ରାୟଗଡା:- ସପ୍ତାହ ନ ବିତୁଣୁ ପୁଣି ଥରେ ଦେଖା ଦେଇଛି ରାୟଗଡା ଜିଲ୍ଲାରେ ଜନନୀ ଯନ୍ତ୍ରଣା । ରାସ୍ତା ଘାଟର ଅଭାବ ହେଉ କିମ୍ବା ସଠିକ ସମୟରେ ଗର୍ଭବତୀ ମହିଳା ମାନେ ସ୍ଥାନୀୟ ଗୋଷ୍ଠୀ କେନ୍ଦ୍ର କିମ୍ବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚି ପାରୁନଥିବାରୁ ଏଭଳି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି । ଗାଁ କୁ ଆମ୍ବୁଲାନ୍ସ ନପହଂଚି ପାରିବାରୁ ଖଟିଆରେ ବୁହା ହୋଇ ୫ କିଲୋମିଟର ପାହାଡିଆ ରାସ୍ତା ବୁହା ହୋଇ ଆସିଛନ୍ତି ଜଣେ ପ୍ରସବ ମହିଳା । ଏ ସବୁ ଭିତରେ ଗର୍ଭବତୀକୁ ନେବା ପାଇଁ ଆସିଥିବା ଆମ୍ବୁଲାନ୍ସଟି ମଧ୍ୟ ଅପେକ୍ଷା ନ କରି ଚାଲିଯାଇଥିବା ଅଭିଯୋଗ ହୋଇଛି । ଘଟଣାଟି ଘଟିଛି ରାୟଗଡା ଜିଲ୍ଲା କୋଲନରା ବ୍ଲକ ଦୁମୁକୁପାଡୁ ଗାଁରେ ।
ଗାଁକୁ ରାସ୍ତା ନାହିଁ ତେବେ ଗାଁର ସାବିତ୍ରୀ ତାଡିଙ୍ଗି (୩୧) ବୁଧବାର ପ୍ରାତଃ ଠାରୁ ପେଟରେ ତୃତୀୟ ସନ୍ତାନକୁ ଧରି ଯନ୍ତ୍ରଣାରେ ଛଟପଟ ହେଉଥିଲେ । ପ୍ରସବ ପୂର୍ବ ଯନ୍ତ୍ରଣା ଯୋଗୁଁ ଛଟ ପଟ ହେଉଥିଲେ ସାବିତ୍ରୀ । ଅନ୍ୟ ଉପାୟ ନ ପାଇଁ ସାହିଭାଇ ଓ ପରିବାର ଲୋକେ ଖଟିଆରେ ଦୋଳା ପ୍ରସ୍ତୁତ କରି ଗାଁର ଯୁବକ ମାନେ ପାଳିକରି ୫ କିଲୋମିଟର ରାସ୍ତା ଦେଇ ସାବିତ୍ରୀକୁ ବୋହି ଲାଲବି ଛକୁ ଆଣିଥିଲେ ।
ଗର୍ଭବତୀଙ୍କୁ ନେବା ପାଇଁ ୧୦୨ ଆମ୍ବୁଲାନ୍ସକୁ ସୂଚନା ଦିଆଯାଇଥିଲା କିନ୍ତୁ ସାବିତ୍ରୀକୁ କାନ୍ଧରେ ବୋହି ଆଣିବା ବିଳମ୍ବ ହେବାରୁ ଅପେକ୍ଷା ନ କରି ୧୦୨ ଆମ୍ବୁଲାନ୍ସ ଫେରିଆସିଥିବା ବେଳେ ଭଡା ଗାଡିରେ ସାବିତ୍ରୀକୁ କୋଲନରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଏହି ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଆର୍ତ୍ତବନ୍ଧୁ ନାୟକ କହିଛନ୍ତି ବର୍ତ୍ତମାନ ପ୍ରସବ ମା ଏବଂ ଶିଶୁ ପୁତ୍ର ସୁସ୍ଥ ଅଛନ୍ତି ବୋଲି କହିଥିଲେ ।