ରାୟଗଡା,୧୩ ।୫(Rabindrta Patkhandal)- ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେବ ସ୍ୱାବ୍ ପରୀକ୍ଷା । ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଦିନକୁ ୧୦୦ ସ୍ୱାବ୍ ପରୀକ୍ଷଣ ପାଇଁ ଲକ୍ଷ୍ୟ ରଖିଛି ସ୍ୱାସ୍ଥ୍ୟ ବିଭାଗ । ଯଦି ସବୁ ଠିକ୍ ଠାକ ରୁହେ ତେବେ ଚଳିତ ମାସ ୨୫ ତାରିଖ ଠାରୁ ପରୀକ୍ଷଣ ଆରମ୍ଭ ହେବାର ସୂଚନା ରହିଛି ।
ପ୍ରାଥମିକ ପର୍ଯ୍ୟାୟରେ ବାୟୋ ସେଫଟି କ୍ୟାବିନେଟ ମେସିନ୍ ରାୟଗଡାରେ ପହଂଚିବା ପରେ ଦୁଇ ବୈଜ୍ଞାନିକ ଓ ଇଂଜିନିୟର ସ୍ଥିତି ଯାଂଚ କରି ଫେରିଛନ୍ତି । ଅନ୍ୟ ସମସ୍ତ ମେସିନ ଯେପରି ଶୀଘ୍ର ପହଂଚିବ ସେଥି ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇଛି । ତେବେ ପୂର୍ବରୁ ରାୟଗଡା ମୁଖ୍ୟ ଚିକିତ୍ସାଳୟ ଠାରେ ରିଜିଓନାଲ୍ ମେଡିକାଲ୍ ରିସର୍ଚ୍ଚ ସେଂଟର (ଆରଏମଆରସି ) ର ଏକ ୟୁନିଟ ରହିଛି ।
ପିପିପି ମୋଡରେ ପ୍ରତିଷ୍ଠା ହୋଇଥିବା ଏହି ୟୁନିଟକୁ ରାଜ୍ୟ ସରକାର ଜାନୁୟାରୀ ୨୦୨୦ରେ ବନ୍ଦ କରିଦେଇଥିଲେ । ତେବେ ଏହି ୟୁନିଟ ଦ୍ୱାରା କୋଭିଡ୍ ପରୀକ୍ଷଣ ହୋଇପାରିବ ବୋଲି ଜଣାପଡିବା ପରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଆର୍ତବନ୍ଧୁ ନାୟକ ଆରଏମଆରସିର ପୁନଃ ଚାଲୁ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ରାଜ୍ୟ ସରକାରଙ୍କ ନିର୍ଦେଶ ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଜଂ ବିହାରୀ ଧଳ କୋଭିଡ ଟେଷ୍ଟିଂ ସେଂଟର କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦେଶ ଦେଇଥିଲେ ।
ଆରଏମଆରସିର ଇଂଜିନିୟର ଆସି ମେସିନ ସ୍ଥାପନ କରିବାକୁ ଥିବା ପାରିପାଶ୍ୱର୍ିକ ସ୍ଥିତିର ଯାଂଚ କରିଥିଲେ । ଗତ ଶୁକ୍ରବାର ଦିନ ବାୟୋ ସେଫଟି କ୍ୟାବିନେଟ ମେସିନ୍ ପହଂଚିଥିଲା । ବାୟୋ ସେଫଟି ମେସିନ ପ୍ରତିଷ୍ଠା କାମ ଆଗେଇ ଚାଲିଥିବା ବେଳେ ଅନ୍ୟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମେସିନ ଗୁଜୁରାଟ ଓ ଚେନ୍ନାଇରୁ ଆସୁଥିବା ଜଣାପଡିଛି । ଏଥି ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ୨ ଜଣ ମାଇକ୍ରୋ ବାୟୋଲୋଜିଷ୍ଟ, ୨ ଜଣ ଲ୍ୟାବ୍ ଟେକ୍ନିସିଆନକୁ ପରୀକ୍ଷଣ ତାଲିମ୍ ପାଇଁ ଭୂବନେଶ୍ୱର ପଠାଯାଇଥିବା ସ୍ୱାସ୍ଥ ଅଧିକାରୀ ଡା.ଆର୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଦୈନିକ ୧୦୦ ଟେଷ୍ଟି କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଯୋଜନା କରୁଛନ୍ତି ।
ପରବର୍ତୀ ସମୟରେ ଅଧିକ ଟେଷ୍ଟିଂ କରିବା ପାଇଁ ୨ ଜଣ ଟେକ୍ନିସିଆନକୁ ଜିଲ୍ଲା ଖଣିଜ ଅନୁଦାନ ପାଣ୍ଠି ଅର୍ଥରେ ନିଯୁକ୍ତି ଦେବା ପାଇଁ ଜିଲ୍ଲା ପ୍ରଶାସନ ଯୋଜନା କରୁଥିବା ଜଣାପଡିଛି । ଦକ୍ଷିଣ ଓଡିଶାର ବ୍ରହ୍ମପୁର ମେଡିକାଲ କଲେଜ ପରେ ରାୟଗଡାରେ କୋବିଡ୍ ଟେଷ୍ଟି ସେଂଟର ଆରମ୍ଭ ହେଉଥିବାରୁ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀ ଖୁସିିବ୍ୟକ୍ତ କରିଛନ୍ତି । ଏହା ଦ୍ୱାରା ପୂୂୂର୍ବପରି ରାୟଗଡାରେ କଲୋରା, ଡାଇରିଆ ପରୀକ୍ଷଣ ମଧ୍ୟ ହୋଇପାରିବ ।