Odisha news

ସାଲେପୁର : ରୋଗୀଙ୍କ ଜୀବନ ସହ ଖେଳ, ଆବଶ୍ୟକୀୟ ଭିତ୍ତିଭୂମି ନଥାଇ ସାଲେପୁରରେ ଚାଲିଛି ଏକାଧିକ ଘରୋଇ ନର୍ସିଂହୋମ୍

0

ସାଲେପୁର :  କେତେକ ପ୍ରଭାବଶାଳୀ ବ୍ୟକ୍ତି ସାଲେପୁର ଅଞ୍ଚଳରେ ଭିତ୍ତିଭୂମି ନଥାଇ ଘରୋଇ ଚିକିତ୍ସା କେନ୍ଦ୍ର ଖୋଲି ଅନଭିଜ୍ଞ ଚିକିତ୍ସକମାନଙ୍କ ଦ୍ୱାରା ଚିକିତ୍ସା କରାଇ ରୋଗୀମାନଙ୍କ ଠାରୁ ମୋଟାଅଙ୍କରେ ଅର୍ଥ ଆଦାୟ କରୁଥିବାବେଳେ ଅଧିକାଂଶ ସମୟରେ ରୋଗୀ ଉପଯୁକ୍ତ ଚିକିତ୍ସା ନପାଇ ମୃତୁ୍ୟମୁଖରେ ପଡୁଥିବାର ଅଭିଯୋଗ ହେଉଛି । ସାଲେପୁର ଅଞ୍ଚଳରେ ଛତୁ ଫୁଟିଲା ଭଳି ଘରୋଇ ନର୍ସିଂହୋମ୍ ଦିନକୁ ଦିନ ଖୋଲି ଚାଲିଥିଲାବେଳେ ସରକାରଙ୍କ ନିୟମ ଅନୁଯାୟୀ ଏହି ଘରୋଇ ନର୍ସିଂହୋମରେ ରୋଗୀ ଚିକିତ୍ସା କରାଯାଉନାହିଁ ।

ଏପରିକି ଅଧିକାଂଶ  ନର୍ସିଂହୋମ୍ରେ ଡାକ୍ତର ନଥାଇ ଫାର୍ମାସିଷ୍ଟ ଓ ଅନଭିଜ୍ଞ କର୍ମଚାରୀମାନଙ୍କ ଦ୍ୱାରା ରୋଗୀ ସେବା କରାଯାଉଛି । ନିୟମ ଅନୁଯାୟୀ ପ୍ରତି ନର୍ସିଂହୋମ୍ରେ ୧ରୁ ଉଦ୍ଧ୍ୱର୍ ଅଭିଜ୍ଞ ଡାକ୍ତର ରହିବାର ନିୟମ ଥିଲାବେଳେ ଅଧିକାଂଶ ନର୍ସିଂହୋମ୍ରେ ଡାକ୍ତର ରହୁନାହାଁନ୍ତି । ବହୁ ଦୂରଦୂରାନ୍ତରରୁ ଆସୁଥିବା ପ୍ରସୂତି, ଗର୍ଭବତୀ ଓ ବିଭିନ୍ନ ରୋଗପାଇଁ ଚିକିତ୍ସା ହେବାପାଇଁ ଗ୍ରାମାଞ୍ଚଳରୁ ଆସୁଥିବା ଲୋକମାନେ ବିପୁଳ ଅର୍ଥ ଖର୍ଚ୍ଚ କଲେ ମଧ୍ୟ ସେମାନେ ଉପଯୁକ୍ତ ଚିକିତ୍ସା ସେବା ପାଇପାରୁନାହାଁନ୍ତି ।

ସେହିପରି ସାଲେପୁରରେ ଏକାଧିକ ନର୍ସିଂହୋମ୍ରେ ଅଭିଜ୍ଞ ଡାକ୍ତର ନଥାଇ ଗର୍ଭବତୀ ମହିଳାଙ୍କର ପ୍ରସବ କରାଯାଉଛି । ଫଳରେ ଅଧିକାଂଶ ସମୟରେ ଘରୋଇ ନର୍ସିଂହୋମ୍ରେ ପ୍ରସୂତି ମହିଳାମାନେ ମୃତୁ୍ୟମୁଖରେ ପଡିଥିବାର ନଜିର ମଧ୍ୟ ରହିଛି । ସରକାରଙ୍କ ନିୟମ ଅନୁଯାୟୀ ସାଲେପୁରରେ ଥିବା ଅଧିକାଂଶ ଘରୋଇ ନର୍ସିଂହୋମ୍ର ଭିତ୍ତିଭୂମି ନଥାଇ ସେମାନଙ୍କୁ କିଭଳି ପ୍ରଶାସନ ପକ୍ଷରୁ ସ୍ୱୀକୃତି ପ୍ରଦାନ କରାଗଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅପର ପକ୍ଷରେ ଗ୍ରାମାଞ୍ଚଳରୁ ଆସୁଥିବା ବହୁ ରୋଗୀ ବିଭିନ୍ନ ସମୟରେ ଏହି କ୍ଲିନିକ୍ ମାନଙ୍କରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ନଥାଇ କେତେକ କ୍ଲିନିକ୍ ମାଲିକ ଅର୍ଥ ଲୋଭରେ ରୋଗୀମାନଙ୍କର ଚିକିତ୍ସା ଆରମ୍ଭ କରି ଶେଷ ମୁହୂର୍ତ୍ତରେ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ପଠାଇ ଦେଉଛନ୍ତି । ଫଳରେ ଅଧିକାଂଶ ରୋଗୀ ମୃତୁ୍ୟମୁଖରେ ପଡୁଥିବା ଅଭିଯୋଗ ହେଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଇ ଉପଯୁକ୍ତ ଭିତ୍ତିଭୂମି ନଥାଇ ସାଲେପୁର ଅଞ୍ଚଳରେ ଚାଲିଥିବା ଘରୋଇ ନର୍ସିଂହୋମ୍ ଗୁଡିକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସାଧାରଣରେ ଦାବି ହୋଇଛି ।

Leave A Reply