Odisha news

ସରକାରୀ କର୍ମଚାରୀଙ୍କ ପାଇଁ ଖୁସିର ମାହୋଲ ସୃଷ୍ଟି କରିଛି ମୁଖ୍ୟମନ୍ତ୍ରୀଙ୍କ ମହଙ୍ଗା ଭତା ବୃଦ୍ଧି ନିଷ୍ପତି: ଡଃ ତପନ ଚାନ୍ଦ

0

 ମହଙ୍ଗା ଭତା (DA) ଓ ଟିଆଇ (TI)ରେ ୩% ବୃଦ୍ଧି; ୬୦%ରୁ ୬୩%କୁ ବୃଦ୍ଧି
 ଜୁଲାଇ ୧ ତାରିଖରୁ ପିଛିଲା ଭାବେ ଲାଗୁ
 ବର୍ଦ୍ଧିତ ମହଙ୍ଗା ଭତା ଚଳିତ ନଭେମ୍ବର ମାସର ଦରମା ସହିତ ନଗଦ ଆକାରରେ ପ୍ରଦାନ
 ରାଜ୍ୟର ପ୍ରାୟ ସାଢ଼େ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀ ହେବେ ଉପକୃତ

ଭୁବନେଶ୍ୱର,ତା.୧୮/୧୧: ଦରଦାମ ବୃଦ୍ଧି ଅର୍ଥନୀତିର ଏକ ନିଚ୍ଛକ ବାସ୍ତବତା । ସମ୍ପ୍ରତି ଭୂ-ରାଜନୈତିକ ଅସ୍ଥିରତା, ମଧ୍ୟପ୍ରାଚ୍ୟ ତଥା ପଶ୍ଚିମ ଏସିଆରେ ଯୁଦ୍ଧର ବାତାବରଣ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଭିନ୍ନ ନିଷ୍ପତି ସମଗ୍ର ବିଶ୍ୱରେ ଦରଦାମ ଉପରେ ପ୍ରଚଣ୍ଡ ପ୍ରଭାବ ପକାଇଛି । ମୁଖ୍ୟତଃ ତୈଳ ତଥା ତୈଳଜାତ ଦ୍ରବ୍ୟର ପରିବହନ ଓ ଯୋଗାଣ କ୍ଷେତ୍ରରେ ବିଭ୍ରାଟ ଦରଦାମ ବୃଦ୍ଧି ସହ ଖାଉଟିଙ୍କ ଉପରେ ସିଧାସଳଖ ଚାପ ପକାଇଛି ବୋଲି ଏକ ପ୍ରେସ୍ ବିବୃତି ଜରିଆରେ ରାଜ୍ୟ ମୁଖପାତ୍ର ଡଃ ତପନ ଚାନ୍ଦ କହିଛନ୍ତି ।
ଖୁଚୁରା ମୂଲ୍ୟ ସୂଚକାଙ୍କ (Retail Price Index) ଆରବିଆଇର ନିର୍ଦ୍ଧାରିତ ୬ ପ୍ରତିଶତ ସୀମାକୁ ଅତିକ୍ରମ କରିଥିବା ପରିପ୍ରେକ୍ଷୀରେ ଓଡ଼ିଶାର ମୋହନ ମାଝୀ ସରକାରଙ୍କ ପକ୍ଷରୁ ମହଙ୍ଗା ଭତାରେ ୩ ପ୍ରତିଶତ ବୃଦ୍ଧି ନିଷ୍ପତି ସବୁ ମହଲରେ ସ୍ୱାଗତଯୋଗ୍ୟ ହୋଇଛି । ଏହି ବୃଦ୍ଧି ଫଳରେ ମହଙ୍ଗା ଭତା ୬୦ ପ୍ରତିଶତରୁ ବୃଦ୍ଧି ପାଇ ୬୩ ପ୍ରତିଶତରେ ପହଁଚିଛି । ଏହା ସରକାରୀ କର୍ମଚାରୀ ମହଲରେ ଖୁସି ଓ ଆନନ୍ଦର ଲହରୀ ସୃଷ୍ଟି କରିଛି ବୋଲି ଡଃ ତପନ ଚାନ୍ଦ କହିଛନ୍ତି ।
ବର୍ତମାନ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ସହିତ ପୂର୍ବତନ କର୍ମଚାରୀ ତଥା ପେନ୍‌ସନ୍‌ଭୋଗୀମାନଙ୍କ ପାଇଁ ମଧ୍ୟ ଟିଆଇ (TI)ରେ ୩ ପ୍ରତିଶତ ବୃଦ୍ଧି କରାଯାଇଛି । ଫଳରେ ଏହା ୬୩ ପ୍ରତିଶତରେ ପହଁଚିଛି । ଏହି ୩ ପ୍ରତିଶତ ମହଙ୍ଗା ଭତା ବୃଦ୍ଧି ଚଳିତ ବର୍ଷ ଜୁଲାଇ ୧ ତାରିଖରୁ ପିଛିଲା ଭାବେ ଲାଗୁ ହେବ । ବର୍ଦ୍ଧିତ ମହଙ୍ଗା ଭତା ଚଳିତ ନଭେମ୍ବର ମାସର ଦରମା ସହିତ ନଗଦ ଆକାରରେ ପ୍ରଦାନ କରାଯିବ । ଏହି ମହଙ୍ଗା ଭତା ବୃଦ୍ଧି ଦ୍ୱାରା ରାଜ୍ୟର ପ୍ରାୟ ସାଢ଼େ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀ ଉପକୃତ ହେବେ । ଏହି ପ୍ରଶଂସନୀୟ ନିଷ୍ପତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ଡଃ ତପନ ଚାନ୍ଦ ।

Ad2
Leave A Reply