ରାୟଗଡା,୧୩ ।୫(ସ.ବୁ୍ୟ)- କରୋନା ଲକ ଡାଉନ ଯୋଗୁଁ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡିଆ ମାନଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଆଗଭର ହୋଇଥିଲେ । ଏ ନେଇ ବ୍ଲୁ ପ୍ରିଂଟ ପ୍ରସ୍ତୁତ ହୋଇଥିଲା । ଫେରିବାକୁ ଚାହୁଁଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ଅନଲାଇନ ମାଧ୍ୟମରେ ଆବେଦନ କରିବାକୁ କୁହାଯାଇଥିଲା । ରାଜ୍ୟ ସରକାରଙ୍କ ନିକଟରେ ସଠିକ୍ ତଥ୍ୟ ହସ୍ତଗତ ହୋଇଥିଲା କି କେଉଁ ରାଜ୍ୟରେ କେତେ ଜଣେ ପ୍ରବାସୀ ଶ୍ରମିକ ଫସି ରହିଛନ୍ତି । ଦେଖିବାକୁ ଗଲେ ସାରା ରାଜ୍ୟରେ ପ୍ରବାସୀ ଫେରାନ୍ତଙ୍କ ସଂଖ୍ୟା ଗଂଜାମ ଜିଲ୍ଲାରେ ସର୍ବାଧିକ ଥିଲା । ରାୟଗଡା ଜିଲ୍ଲାର ୨୪ ହଜାର ୨ଶହ ପ୍ରବାସୀ ଶ୍ରମିକ ନିଜ ନିଜ ଅଂଚଳକୁ ଫେରିବା ପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରିଥିଲେ । ଏଥି ନିମନ୍ତେ ପ୍ରଶାସନ ତରଫରୁ ଜିଲ୍ଲାରେ ଥିବା ୧୧ ଗୋଟି ବ୍ଲକରେ ୩୨୧ଟି ସଙ୍ଗରୋଧ କେନ୍ଦ୍ର ପ୍ରସ୍ତୁତ କରାଯାଇଥିବା ବେଳେ ମୁନିଗୁଡା ବ୍ଲକରେ ସର୍ବାଧିକ ୧୨୩ଟି ସଙ୍ଗରୋଧ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଏଥି ସହ ପୌରାଚଂଳରେ ଏବଂ ପୌରାଚଂଳର ଶ୍ରମିକ ମାନଙ୍କୁ ନିଜ ନିଜ ଘରେ ସଙ୍ଗରୋଧରେ ରହିବା ପାଇଁ ପ୍ରସ୍ତାବ ଦିଆଯାଇଛି ।
୧୨ ତାରିଖ ସୁଦ୍ଧା ୮୩୬ ଜଣ ପ୍ରବାସୀ ଶ୍ରମିକ ନିଜ ନିଜ ଅଂଚଳକୁ ଫେରିଥିବା ଜଣାପଡିଛି । ପ୍ରବାସୀ ଶ୍ରମିକ ମାନେ ସ୍ୱତନ୍ତ୍ର ବସ ଏବଂ ଟ୍ରେନ ଯୋଗେ ଆସି ଜଗନ୍ନାଥପୁର ରେଳ ଷ୍ଟେସନରେ ଓହ୍ଲାଇବା ପରେ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱତନ୍ତ୍ର ଗାଡି ମାଧ୍ୟମରେ ଏମାନଙ୍କୁ ଅଣାଯାଇ ନିଜ ବ୍ଲକ ଅନ୍ତର୍ଗତ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା । ଗୁରୁବାର ଦିନ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ପ୍ରବାସୀ ଶ୍ରମିକ ମାନେ ରାୟଗଡାରେ ସକାଳ ୭ଟାରେ ପହଂଚିବାର ସୂଚନା ରହିଛି ।
ଏହି ଟ୍ରେନଟି ତାମିଲନାଡୁର ତିରୁପଲ୍ଲି ଠାରୁ ବାହାରି ବାଲେଶ୍ୱର ପର୍ଯ୍ୟନ୍ତ ଯାତ୍ରା କରିବ । ଟ୍ରେନରେ ରାୟଗଡା ଜିଲ୍ଲା ସମତେ ଅବିଭକ୍ତ କୋରାପୁଟ ଏବଂ ଗଜପତି ଜିଲ୍ଲାର ଶ୍ରମିକ ମାନେ ଥିବା ସୂଚନା ରହିଛି । ଏଥି ନିମନ୍ତେ ରାୟଗଡା ପ୍ରଶାସନ ତଫରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଜିଲ୍ଲାପାଳ ପ୍ରୋଦୋ କୁମାର ବେହେରା, ଏସ.ପି ଡା.ଶ୍ରବଣା ବିବେକ ଏମ, ପିଡି ଡିଆରଡିଏ ଅମୃତ ଋତୁରାଜ, ପୌର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି ପ୍ରମୁଖ ରାୟଗଡା ରେଳ ଷ୍ଟେସନ ପରିଦର୍ଶନ କରି ସ୍ଥିତି ପରଖିଥିଲେ ।
ଷ୍ଟେସନ ବାହାରେ ଟେଂଟ ନିର୍ମାଣ କରାଯାଇଛି । ପ୍ରବାସୀ ଶ୍ରମିକ ମାନଙ୍କୁ ନିଜ ନିଜ ଜିଲ୍ଲାକୁ ପଠାଇବା ପାଇଁ ବସର ବ୍ୟବସ୍ଥା ମଧ୍ୟ କରାଯାଇଥିବା ସୂଚନା ରହିଛି । ତେବେ କେଉଁ ଜିଲ୍ଲାରୁ କେତେ ପ୍ରବାସୀ ଶ୍ରମିକ ଫେରୁଛନ୍ତି ତାହା ପ୍ରଶାସନ ତରପରୁ କୌଣସି ସୂଚନା ଦିଆଯାଇନାହିଁ ।