ପିପିଲି: ପିପିଲି ଥାନା ଅନ୍ତର୍ଗତ ତେଇସିପୁର-ନଡଖଣ୍ଡ ସଫେଇନାଳର ସୋଲଣା ଓ ଠଣଠଣା ଗ୍ରାମ ମଧ୍ୟବର୍ତ୍ତି ସ୍ଥାନରୁ ଜନୈକା ଯୁବତୀଙ୍କ ଗଳିତ ମୃତଦେହକୁ ପିପିଲି ପୁଲିସ ଗୁରୁବାର ଅପରାହ୍ନରେ ଜବତ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସାଧାରଣରେ ସନେ୍ଦହ ଦୃଢିଭୂତ ହୋଇଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇର୍ ପୁରୀ ପଠାଇ ପୁଲିସ ଘଟଣାର ତଦନ୍ତ ଚଳାଇଛି । ତେବେ ମୃତା ଯୁବତୀଙ୍କ ପ୍ରକୃତ ପରିଚୟ ସଂପର୍କରେ ପୁଲିସ ଗଣମାଧ୍ୟମକୁ କୌଣସି ସୂଚନା ଦେଇନଥିବା ବେଳେ ଉକ୍ତ ଯୁବତୀଙ୍କ ନାମ ମମତା ଭୋଇ (୨୯) ଓ ତାଙ୍କ ଘର ଭୁବନେଶ୍ୱର ଅଞ୍ଚଳରେ ହୋଇଥିବା ଜଣାପଡିଛି । ଏନେଇ ପିପିଲି ପୁଲିସରେ ୨/୨୦୨୦ରେ ଏକ ଅପମୃତ ମାମଲା ରୁଜୁ ହୋଇଛି ।
ମିଳିଥିବା ଖବର ମୁତାବକ, ସୋଲଣା ଓ ଠଣଠଣା ଗ୍ରାମ ମଧ୍ୟବର୍ତ୍ତି ସ୍ଥାନରେ ଥିବା ତେଇସିପୁର-ନଡଖଣ୍ଡ ସଫେଇନାଳର ଏକ ନିକାଞ୍ଚନ ସ୍ଥାନକୁ ଆଜି ସକାଳେ କେତେକ ଲୋକେ ମାଛ ମାରିବାକୁ ଯାଇଥିଲେ । ତେବେ, ଦଳଭର୍ତ୍ତି ପାଣି ମଧ୍ୟରେ ଜଣେ ଯୁବତୀଙ୍କ ଗଳିତ ମୃତଦେହ ମୁଣ୍ଡ ତଳକୁ କରି ଭାସୁଥିବାର ସେମାନେ ଦେଖିବା ପରେ ଖବରଟି ବିଜୁଳି ବେଗରେ ଚାରିଆଡେ ପ୍ରଚାର ହୋଇଯାଇଥିଲା । ଘଟଣାସ୍ଥଳରେ ଶହ ଶହ ଲୋକଙ୍କ ଭିଡ ଜମିଥିଲା । ଖବର ପାଇ ପିପିଲି ଆଇଆଇସି ଶରତ କୁମାର ସାହୁ, ଏସ୍ଆଇ ସଂଘମିତ୍ରା ଚାନ୍ଦ, ସାତଶଙ୍ଖ ଫାଣ୍ଡି ଅଧିକାରୀ ନାରାୟଣ ବେହେର. ଏଏସ୍ଆଇ ରବିନ୍ଦ୍ର କୁମାର ନାୟକ ପ୍ରମୁଖ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପଂହଁଚି ମୃତଦେହକୁ ପାଣି ମଧ୍ୟରୁ ଜବତ କରିଥିଲେ । ଉକ୍ତ ଯୁବତୀ ଜଣକ ଏକ ସାଲ୍ୱାର ପଞ୍ଜାବୀ ପିନ୍ଧିଥିବା ବେଳେ ଶବଟି ସଂପୂର୍ଣ୍ଣ ଭାବେ ପଚି ଯାଇଥିବା ପରିଲକ୍ଷିତ ହୋଇଥିଲା । ଶବ ଠାରୁ କିଛି ଦୂରରେ ପଡିଥିବା ବ୍ୟାଗ୍ରୁ ଏକ ଆଧାର କାର୍ଡ ମିଳିଥିଲା । ଉକ୍ତ ଆଧାର କାର୍ଡଟି ଜନୈକା ମମତା ଭୋଇ(୨୯)ଙ୍କର ହୋଇଥିବା ବେଳେ ତାଙ୍କ ଠିକଣା ଭୁବନେଶ୍ୱର ଅଞ୍ଚଳରେ ହୋଇଥିବା ଜାଣିବା ପରେ ପିପିଲି ପୁଲିସ କମିଶନରେଟ୍ ପୁଲିସ ସହ ଯୋଗାଯୋଗ କରିଥିଲା । ମମତାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ସଂନ୍ଧ୍ୟାରେ ପଂହଁଚିଥିବା ବେଳେ କୌଣସି ଲିଖିତ ଅଭିଯୋଗ କରିନଥିବାରୁ ପୁଲିସ ମୃତାଙ୍କ ପ୍ରକୃତ ପରିଚୟ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେବାକୁ ମନା କରିଥିଲା । ତେବେ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତୁ୍ୟର ପ୍ରକୃତ କାରଣ ଜଣାପଡିବ ବୋଲି ପିପିଲି ଥାନାଧିକାରୀ କହିଛନ୍ତି ।