ସିମୁଳିଆ : ମହାମାରୀ କରୋନା କବଳରେ ସାରା ବିଶ୍ୱ ଆକ୍ରାନ୍ତ ହେବା ପରେ ବିଭିନ୍ନ ଅନୁଷ୍ଠାନ,ସ୍ୱେଛାସେବୀ ସଂଗଠନ,ସରକାରୀ ଓ ବେସରକାରୀ ସ୍ତରରେ କରୋନା ଦାଉରୁ ମୁକ୍ତି ପାଇବା ପାଇଁ ଭିନ୍ନ ଭିନ୍ନ ଢଙ୍ଗରେ ସଚେତନତା କରୁଥିବାବେଳେ ମାତ୍ର ଗୟାଧର ଏକ ନିଆରା ଢଙ୍ଗରେ କରୋନା ସଚେତନତା ବାଣ୍ଟୁଥିବାର ଦେଖାଯାଇଛି ।
ଦ୍ୱାପର ଯୁଗରେ କଂସକୁ ଏକ ନକାରାତ୍ମକ ଚରିତ୍ର ଭାବରେ ଚିତ୍ରଣ କରାଯାଉଥିବାବେଳେ ଗୟାଧର କଂସ ବେଶରେ ସକରାତ୍ମକ ଚରିତ୍ରରେ କରୋନା ମହାମାରୀ ରୋଗ କବଳରୁ କିଭଳି ନିଜକୁ ସୁରକ୍ଷିତ ରଖିବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ରଖାଯାଇପାରିବ ସେ ଅଭିନୟ ମାଧ୍ୟମରେ ଦେଖାଉଛନ୍ତି ।
ସାବୁନରେ ହାତ ଧୋଇବା,ସାମାଜିକ ଦୂରତା ରକ୍ଷା କରିବା ଆବଶ୍ୟକ ଥିଲେ ବାହାରକୁ ବାହାରନ୍ତୁ ,ସରକାରଙ୍କ ନିୟମ ମାନଙ୍କୁ ଥଣ୍ଡା,କାଶ,ଜ୍ୱର ହେଲେ ଆଶା,ଅଙ୍ଗନବାଡି ଦିଦିଙ୍କ ସହ ଯୋଗାଯୋଗ କରିବା ଓ ମୁହଁରେ ମାସ୍କ ବାନ୍ଧିବା ପରିନିଜ ସ୍ଳୋଗାନ ନିଜ ସାଇକେଲରେ ବାନ୍ଧି ଗାଁ ସହର ଓ ଗଳିକନ୍ଦି ବୁଲି ବୁଲି ଖରା ବର୍ଷା ନ ମାନି ବିନା ପାରିଶ୍ରମିକରେ ସଚେତନତାର ବାର୍ତ୍ତା ବାଣ୍ଟୁଥିବାର ଦେଖାଯାଇଥିଲା ।
ଗୟାଧର ବାଲେଶ୍ୱର ଜିଲ୍ଲାର ବିଭିନ୍ନ ତହସିଲ,ବ୍ଲକ ବୁଲି ବୁଲି ତୁରୀ ବଜାଇ କରୋନାର ପ୍ରଚାର କରୁଥିବାର ଦେଖିବାକୁ ମିଳିଛି । ଆଜି ଗୟାଧର ସିମୁଳିଆ ତହସିଲ ଅଞ୍ଚଳର ମାର୍କୋଣା ବସ ଷ୍ଟାଣ୍ଡ,ଷ୍ଟେସନ ବଜାର ଆଦି ଅଞ୍ଚଳରେ ଏହି ବାର୍ତ୍ତା ପ୍ରଚାର କରୁଥିବାର ଦେଖାଯାଇଥିଲା । ଖାଲି ସେତିକି ନୁହେଁ ଏହି ୫୩ବର୍ଷୀୟ ଗୟାଧର ବିଶ୍ୱାଳଙ୍କ ଘର ଖଇରା ଥାନା ଡଗରପଡା ଗ୍ରାମର ବୋଲି ଜଣାଯାଏ । ଏଭଳି ନିଆରା ବେଶରେ ବୁଲି ବୁଲି ପ୍ରଚାର କରିବା ଦ୍ୱାରା ତାଙ୍କୁ ଆତ୍ମତୃପ୍ତି ମିଳୁଥିବାର ସେ ପ୍ରକାଶ କରିଥିଲେ । ପାଞ୍ଚମାସ ଧରି ସେ ଏହି ପ୍ରଚାରରେ ଲାଗିଥିବାବେଳେ ଏହାପରେ ସେ ଏହି ବାର୍ତ୍ତା ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବାକୁ ମନସ୍ଥ କରିଛନ୍ତି ଗୟାଧର