Odisha news

ୱାଇ-ପ୍ଲସ୍‌ ଖର୍ଚ୍ଚ ବହନ କରିବେନି କଙ୍ଗନା

0

ମହାରାଷ୍ଟ୍ରର ଉଦ୍ଧବ ଠାକ୍‌ରେ ସରକାର ତଥା ବଲିଉଡ୍‌ର କଥାକଥିତ ଡ୍ରଗ୍ସ ମାଫିଆଙ୍କ ବିରୋଧରେ କ୍ରମାଗତ ବନ୍ତବ୍ୟ ଦେଇ ଦମକ ପାଇଆସୁଥିବା ଅଭିନେତ୍ରୀ ରନୌତଙ୍କୁ କେନ୍ଦ୍ର ସରକାର ୱାଇ-ପ୍ଲସ୍‌ ସିକ୍ୟୋରିଟି ଯୋଗାଇ ଦେଇଛନ୍ତି । ଏଥିପାଇଁ କଙ୍ଗନାଙ୍କୁ ପକେଟରୁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । କେନ୍ଦ୍ର ସରକାର ହିଁ ଏ ବାବଦ ସମସ୍ତ ଖର୍ଚ୍ଚ ବହନ କରିବେ । ଏବେ କଙ୍ଗନାକୁ ମିଶାଇ ଦେଶରେ ମୋଟ୍‌ ୧୫ଜଣ ଭିଆଇପି ୱାଇ-ପ୍ଲସ୍‌ ସିକ୍ୟୋରିଟି କଭରରେ ଅଛନ୍ତି । ସେମାନଙ୍କ ମଧ୍ୟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍‌ ଏ ଗୋବଡ଼େ ଏବଂ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଅନ୍ତର୍ଭୁକ୍ତ । ୱାଇ-ପ୍ଲସ୍‌ ହେଉଛି ତୃତୀୟସ୍ତରର ନିରାପତ୍ତା ବ୍ୟବସ୍ଥା । ଯାହାର ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିଥାନ୍ତି । ୱାଇ-ପ୍ଲସ୍‌ ସିକ୍ୟୋରିଟିରେ ସିଆର୍‌ପିଏଫ୍‌ର ସଶସ୍ତ୍ର ଯବାନଙ୍କୁ ମୁତୟନ କରାଯାଇଥାଏ । ସିଆର୍‌ପିଏଫ୍‌ର ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍‌ ହେଉଛି ୨୬ ହଜାର କୋଟି ଟଙ୍କା । ସେଥିରୁ ୭.୫ ପ୍ରତିଶତ ଅର୍ଥ ବ୍ୟୟ ହୁଏ ଭିଆଇପିମାନଙ୍କୁ ନିରାପତ୍ତା ଯୋଗାଇ ଦେବାରେ । ସୁତରାଂ କଙ୍ଗନାଙ୍କ ନିରାପତ୍ତା ବାବଦ ବ୍ୟୟ ସିଆର୍‌ପିଏଫ୍‌ର ବାର୍ଷିକ ବଜେଟ୍‌ରୁ ଆସିବ । ତେବେ ଏ ବ୍ୟବସ୍ଥା ମଧ୍ୟ ଅଛି ଯେ ସରକାର କୌଣସି ବ୍ୟକ୍ତିବିଶେଷଙ୍କୁ ତାଙ୍କ ନିରାପତ୍ତା ବାବଦ ବ୍ୟୟ ନିଜେ ବହନ କରିବାକୁ କହିପାରିବେ । ମୁକେଶ ଅମ୍ବାନୀଙ୍କୁ ସରକାରଙ୍କ ପକ୍ଷରୁ ସିକ୍ୟୋରିଟି ଯୋଗାଇ ଦିଆଯାଇଥିଲେ ହେଁ ତାହାର ବ୍ୟୟଭାର ଅମ୍ବାନୀ ନିଜେହିଁ ବହନ କରନ୍ତି । ଅମ୍ବାନୀ ଏଥିପାଇଁ ମାସକୁ ୧୫ଲକ୍ଷ ଟଙ୍କା କେନ୍ଦ୍ର ସରକାରଙ୍କୁ ଦେଉଛନ୍ତି । କଙ୍ଗନା ସିକ୍ୟୋରିଟି ବାବଦରେ କେତେ ଖର୍ଚ୍ଚ ହେବ ତାହାକୁ ଟପ୍‌-ଲେବଲ ସିକ୍ରେଟ୍‌ ରଖାଯାଇଛି । ଏ ବାବଦ ଖର୍ଚ୍ଚ କହିଲେ ବୁଝାଏ ନିୟୋଜିତ ହୋଇଥିବା କମାଣ୍ଡୋମାନଙ୍କ ବେତନ, ଖାଦ୍ୟ, ଗସ୍ତ ଖର୍ଚ୍ଚ ଓ ରହିବା ଖର୍ଚ୍ଚ ।

Leave A Reply