ବ୍ରହ୍ମପୁର, ୨୯/୬ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏମ୍କେସିଜି ମେଡିକାଲରେ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମକେସିଜିର ଅନେକ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଏଥିରେ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ରୋଗୀ ସେବା ପାଇଁ କଣ ସବୁ ଅସୁବିଧା ରହିଛି ସେ ନେଇ ଜିଲାପାଳ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ରୋଗୀ ସେବାକୁ ଗୁରୁତ୍ୱ ଦେବାକୁ ସେ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।
ସେଠାରେ ଖାଲି ଥିବା ପଦବି ପୂରଣ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ସେହିପରି କାଜୁଆଲ୍ଟି, ଟ୍ରମା କେୟାର୍ ସେଣ୍ଟର୍ ଓ ରକ୍ତଭଣ୍ଡାରର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଅନ୍ୟପଟେ ମେଡିକାଲର ବିଭିନ୍ନ ବିଭାଗରେ ଲିପ୍ଟ କାମ କରୁ ନଥିବା ବେଳେ ସେଗୁଡ଼ିକ କିପରି ୨୪ଘଣ୍ଟିଆ କାର୍ଯ୍ୟକ୍ଷମ ହେବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା। ସେହିପରି ରୋଗୀଙ୍କ ସୁବିଧା ପାଇଁ ଆହୁରି ଦୁଇଟି ବ୍ୟାଟେରି ଚାଳିତ ଗାଡ଼ି ବ୍ୟବସ୍ଥା କରିବା, ଡାକ୍ତରଖାନା ପରିସରରେ ରୋଗୀଙ୍କ ସୁରକ୍ଷା ନେଇ ମଧ୍ୟ ଆଲୋଚନା ହୋଇଥିଲା। ସେହିପରି ଏମ୍କେସିଜି ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର, ଅଧୀକ୍ଷକ ପ୍ରଫେସର ସୁଚିତ୍ରା ଦାଶ, ରେଜିଷ୍ଟ୍ରାର୍ ସଂଗ୍ରାମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
Prev Post