Odisha news

୧୯୬୨ ମସିହା ଚୀନ୍ ଯୁଦ୍ଧ ପଛର ସନ୍ଦିଗ୍ଧ କାରଣ ଏବଂ ଚୀନ୍‌‌ ମହାଶକ୍ତିଶାଳୀ ହେବାର କାରଣ ବିଷୟରେ ଜାଣନ୍ତୁ

0

ବେଜିଂ: ୧୯୬୨ ମସିହା ଚୀନ୍ ଯୁଦ୍ଧ ପଛର ସନ୍ଦିଗ୍ଧ କାରଣ ଏବଂ ଏଥିରେ ଭାରତର ସଂକଟଜନକ ପ୍ରଦର୍ଶନ ଯୋଗୁଁ ଏ ପ୍ରସଙ୍ଗର ଐତିହାସିକ ଉପସ୍ଥାପନା ଏକ କଷ୍ଟକର ବ୍ୟାପାର। ତେବେ ଦୁଇ ଦେଶର ଏହି ରକ୍ତାକ୍ତ ସଂଘର୍ଷ ପରେ ଏକବିଂଶ ଶତାବ୍ଦୀରେ ଅନୁରୂପ ଘଟଣାର ପୁନରାବୃତ୍ତି ନହେବା ପାଇଁ ଚୀନ୍ ସମ୍ପର୍କିତ ପୁରୁଣା ସ୍ଥିତିର ଅବତାରଣା କିଛି ଗୁରୁତ୍ବ ବହନ କରୁଛି। ଦ୍ବିତୀୟ ବିଶ୍ବ ଯୁଦ୍ଧ ପରେ ପରେ ଚୀନ୍‌ରେ ଦେଖାଦେଇଥିବା ଗୃହଯୁଦ୍ଧର ଅବସାନ ପରେ ହିଁ ୧୯୪୯ ମସିହା ବେଳକୁ ଚୀନ୍‌ର ପ୍ରକୃତ ଆଧୁନିକ ଯୁଗ ଆରମ୍ଭ ହୋଇଥିଲା। ମାଓ ସେ ତୁଙ୍ଗ୍‌ଙ୍କ କମ୍ୟୁନିଷ୍ଟ୍‌ମାନେ ଚିଆଙ୍ଗ୍ କାଇ ସେକ୍‌ଙ୍କ ଜାତୀୟତାବାଦୀମାନଙ୍କୁ ତାଇଵାନ୍‌ ଦ୍ବୀପକୁ ତଡ଼ିଦେଇଥିଲେ। ୧୯୬୬ରେ ମାଓ ନିଜର ସାଂସ୍କୃତିକ ବିପ୍ଳବ ଆରମ୍ଭ କରିଥିଲେ ଯେଉଁଥିରେ ଶହ ଶହ ବୁଦ୍ଧିଜୀବୀ, ଶିଳ୍ପୀ, ଲେଖକ ଏବଂ ରାଜନୈତିକ ଚିନ୍ତାଧାରାର ବିରୋଧୀମାନଙ୍କୁ ସଂହାର କରାଯାଇଥିଲା।

ନିଜର ଲକ୍ଷ୍ୟ ସାଧନ ପାଇଁ ଏପରି ବର୍ବର ହତ୍ୟାକାଣ୍ଡକୁ ସେ ଲୋକଙ୍କ ପାଖରେ ଅତି ସରଳ ଓ ସହଜ ଭାବରେ ବୁଝାଇ ଦେଇଥିଲେ। ତେବେ ଚୀନ୍‌ର ପ୍ରକୃତ ଉତ୍‌ଥାନ ୧୯୯୦ ଦଶକରେ ହୋଇଥିଲା, ସଂଯୋଗବଶତଃ ଯେଉଁ ଦଶକରେ ଉଭୟ ଭାରତ ଓ ଚୀନ୍ ନିଜର ଅର୍ଥନୀତିର ଉଦାରୀକରଣ କରିଥିଲେ। ସେଥିରେ ସେମାନେ ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ଦ୍ବାରା ପ୍ରୋତ୍ସାହିତ ଏକ ବିଶ୍ବସ୍ତରୀୟ ପ୍ରଣାଳୀରେ ସାମିଲ ହୋଇଥିଲେ। ତେବେ ଏହାକୁ ବିନିଯୋଗ କରି ଚୀନ୍ ନିଜର ଦ୍ରୁତ ଅର୍ଥନୀତି, ଔଦ୍ୟୋଗିକ ତଥା ବୈଷୟିକ ବିକାଶ ପରି କ୍ଷୁଦ୍ର ଏବଂ ମଧ୍ୟମ ଲକ୍ଷ୍ୟଗୁଡ଼ିକୁ ହାସଲ କରିବାରେ ସଫଳ ହେବାରେ ଲାଗିଲା। ବିଶ୍ବସ୍ତରୀୟ ଅନୁଷ୍ଠାନ ସହ ଚୀନ୍‌ର ସମ୍ପର୍କ କେବଳ ସୁବିଧାବାଦ, ଆର୍ଥିକ ଦେଣନେଣ, ସାପେକ୍ଷ ଶକ୍ତି ଓ ବ୍ୟାବହାରିକ ଆକଳନ ଉପରେ ନିର୍ଭର କରି ଆସୁଛି। ତେବେ ପାଶ୍ଚାତ୍ୟ ସମାଜ ଦ୍ବାରା ପ୍ରଣୀତ ବିଭିନ୍ନ ମାନଦଣ୍ଡ ଓ ଆଚାର ବିଚାର ଆଧାରିତ ଅନୁଷ୍ଠାନ ଦ୍ବାରା ଚୀନୀମାନେ ଆଦୌ ପ୍ରଭାବିତ ହୋଇନଥିଲେ। ଫଳସ୍ବରୂପ ଏହି ବିଶ୍ବ ଉଦାରୀକରଣରୁ ଗତ ତିନି ଦଶନ୍ଧି ଧରି ଚୀନ୍ ତୁଳନାରେ ଭାରତ ଓ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଅପେକ୍ଷାକୃତ କମ୍ ଉପକୃତ ହେଲେ। ଅବଶ୍ୟ ଏହା କେବଳ ମାଓଙ୍କ ସାଂସ୍କୃତିକ ବିପ୍ଳବର ଅଂଶସ୍ବରୂପ ଏକ ଲକ୍ଷ୍ୟ ବିଶିଷ୍ଟ ଏକଦଳୀୟ ଶାସନ ବ୍ୟବସ୍ଥା ଯୋଗୁଁ ସମ୍ଭବ ହୋଇପାରିଛି। ଏପରିକି ଏଥିଯୋଗୁଁ ମଧ୍ୟ ଚୀନ୍ ନିଜ ଦେଶରେ କୌଣସି ଆନ୍ଦୋଳନ, ଅନ୍ତଃଗଣ୍ଡଗୋଳ ଆଦିରୁ ଦଶନ୍ଧି ଦଶନ୍ଧି ଧରି ବଞ୍ଚିତ ହୋଇ ଆସିଛି। ଏହି ଏକଛତ୍ରବାଦ ନୀତି ଯୋଗୁଁ ସାଗର ଭିତରେ କୃତ୍ରିମ ଦ୍ବୀପପୁଞ୍ଜ କରି ନିର୍ମାଣ କରିବାକୁ କେନ୍ଦ୍ର କରି ଜାପାନ କି ଫିଲିପାଇ୍‌ସ ସହ ହେଉ କିମ୍ବା ବିବାଦୀୟ ସୀମାକୁ ନେଇ ଭାରତ ଉପରେ ଚାପ ପ୍ରୟୋଗ ହେଉ ଯେଉଁଠି କି ଯେଭଳି ସ୍ଥିତିରେ ମଧ୍ୟ ଚୀନ୍ ନିଜ ସାମରିକ ବଳକୁ ଖଟେଇପାରୁଛି।

ଭାରତ ଓ ଚୀନ୍ ମଧ୍ୟରେ ସାମରିକ-ବୈଷୟିକ ତାଳମେଳ ଦ୍ରୁତ ବେଗରେ ଆଗେଇଚାଲିଛି। ତେବେ ବିଭିନ୍ନ ଉତ୍ପାଦ, ଅଭିନବ ସୃଷ୍ଟି ଓ ସାମରିକ ଶକ୍ତିରେ ଚୀନ୍‌ ଭାରତକୁ ଢେର୍ ପଛରେ ପକାଇଛି। ତେବେ ଚୀନ୍ ତୁଳନାରେ ଭାରତ ସ୍ବାଧୀନତା ପରଠାରୁ ପାକିସ୍ତାନ ଓ ସନ୍ତ୍ରାସବାଦୀଙ୍କ ବିରୋଧରେ ଉପଯୋଗ କରିଆସିଥିବା ଅଭିଜ୍ଞ ସାମରିକ ବଳ ଉପରେ ହିଁ ଅଧିକ ଭରସା ରଖିଛି। ତେବେ ଦେଶରେ ଉପଲବ୍‌ଧ ସାମଗ୍ରୀ ଓ ବୈଷୟିକ ଜ୍ଞାନକୌଶଳକୁ ଭିତ୍ତି କରି ଭାରତକୁ ଏକ ଦୀର୍ଘମିଆଦୀ ସୁସଙ୍ଗତ ଜାତୀୟ ସାମରିକ ନୀତି ପ୍ରଣୟନ କରିବା ଜରୁରୀ ହୋଇପଡ଼ିଛି। ଏହାଦ୍ବାରା ଭାରତ ଅନ୍ୟ ଦେଶମାନଙ୍କ ସହ ପାରସ୍ପରିକ ଆର୍ଥିକ, ବୈଷୟିକ ଓ ସାମରିକ ସହଯୋଗ ସ୍ଥାପନ କରିପାରିବ। ସେହିପରି ଭାରତକୁ ମଧ୍ୟ ବୈଷୟିକ ଜ୍ଞାନ ଆଦାନପ୍ରଦାନ ଏବଂ ଦେଶୀୟ ଭିତ୍ତିଭୂମି ବିକାଶ ପାଇଉଁ ଆମେରିକା, ପଶ୍ଚିମ ୟୁରୋପୀୟ ସଦୃଶ ନିଜର ସମାଦର୍ଶ ରାଷ୍ଟ୍ର ଚୟନ କରିବାକୁ ହେବ। ସେହିପରି ଯୋଜନାବଦ୍ଧ ଭାବେ ନିଜର ଆଞ୍ଚଳିକ ଓ ବିଶ୍ବସ୍ତରୀୟ ଯୋଗାଣ ପ୍ରକ୍ରିୟାକୁ ମଧ୍ୟ ସୁଦୃଢ଼ କରିବାକୁ ହେବ। ଫଳରେ କୌଣସି ସମୟରେ କିଛି ପ୍ରତିକୂଳ ପରିସ୍ଥିତି ଉପୁଜିଲେ ତାହାକୁ ଅତିକ୍ରମ କରିବାର ଉପାୟ ରହିଥିବ।

Govt
Leave A Reply