ନୂଆଦିଲ୍ଲୀ: ଏପ୍ରିଲ ୧୦ରେ ଆଠ ଜଣ ଆତଙ୍କବାଦୀ ଏବଂ ୧୫ଜଣ ପାକିସ୍ତାନୀ ସୈନିକ ପ୍ରାଣ ହରାଇଥିଲେ ବୋଲି ସୁରକ୍ଷା ପ୍ରତିଷ୍ଠାନର ଦୁଇଜଣ ଅଧିକାରୀ ସୂଚନା ଦେଇଛନ୍ତି । ନିୟନ୍ତ୍ରଣ ରେଖା ଦେଇ କେରନ ସେକ୍ଟରକୁ ମୁହାଁମୁହିଁ ହୋଇଥିବା ଡୁଡନିଆଲରେ ଭାରତୀୟ ସେନାର ଆର୍ଟିଲିରି ଆକ୍ରମଣରେ ୧୫ଜଣ ପାକିସ୍ତାନୀ ସୈନିକ ପ୍ରାଣ ହରାଇଥିଲେ। ଏହା ପାକିସ୍ତାନକୁ ଏକ ବାର୍ତ୍ତା ଥିଲା ବୋଲି ସୁରକ୍ଷା ପ୍ରତିଷ୍ଠାନର ଜଣେ ଅଧିକାରୀ କହିଛନ୍ତି |
ତେବେ ଭାରତୀୟ ଅଧିକାରୀଙ୍କ ଦାବିକୁ ଖଣ୍ଡନ କରି ଭିନ୍ନ ମତ ରଖିଛି ପାକିସ୍ଥାନ | ଦେଓ ଫାକ୍ଟୋ ସୀମାରେ ଥିବା ଶାରଦା, ଡୁଡନିଆଲ୍ ଏବଂ ଶାହକୋଟ ସେକ୍ଟରରେ ଭାରତୀୟ ସେନା ଗୁଳି ଚଳାଇଛି ବୋଲି ପାକିସ୍ତାନୀ ସେନା ସ୍ୱୀକାର କରିଥିଲେ ମଧ୍ୟ ଆକ୍ରମଣରେ ଜଣେ ୧୫ବର୍ଷର ବାଳିକା ସମେତ କେବଳ ଚାରିଜଣ ସାଧାରଣ ନାଗରିକ ଗୁରୁତର ଆହତ ହୋଇଥିବା କହିଛି। ଏହା ସହ ଇସଲାମାବାଦ ୨୦୨୦ରେ ୭୦୮ଅସ୍ତ୍ରବିରତି ନିୟମ ଉଲ୍ଲଂଘନ ପାଇଁ ଭାରତୀୟ ସେନାକୁ ଦାୟୀ କରିଛି, ଯେଉଁଥିରେ ଦୁଇଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ୪୨ ଜଣ ଆହତ ହୋଇଛନ୍ତି।
କିଶନଗଙ୍ଗା ନଦୀ କୂଳରେ ପାକିସ୍ତାନ ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରିଥିବାରୁ ପ୍ରତିଶୋଧ ନେବାକୁ ଡଡନିଆଲକୁ ଟାର୍ଗେଟ କରାଯାଇଥିଲା। ଏହା ପୂର୍ବରୁ ଅନୁପ୍ରବେଶ ବିରୋଧୀ ଅଭିଯାନ ବେଳେ ପାଞ୍ଚ ଜଣ ଆତଙ୍କବାଦୀ ନିହତ ହୋଇଥିଲେ | ପାଞ୍ଚଜଣ ଅନୁପ୍ରବେଶକାରୀଙ୍କୁ ନିପାତ କରିବା ପରେ ଏବେ ମଧ୍ୟ ଅପରେସନ ଜାରି ରହିଛି ବୋଲି ସେନା ପକ୍ଷରୁ କୁହାଯାଇଥିଲା | ନିହତ ହୋଇଥିବା ପାଞ୍ଚ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ତିନିଜଣ ଜାମ୍ମୁ କାଶ୍ମୀରର ଏବଂ ଅନ୍ୟ ଦୁଇଜଣ ଜୈଶ୍-ଏ-ମହମ୍ମଦ ଦ୍ୱାରା ତାଲିମ ନେଇଥିଲେ ବୋଲି ସୂଚନା ମିଳିଥିଲା।