Odisha news

ପୁଣି ଉଣିଶିରେ ଲଘୁଚାପ ବଳୟ ସୃଷ୍ଟି : ଓଡ଼ିଶାର ଅଧିକାଂଶ ସ୍ଥାନରେ ହୋଇପାରେ ପ୍ରବଳ ବର୍ଷା

0

ଭୁବନେଶ୍ବର : ଆସନ୍ତା ୧୯ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୮ତାରିଖରୁ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ପୂର୍ବ ମଧ୍ୟପ୍ରଦେଶ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଉତ୍ତରପ୍ରଦେଶ ଓ ସଂଲଗ୍ନ ଅଞ୍ଚଳ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି। ଏହାଦ୍ବାରା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଞ୍ଚଳରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ଲାଗି ରହିବ ‌ବୋଲି ଆଞ୍ଚଳିକ ପାଣିପାଗ ବି‌ଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର ବିଶ୍ବାସ କହିଛନ୍ତି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ଓଡ଼ିଶାରେ ସକ୍ରିୟ ରହିଛି। ତେଣୁ ସାରା ରାଜ୍ୟରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ଲାଗି ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ଯଥା କଟକ, ପୁରୀ, ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ସମେତ ମୟୂରଭଞ୍ଜ, ବରଗଡ଼, କୋରାପୁଟ, ନବରଙ୍ଗପୁର, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଝା‌ରସୁଗୁଡ଼ା, କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବ। ତେବେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ୧୮ରୁ ୨୦ତାରିଖ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ଆହୁରି ବଢ଼ିବ। ଜୁନ୍‌ ପହିଲାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ସ୍ବାଭାବିକ୍‌ଠାରୁ ୨୩ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ସ୍ବାଭାବିକ ଭାବେ ୭୯.୨ମିମି ବର୍ଷା ହୋଇଥାଏ। ତେବେ ଏଥର ୯୭.୪ମିମି ବର୍ଷା ହୋଇଛି। ଝାରସୁଗୁଡ଼ାରେ ସବୁଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଏଠାରେ ୧୫୨ମିମି ହୋଇଛି। ଏହାବ୍ୟତୀତ ବରଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ ଜିଲ୍ଲା ସମେତ ୧୫ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ପରିମାଣର ବର୍ଷା ହୋଇଛି। ୧୦ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୫ଜିଲ୍ଲା ଯଥା ସୋନପୁର, ନୂଆପଡ଼ା, ଯାଜପୁର, ଭଦ୍ରକ, ବଲାଙ୍ଗୀରରେ ସ୍ବାଭାବିକଠାରୁ କମ୍‌ ବର୍ଷା ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ ରବିବାର ସକାଳ ୮ଟା ୩୦ରୁ ଆଜି ସକାଳ ସୁଦ୍ଧା ଦୁଇଟି ସ୍ଥାନରେ ଶହେ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ବରଗଡ଼ ଜିଲ୍ଲା ଅତାବିରାରେ ୧୨୬ମିମି ବର୍ଷା ହୋଇଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାର କୋଲାବିରାରେ ୧୦୬ମିମି ବର୍ଷା ରେକର୍ଡ କରାଯାଇଛି। ଆଜି ସକାଳ ୮ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ମଧ୍ୟରେ ପୁରୀରେ ସର୍ବାଧିକ ୯୫ମିମି ବର୍ଷା ରେକର୍ଡ କରାଯାଇଛି। ଏହାବ୍ୟତୀତ ବୌଦ୍ଧରେ ୨୫.୧, ଟିଟିଲାଗଡ଼ରେ ୨୨.୪, ବାରିପଦାରେ ୨୧, ବାଲେଶ୍ବର ଓ କେନ୍ଦୁଝରରେ ୧୨ମିମି ଲେଖାଏଁ ବର୍ଷା ହୋଇଛି। ଅନ୍ୟ ସ୍ଥାନଗୁଡ଼ିକରେ ବି ବର୍ଷା ହୋଇଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଆଜି ବଲାଙ୍ଗୀରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୬ ଡିଗ୍ରି ରେକର୍ଡ କରାଯାଇଛି।

Leave A Reply