ ରୋଗୀମାନେ ଅନ୍ୟ ଡାକ୍ତରଖାନାକୁ ଯିବାକୁ ବାଧ୍ୟ ହେଉଛନ୍ତି। ଏହା ସାଧାରଣ ଲୋକଙ୍କ ପାଇଁ ଅଯଥା ଖର୍ଚ୍ଚ ଓ ଯାତାୟାତ ଜନିତ ଅସୁବିଧା ବଢ଼ାଉଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏହି ଦାବିଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରି ଅଲ୍ଟ୍ରାସାଉଣ୍ଡ ମେସିନ୍ ଯୋଗାଣ, ଖାଲି ପଦବୀ ପୂରଣ ଏବଂ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କ ନିୟମିତ ସେବା ପାଇଁ ଶୀଘ୍ର ଠୋସ୍ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏହାଦ୍ୱାରା ଘୁ.ଉଦୟଗିରି ଓ ଆଖପାଖ ଅଞ୍ଚଳର ରୋଗୀମାନେ ନିଜ ଅଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ଆଶା ପ୍ରକାଶ ପାଇଛି।
Ad2
Leave A Reply