ନିରାକାରପୁର, ୨୯/୬: ଖୋର୍ଦ୍ଧା ଜିଲ୍ଲା ନରଣଗଡ ଆଞ୍ଚଳିକ ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି ତରଫରୁ ନିଜର ଜାଗାର ସ୍ଥାୟୀ ପଟ୍ଟା ପାଇଁ ୧୩ ଦିନ ହେବ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବାବେଳେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଙ୍କ ଡାକରାରେ ତାଙ୍କ ସହ ଏକ ସକାରାତ୍ମକ ଆଲୋଚନା ହୋଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ସୁଫଳ ନ ମିଳିବାରୁ ଆଞ୍ଚଳିକ ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ଆସନ୍ତା ଜୁଲାଇ ୭ ତାରିଖ ରେ ସମସ୍ତ ସରକାରୀ କାର୍ଯ୍ୟାଳୟ କାର୍ଯ୍ୟ କୁ ଠପ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ନରଣଗଡ, ଧଉଳିମୁଂହ୍, ନିଜିଗଡ ତାପଙ୍ଗ ପଞ୍ଚାୟତର ୧୫ ରାଜସ୍ବ ଗ୍ରାମର ଲୋକେ ଏହି ଆନ୍ଦୋଳନ ରେ ସାମିଲ ହେବା ପାଇଁ ଆଜି ଆଞ୍ଚଳିକ ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ଏକ ବାଇକ୍ ଶୋଭାଯାତ୍ରା କରାଯାଇ ସଚେତନତା ସୃଷ୍ଟି କରାଯାଇଛି। ପ୍ରକାଶ ଥାଉ କି ଦୀର୍ଘ ୬୦ ବର୍ଷ ଧରି ବନ୍ଦୋବସ୍ତ ହୋଇ ନଥିବା ଏଖରାଯାତ୍ ମହଲର ବନ୍ଦୋବସ୍ତ କରାଯାଇ ସ୍ୱତ୍ୱ ଲିପି ପ୍ରଦାନ , ଜମି ପଟ୍ଟା ରୁ ଜମିଦାରଙ୍କ ନାମ ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ପରିବର୍ତ୍ତେ ଓଡ଼ିଶା ସରକାର କରାଯିବା ଭଳି ପ୍ରମୁଖ ଦାବି ରହିଛି। ସମିତି ପକ୍ଷରୁ ବିଭିନ୍ନ ସମୟରେ ଆନ୍ଦୋଳନ, ଧାରଣା ଇତ୍ୟାଦି କରାଯାଇଛି।