Odisha news

ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା : ରଥଯାତ୍ରାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ସ୍ଥିତି ତଦାରଖ କରିବାକୁ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏବଂ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ପୁରୀରେ ଅବସ୍ଥାନ କରିବେ।

0

ଭୁବନେଶ୍ବର: ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ଏହି ବାର୍ତ୍ତାରେ ସେ  ରଥଯାତ୍ରାକୁ ଅନୁମତି ଦେଇଥିବାରୁ ସୁପ୍ରିମ୍‌ କୋର୍ଟଙ୍କୁ ଧନ୍ୟବାଦ ଦେବା ସହ କେନ୍ଦ୍ର ସରକାରଙ୍କୁ ମଧ୍ୟ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରଥଯାତ୍ରାର ସୁପରିଚାଳନା ନିମନ୍ତେ ପୁରୀରେ କ୍ୟାମ୍ପ କରିବାକୁ ୩ ମନ୍ତ୍ରୀ ଓ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କୁ ନିର୍ଦେଶ ଦେଇଥିବାର ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ରଥଯାତ୍ରାରୁ  ନୀଳାଦ୍ରିବିଜେ ପର୍ଯ୍ୟନ୍ତ ସ୍ଥିତି ତଦାରଖ କରିବାକୁ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏବଂ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ପୁରୀରେ ଅବସ୍ଥାନ କରିବେ। ଏଥିସହ  ରଥଯାତ୍ରା ପାଇଁ ପୁରୀର ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି।

ଜଗନ୍ନାଥଙ୍କ ରୀତିନୀତି ଠିକ୍ ଭାବେ ପାଳନ କରାଯାଉଥିବା ହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବାୟତମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ସମୟରେ ପୁରୀର ଜନସାଧାରଣଙ୍କୁ କୋଭିଡ-୧୯ ନିୟମ ମାନିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନା ଯୋଗୁଁ ସାରା ବିଶ୍ବ କଠିନ ପରିସ୍ଥିତି ଦେଇ ଗତି କରୁଛି। ଏ ପରିସ୍ଥିତିରେ ରଥଯାତ୍ରା ପାଳନ ଏକ ଚ୍ୟାଲେଞ୍ଜ ହେବ। ଏଣୁ  ରଥଯାତ୍ରାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଅତି ସାବଧାନତାର ସହ କରିବାକୁ ହେବ।

ରଥଯାତ୍ରା ପରିଚାଳନାରେ ସଂପୃକ୍ତ ସମସ୍ତେ କୋଭିଡ ନିୟମ ପାଳିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।  ସାରା ବିଶ୍ବର ନଜର ଏବେ ଆମ ଉପରେ ରହିବ, କୋଭିଡ ନିୟମ ମାନି ନୀତିକାନ୍ତିର ନିଦର୍ଶନ ସାରା ବିଶ୍ବକୁ ଦେଖାଇବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

Nalco
Leave A Reply