କନ୍ଧମାଳ, ୨୦/୧୧ :(ସଞ୍ଜୟ କୁମାର ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟାକୁ ନେଇ ସାରା ରାଜ୍ୟରେ ଚିନ୍ତା ଓ ଆଶଙ୍କା ଦେଖାଦେଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ବିପଦଗ୍ରସ୍ତ ଲୋକଙ୍କ ପାଖରେ ପହଞ୍ଚିଛି ବିଜୁ ଜନତା ଦଳ। ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କନ୍ଧମାଳ ଜିଲ୍ଲାର ବାତ୍ୟା ମୁକାବିଲା ଓ ଜନସାଧାରଣଙ୍କ ସୁରକ୍ଷା ସମ୍ପର୍କିତ କାର୍ଯ୍ୟର ତଦାରଖ ଦାୟିତ୍ୱ ନେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଓ ଜିଲ୍ଲା ପ୍ରଭାରୀ ପଦ୍ମନାଭ ବେହେରା। ଶୁକ୍ରବାର ଶ୍ରୀ ବେହେରାଙ୍କ ନେତୃତ୍ୱରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଘୁ.ଉଦୟଗିରି ଓ ରାଇକିଆ ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରି ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଥିଲେ। ଏଥିସହ ପୂର୍ବରୁ ଭୂସ୍ଖଳନ ଯୋଗୁଁ ପ୍ରଭାବିତ ହୋଇଥିବା ଅଞ୍ଚଳକୁ ମଧ୍ୟ ଯାଇ ସ୍ଥାନୀୟ ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ। ବିଶେଷକରି ଆଶ୍ରୟସ୍ଥଳୀ ରେ ରହୁଥିବା ଲୋକଙ୍କୁ ମିଳୁଥିବା ଖାଦ୍ୟ, ପାନୀୟ ଜଳ, ବିଦ୍ୟୁତ୍ ସଂଯୋଗ, ଶୌଚାଳୟ ଏବଂ ସ୍ୱାସ୍ଥ୍ୟସେବା ଭଳି ଅତ୍ୟାବଶ୍ୟକ ସୁବିଧାର ସ୍ଥିତି ନିଜେ ବୁଲି ଦେଖିଥିଲେ ଶ୍ରୀ ବେହେରା। ବିପଦ ସମୟରେ ଆଶ୍ରୟ ନେଇଥିବା ଲୋକଙ୍କୁ ଯେପରି କୌଣସି ପ୍ରକାର ଅସୁବିଧା ନହୁଏ, ସେଥିପ୍ରତି ସତର୍କ ରହିବା ସହ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସେ ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ। ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ। ତେଣୁ ଦଳୀୟ ଭେଦଭାବ ନରଖି ଆବଶ୍ୟକ ସ୍ଥଳେ ପ୍ରତ୍ୟେକ ବିପନ୍ନ ପରିବାରକୁ ସହଯୋଗ କରିବା ସହ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଲୋକଙ୍କ ପାଖରେ ପହଞ୍ଚିବାକୁ ଶ୍ରୀ ବେହେରା ଗୁରୁତ୍ୱାରୋପ କରିଥିଲେ।ଉଲ୍ଲେଖଯୋଗ୍ୟ, ପୂର୍ବରୁ କନ୍ଧମାଳ ଜିଲ୍ଲାର କେତେକ ଅଞ୍ଚଳ ଭୂସ୍ଖଳନ ଓ ପ୍ରବଳ ବର୍ଷା ଯୋଗୁଁ ପ୍ରଭାବିତ ହୋଇଥିବାରୁ ଆଗାମୀ ବିପର୍ଯ୍ୟୟକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶଙ୍କା ରହିଛି। ଏଭଳି ସ୍ଥିତିରେ ଜନସାଧାରଣଙ୍କ ନିକଟରେ ପହଞ୍ଚି ସେମାନଙ୍କ ମନୋବଳ ବଢ଼ାଇବା ସହ ଆବଶ୍ୟକ ସହଯୋଗ ଯୋଗାଇଦେବା ଉପରେ ବିଜେଡି ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। “ବିପଦରେ ଲୋକଙ୍କ ପାଖରେ, ସବୁବେଳେ ବିଜୁ ଜନତା ଦଳ” l ଏହି ବାର୍ତ୍ତା ସହ ଦଳ ପକ୍ଷରୁ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କ ପାଖରେ ରହି ସହଯୋଗ ଜାରି ରଖିବାକୁ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରାଯାଇଛି।
