ଡିଆଇଏଲ୍-ଇଣ୍ଡିଆ ସହ ଓଡ଼ିଶା ସରକାରଙ୍କ ସହଭାଗିତା : କୃଷି ଓ ଗ୍ରାମୀଣ ପାନୀୟ ଜଳ କ୍ଷେତ୍ରରେ ନବସୃଜନକୁ ବ୍ୟାପକ କରାଯିବାକୁ ଗୁରୁତ୍ୱ
ଭୁବନେଶ୍ୱର, ୧୮ ନଭେମ୍ବର ୨୦୨୬: ଚିକାଗୋ ବିଶ୍ୱବିଦ୍ୟାଳୟ ଟ୍ରଷ୍ଟ ଅଧୀନରେ କାର୍ୟ୍ୟରତ ଡେଭଲପମେଣ୍ଟ ଇନୋଭେସନ୍ ଲ୍ୟାବ୍–ଇଣ୍ଡିଆ ( ଡିଆଇଏଲ-ଇଣ୍ଡିଆ) ସହିତ ଓଡ଼ିଶା ସରକାର ଦୁଇ ବର୍ଷ ପାଇଁ ଏକ ବୁଝାମଣାପତ୍ର ( ଏମଓୟୁ ) ସ୍ୱାକ୍ଷର କରିଛନ୍ତି । ଭାରତରେ ପଞ୍ଜୀକୃତ ଏହି ଅନୁଷ୍ଠାନ ସହିତ ସହଭାଗିତା ମାଧ୍ୟମରେ ‘ବିକଶିତ ଓଡ଼ିଶା ଭିଜନ୍ ୨୦୩୬ ଏବଂ ୨୦୪୭’ ଲକ୍ଷ୍ୟ ଅନ୍ତର୍ଗତ ରାଜ୍ୟ ସରକାରଙ୍କ ପ୍ରାଥମିକତାଗୁଡ଼ିକୁ ସମର୍ଥନ ଯୋଗାଇ ଦିଆଯିବ । ଏଥିସହ ପ୍ରଭାବଶାଳୀ ନବସୃଜନମୂଳକ ପଦକ୍ଷେପଗୁଡ଼ିକର ଉପଯୋଗିତା ସମ୍ପର୍କରେ ଦୃଢ଼ ପ୍ରମାଣଭିତ୍ତିକ ତଥ୍ୟ ସୃଷ୍ଟି କରିବା ସହ ସେଗୁଡ଼ିକର କାର୍ୟ୍ୟକାରିତା ବ୍ୟାପକ କରିବା ପାଇଁ ଆବଶ୍ୟକ ଅନୁଷ୍ଠାନିକ ବ୍ୟବସ୍ଥାର ବିକାଶ ଉପରେ ଗୁରୁତ୍ୱ ଦିଆଯିବ । ଏହା ଫଳରେ ରାଜ୍ୟର ସମସ୍ତ ଅଞ୍ଚଳର ଜନସାଧାରଣଙ୍କ ଉପକୃତ ହେବେ ।
ଏହି ବୁଝାମଣାପତ୍ର ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହଙ୍କ ଉପସ୍ଥିତିରେ ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ଏବଂ ଚିକାଗୋ ବିଶ୍ୱବିଦ୍ୟାଳୟ ଟ୍ରଷ୍ଟର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଲେନି ଚୌଧୁରୀଙ୍କ ମଧ୍ୟରେ ସ୍ୱାକ୍ଷର ହୋଇଥିଲା । ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ରାଜ୍ୟର ସମ୍ପୃକ୍ତ ବିଭିନ୍ନ ବିଭାଗଗୁଡ଼ିକର ଶାସନ ସଚିବମାନେ ଉପସ୍ଥିତ ଥିଲେ ।
ସୂଚନା ଯୋଗ୍ୟ ଯେ, ନୋବେଲ ପୁରସ୍କାର ବିଜେତା ପ୍ରଫେସର ମାଇକେଲ୍ କ୍ରେମରଙ୍କ ଦ୍ୱାରା ବିକଶିତ ଅର୍ଥନୀତି ସମ୍ବନ୍ଧୀୟ ବିଭିନ୍ନ ପଦ୍ଧତିର ଉପଯୋଗ କରି ଡିଆଇଏଲ-ଇଣ୍ଡିଆ ଜନସାଧାରଣଙ୍କ ପାଇଁ କଲ୍ୟାଣକାରୀ ହୋଇପାରୁଥିବା ନବସୃଜନମୂଳକ ପଦକ୍ଷେପଗୁଡ଼ିକୁ ଚିହ୍ନଟ, ପରୀକ୍ଷଣ, ପରିମାର୍ଜନ ଏବଂ ବ୍ୟାପକ ସ୍ତରରେ ପ୍ରସାର କରିଥାଏ । ୨୦୨୩ ମସିହାରୁ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସହିତ ଡିଆଇଏଲ-ଇଣ୍ଡିଆଙ୍କ ବୈଷୟିକ ସହଯୋଗକୁ ଔପଚାରିକ ରୂପ ଦିଆଯାଇଛି । ଏହି ସହଯୋଗର ପ୍ରାରମ୍ଭିକ କାର୍ୟ୍ୟକ୍ଷେତ୍ର ମଧ୍ୟରେ କୃଷକମାନଙ୍କୁ କୃତ୍ରିମ ବୁଦ୍ଧିମତ୍ତା ( ଏାଇ) ଆଧାରିତ ସ୍ଥାନୀୟ ପାଣିପାଗ ପୂର୍ବାନୁମାନ ଓ ପରାମର୍ଶର ପ୍ରସାର, ଗ୍ରାମାଞ୍ଚଳର ପାଇପ୍ ଜଳ ଯୋଗାଣ ଯୋଜନାରେ ନିରାପଦ ପାନୀୟ ଜଳ ସୁନିଶ୍ଚିତ କରିବା ଏବଂ ବ୍ୟବସ୍ଥିତ ମୂଲ୍ୟାଙ୍କନରୁ ମିଳୁଥିବା ପ୍ରମାଣଭିତ୍ତିକ ତଥ୍ୟ ଆଧାରରେ ନୀତିଗତ ନବସୃଜନ ଓ ତଦାରଖ ବ୍ୟବସ୍ଥାକୁ ସୁଦୃଢ଼ କରିବା ଅନ୍ତର୍ଭୁକ୍ତ ରହିଛି ।
ଏହି ସହଭାଗିତା ସମ୍ପର୍କରେ ମତବ୍ୟକ୍ତ କରି ଚିକାଗୋ ବିଶ୍ୱବିଦ୍ୟାଳୟ ଟ୍ରଷ୍ଟର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଲେନି ଚୌଧୁରୀ ପ୍ରକାଶ କରି କହିଛନ୍ତି ଯେ, ଏହି ବୁଝାମଣା ପତ୍ର ସ୍ୱାକ୍ଷର ଯୋଗୁଁ ଆମେ ଅତ୍ୟନ୍ତ ଆନନ୍ଦିତ ଏବଂ ଏହା ଓଡ଼ିଶା ସରକାରଙ୍କ ସହ ଆମର ସହଭାଗିତାକୁ ଆହୁରି ସୁଦୃଢ଼ କରିବ । ରାଜ୍ୟର ବିଭିନ୍ନ ଅଭିନବ ପ୍ରାଥମିକତାଭିତ୍ତିକ କାର୍ୟ୍ୟକ୍ରମକୁ ଉପଯୁକ୍ତ ଦିଗ୍ଦର୍ଶନ ଦେବା ପାଇଁ ପ୍ରମାଣଭିତ୍ତିକ ତଥ୍ୟ ସୃଷ୍ଟି କରୁଥିବା ପ୍ରୟୋଗଭିତ୍ତିକ ଗବେଷଣାକୁ ନେଇ ରାଜ୍ୟ ସରକାରଙ୍କ ସହ ମିଳିତ ଭାବେ କାର୍ୟ୍ୟ କରିବାକୁ ଆମେ ଅତ୍ୟନ୍ତ ଆଗ୍ରହୀ ବୋଲି ସେ ପ୍ରକାଶ କରିଥିଲେ ।
ଡିଆଇଏଲ-ଇଣ୍ଡିଆର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶିକା ଡ. ୟାମିନୀ ଆତ୍ମବିଳାସ କହିଛନ୍ତି, “ଓଡ଼ିଶା ସରକାର ପ୍ରମାଣଭିତ୍ତିକ ନୀତି ନିର୍ଦ୍ଧାରଣ ପ୍ରତି ନିରନ୍ତର ପ୍ରତିବଦ୍ଧତା ପ୍ରଦର୍ଶନ କରିଆସିଛନ୍ତି । ଏହି ବୁଝାମଣାପତ୍ର କୌଣସି ନବସୃଜନମୂଳକ ପଦକ୍ଷେପକୁ ବ୍ୟାପକ ସ୍ତରରେ କାର୍ୟ୍ୟକାରୀ କରିବା ପୂର୍ବରୁ ତାହାର ସୁବ୍ୟବସ୍ଥିତ ପରୀକ୍ଷଣ ଓ ବିଶ୍ଳେଷଣ ଆବଶ୍ୟକ । ସେହିପରି, ସାର୍ବଜନୀନ ପ୍ରତିଷ୍ଠାନଗୁଡ଼ିକର କାର୍ୟ୍ୟଧାରା ସହ ଗବେଷଣାକୁ ସମନ୍ୱିତ କରାଗଲେ ତାହା ଅଧିକ ଫଳପ୍ରଦ ହୋଇପାରିବ । ‘ବିକଶିତ ଓଡ଼ିଶା’ ଦୃଷ୍ଟିକୋଣ ଅଧୀନରେ ରାଜ୍ୟର ପ୍ରାଥମିକତାଗୁଡ଼ିକୁ ସହଯୋଗ ଯୋଗାଇବା ପାଇଁ ଆମେ ଆଗ୍ରହୀ ।”
ଏହି ସହଭାଗିତାର କାର୍ୟ୍ୟଧାରା ଯୋଜନା ଓ ସଂଯୋଜନ ବିଭାଗର ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ପରିଚାଳନା କମିଟି ଦ୍ୱାରା ନିର୍ଦ୍ଦେଶିତ ହେବ । ଏହି କମିଟିରେ ସମ୍ପୃକ୍ତ ବିଭାଗଗୁଡ଼ିକର ବରିଷ୍ଠ ସରକାରୀ ଅଧିକାରୀ ଏବଂ ଡିଆଇଏଲ-ଇଣ୍ଡିଆ ର ବରିଷ୍ଠ ପ୍ରତିନିଧିମାନେ ସଦସ୍ୟ ଭାବେ ରହିବେ । ଏହି କମିଟି ବର୍ଷକୁ ଦୁଇଥର ବୈଠକ କରି ଧାର୍ୟ୍ୟ ଲକ୍ଷ୍ୟ ଓ କାର୍ୟ୍ୟଫଳର ଅଗ୍ରଗତି ସମୀକ୍ଷା କରିବା ସହ କାର୍ୟ୍ୟକାରିତା ଏବଂ ମୂଲ୍ୟାଙ୍କନ କାର୍ୟ୍ୟକ୍ରମଗୁଡ଼ିକର ସ୍ଥିତି ଓ କାର୍ୟ୍ୟକଳାପ ସମ୍ପର୍କରେ ଆଲୋଚନା କରିବ ।
ଏହି ଅବସରରେ ମତବ୍ୟକ୍ତ କରି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଥିଲେ ଯେ, ଏହି ସହଭାଗିତା ତଥ୍ୟଭିତ୍ତିକ ଶାସନ ବ୍ୟବସ୍ଥା ଏବଂ ଜଳବାୟୁ ପରିବର୍ତ୍ତନଜନିତ ଆହ୍ୱାନର ମୁକାବିଲା କ୍ଷମତା ବୃଦ୍ଧି ଦିଗରେ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
‘କୃଷି ସମୃଦ୍ଧି’ ଏବଂ ‘କୃଷି ୩୬୦’ ଢାଞ୍ଚା ଅଧୀନରେ କୃତ୍ରିମ ବୁଦ୍ଧିମତ୍ତା ( ଏାଇ) ଆଧାରିତ ମୌସୁମୀ ପୂର୍ବାନୁମାନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରି ସ୍ଥାନୀୟ ସ୍ତରରେ କୃଷି ପରାମର୍ଶ ଓ ତାପପ୍ରବାହ ସମ୍ପର୍କିତ ପୂର୍ବାନୁମାନ ଯୋଗାଇ ଦିଆଯିବ ବୋଲି ସେ ଉଲ୍ଲେଖ କରିଥିଲେ । ଏଥିସହ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ଏକକ ଗ୍ରାମ ଜଳଯୋଗାଣ ଯୋଜନାଗୁଡ଼ିକରେ ଜଳ ବିଶୋଧନ ପାଇଁ ପାଇପ୍ଲାଇନ୍ ମଧ୍ୟରେ କ୍ଲୋରିନ୍ ମିଶ୍ରଣ ବ୍ୟବସ୍ଥାର ବ୍ୟାପକ ପ୍ରସାର କରିବାରେ ସହଯୋଗ କରାଯିବା ସହ ଏହି ବ୍ୟବସ୍ଥାର ସଫଳ କାର୍ୟ୍ୟକାରିତା ପାଇଁ ଉପଯୁକ୍ତ ପ୍ରଶିକ୍ଷଣ ଓ ନିୟମିତ ତଦାରଖକୁ ଗୁରୁତ୍ୱ ଦିଆଯିବ ବୋଲି ସେ ଉଲ୍ଲେଖ କରିଥିଲେ ।
ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସିଂହ କହିଥିଲେ ଯେ, ଏହି ସହଭାଗିତା ବୈଷୟିକ ସହାୟତା ଓ ଗବେଷଣା ମାଧ୍ୟମରେ ବିଭିନ୍ନ ବିଭାଗର କାର୍ୟ୍ୟକ୍ରମଗୁଡ଼ିକୁ ଆହୁରି ସୁଦୃଢ଼ କରିବ । ଏଥିସହ ଭବିଷ୍ୟତରେ ଆବଶ୍ୟକତା ଅନୁଯାୟୀ ଅନ୍ୟ ବିଭାଗଗୁଡ଼ିକ ମଧ୍ୟ ଏହି ବୁଝାମଣାପତ୍ର ଅଧୀନରେ ଡିଆଇଏଲ ଇଣ୍ଡିଆ ସହିତ ସହଭାଗିତା ସ୍ଥାପନ କରିପାରିବେ ବୋଲି ସେ ମତବ୍ୟକ୍ତ କରିଥିଲେ ।
