Odisha news

ବାଲିଗୁଡ଼ାରେ ଜୁଆ ଆଡ୍ଡା ଉପରେ ପୋଲିସର ବଡ଼ ଚଢ଼ାଉ: ୪ ଜୁଆଡ଼ି ଗିରଫ:  ଟଙ୍କା ସହ ମୋବାଇଲ୍ ଓ ତାସ୍ ଜବତ

0
(ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲ୍ଲାରେ ବେଆଇନ ଜୁଆ ଖେଳ ଓ ଜୁଆ ଆଡ୍ଡା ବିରୋଧରେ ପୋଲିସ ପକ୍ଷରୁ ଅଭିଯାନକୁ ଜୋରଦାର କରାଯାଇଥିବା ବେଳେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାଲିଗୁଡ଼ା ସହରର ନୂଆସାହି ଅଞ୍ଚଳରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ପୋଲିସ ଅଚାନକ ଚଢ଼ାଉ କରି ୪ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ନଗଦ ଟଙ୍କା ସମେତ ମୋବାଇଲ୍ ଫୋନ୍, ତାସ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନୂଆସାହି ଅଞ୍ଚଳରେ ବେଆଇନ ଭାବେ ଜୁଆ ଖେଳ ଚାଲିଥିବା ନେଇ ସୂଚନା ପାଇବା ପରେ ବାଲିଗୁଡ଼ା ପୋଲିସ ପକ୍ଷରୁ ଯୋଜନାବଦ୍ଧ ଭାବେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଜୁଆ ଖେଳରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ପୋଲିସ କାବୁ କରିବା ସହ ସେମାନଙ୍କ ନିକଟରୁ ନଗଦ ୧ ଲକ୍ଷ ୨୭ ହଜାର ୯୮୦ ଟଙ୍କା, ୩ଟି ମୋବାଇଲ୍ ଫୋନ୍, ତାସ୍ ଏବଂ ଗୋଟିଏ ପଲିଥିନ୍ ବ୍ୟାଗ୍ ଜବତ କରିଥିଲା।
ଏହି ଘଟଣାକୁ ନେଇ ବାଲିଗୁଡ଼ା ଥାନାରେ ମାମଲା ନଂ-୩୩୧/୨୬ ରେ ଓଡ଼ିଶା ପ୍ରିଭେନସନ୍ ଅଫ୍ ଗ୍ୟାମ୍ବଲିଂ ଆକ୍ଟ (OPG Act) ର ଧାରା ୩ ଅନୁଯାୟୀ ମାମଲା ପଞ୍ଜୀକୃତ କରାଯାଇଛି। ଗିରଫ ୪ ଜଣଙ୍କ ବିରୋଧରେ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯାଉଛି। ସହରରେ ଏଭଳି ବେଆଇନ ଜୁଆ ଆଡ୍ଡା ଚାଲିବା ଘଟଣା ସାଧାରଣରେ ଚିନ୍ତାର ବିଷୟ ପାଲଟିଛି। ଜୁଆ ଖେଳ ଯୋଗୁଁ ଅନେକ ପରିବାର ଆର୍ଥିକ ଓ ସାମାଜିକ ସମସ୍ୟାରେ ପଡ଼ୁଥିବା ବେଳେ ଯୁବପିଢ଼ି ମଧ୍ୟ ଏହାର କୁପ୍ରଭାବରୁ ବାଦ୍ ପଡ଼ୁନାହାନ୍ତି। ଏଭଳି ସ୍ଥିତିରେ ବାଲିଗୁଡ଼ା ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ଏକ ସକାରାତ୍ମକ ପଦକ୍ଷେପ ଭାବେ ଦେଖାଯାଉଛି। ତେବେ କେବଳ ଗୋଟିଏ ଜୁଆ ଆଡ୍ଡାରେ ଚଢ଼ାଉ କରି ସୀମିତ ନ ରହି ସହର ଓ ଏହାର ଆଖପାଖ ଅଞ୍ଚଳରେ ଗଢ଼ି ଉଠୁଥିବା ଅନ୍ୟ ବେଆଇନ ଜୁଆ ଆଡ୍ଡାଗୁଡ଼ିକୁ ମଧ୍ୟ ଚିହ୍ନଟ କରି କଠୋର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ବାଲିଗୁଡ଼ା ପୋଲିସର ଏହି ଚଢ଼ାଉ ବେଆଇନ ଜୁଆ କାରବାରରେ ସମ୍ପୃକ୍ତ ଲୋକଙ୍କ ପାଇଁ ଏକ କଡ଼ା ସତର୍କବାଣୀ ବୋଲି ଚର୍ଚ୍ଚା ହେଉଛି। ଜୁଆ ଆଡ୍ଡା ବିରୋଧରେ ପୋଲିସର ଏହି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବା ନେଇ ଆଶା ପ୍ରକାଶ ପାଇଛି।
Ad2
Leave A Reply