ଆମେରିକାର ରାଷ୍ଟ୍ରୀୟ ମହାକାଶ ଗବେଷଣା ପ୍ରଶାସନ ସଂସ୍ଥା ‘ନାସା’ ଚନ୍ଦ୍ରର ମାଟି ଓ କିଛି ଖଣିଜ ପଦାର୍ଥ କିଣିବାକୁ ଚାହୁଁଛି । ସେଥିପାଇ ସଂସ୍ଥା ପକ୍ଷରୁ ଏମିତି କେତେକ କମ୍ପାନୀ ଖୋଜାଚାଲିଛି ଯିଏ ଚନ୍ଦ୍ରରେ ଖଣି ଖନନ କରିପାରିବ । ଖୁବ୍ଶୀଘ୍ର ଏଥିପାଇଁ ଟେଣ୍ଡର୍ ଡକାଯିବ । ଏହି ବିଶ୍ୱସ୍ତରୀୟ ଟେଣ୍ଡରରେ ଯେକୌଣସି ଦେଶର ରିସର୍ଚ କମ୍ପାନୀ ଭାଗ ନେଇପାରିବ । ଉକ୍ତ ମିଶନ ପାଇଁ ସମ୍ପୃକ୍ତ କମ୍ପାନୀ ମୁନ୍ ଟ୍ରିପ୍ର ଖର୍ଚ୍ଚ ନିଜେ ବହନ କରିବ । ନାସା ଏହି ପ୍ରୟାସ ଜରିଆରେ ଚନ୍ଦ୍ରରେ ଖନନକୁ ନେଇ ଆଇନଗତ ଭାବେ ଏକ ଦୃଷ୍ଟାନ୍ତ ପ୍ରସ୍ତୁତ କରିବାକୁ ଚାହୁଁଛି ଯଦ୍ଦ୍ୱାରା ଭବିଷ୍ୟତରେ ଚନ୍ଦ୍ରରୁ ବରଫ ଏବଂ ହିଲିୟମ୍ ତଥା ଅନ୍ୟ ଖଣିଜ ପଦାର୍ଥ ଖନନ ପାଇଁ ଅନୁମତି ମିଳିବ । ଅନ୍ୟପକ୍ଷରେ ନାସା ଆଗାମୀ ସ୍ପେସ୍ ମିଶନ୍ ପାଇଁ ସ୍ଥାନୀୟ ଅର୍ଥାତ ଚନ୍ଦ୍ରରୁ ସଂଗୃହୀତ ବସ୍ତୁ ବ୍ୟବହାର କରିବାକୁ ଚାହୁଁଛି ।