Odisha news

ନିଜ ଘର

0

ଦେବସ୍ମିତା ବେହେରା : ଘର ଭିତରକୁ ପଶୁ ପଶୁ ଅରୁପ ଯେତେବେଳେ ଦେଖିଲା ଗୁଡୁକୁ କାନ୍ଥରେ ପେନ୍ସିଲ୍ରେ କିଛିଟା ଆଙ୍କୁଥିବାର ଦେଖିଲା ସେତେବେଳେ ତା’ର ପିତ୍ତ ଚଢିଗଲା ମୁଣ୍ଡ ଉପରକୁ । ରାଗରେ ସେ ପୁରା ଫଁ..ଫଁ ହେବାକୁ ଲାଗିଲା । ଆଉ ମୂହୁର୍ତ୍ତଟେ ବି ବିଳମ୍ବ ନକରି ସିଧା ଯାଇ ଠାଏକିନା ଚଟ୍କଣାଟେ ବଜେଇ ଦେଲା ତା’ର ନରମ ନରମ ଗାଲରେ । ବିଚରା ଗୁଡୁ । ଏମିତି ଅତର୍କିତ ଆକ୍ରମଣରେ ସ୍ତବ୍ଧ ହେଇଗଲା ସେ କ୍ଷଣକ ପାଇଁ ତା’ପରେ ଗାଲକୁ ଆଉଁସି ଭେଁକିନା ରଡି କରି କାନ୍ଦିଲା ଆଉ ଦଉଡିକି ଯାଇ ଗଡି ପଡିଲା ଜେଜେ ସଚ୍ଚିଦାନନ୍ଦଙ୍କ କୋଳରେ ।
ହଠାତ୍ ରୁମ୍ ଭିତରକୁ ରୂପାଲୀ ପଶି ଆସି ଅରୁପକୁ ପାଟି କଲେ ଗୁଡୁକୁ ମାରିବା ପାଇଁ । ସ୍ତ୍ରୀଙ୍କ କଥା ଶୁଣି ଅରୁପର କ୍ରୋଧରେ ସତେ ଯେମିତି ଘିଅ ଢାଳି ଦେଲା କିଏ । ସେ ରାଗରେ ରୂପାଲୀକୁ ଦିପଦ ଶୁଣେଇ ଦେଇ ଟିକିଏ ଏକୁଟିଆ ଛାଡି ଦେବା ପାଇଁ କହି ଧମ୍ କରି ବସି ପଡିଲା ସୋଫାରେ । ତା’ପରେ ଆଖି ବନ୍ଦ କରି ସେ ଫେରିଗଲା ଅତୀତକୁ..ତା’ ପିଲାଦିନର ଗଳି କନ୍ଦିକୁ ।

ପିଲାଟି ଦିନରୁ ଅରୁପ ରହି ଆସିଥିଲା ଭଡା ଘରେ । ସବୁବେଳେ ବାପା ମା’ଙ୍କ ତାଗିଦ ଭିତରେ ବିତିଗଲା ତା’ର ଆଉ ତା’ ଦୁଇ ଭଉଣୀଙ୍କ ଅଧା ଜୀବନ କି ଭଡା ଘରେ କାନ୍ଥରେ କିଛି ଲେଖନି,ଟାଇଲ୍ ଉପରେ ଜୋର୍ରେ ଡିଅଁନି,କାଚ ଝରକା ଜୋର୍ରେ ଖୋଲନି..,ଘର ଭିତରେ ଖେଳନି..ଏବଂ ଆହୁରି କେତେ କ’ଣ ? ସେ ସବୁବେଳେ ମନେ ମନେ ଭାବେ ସେ ବଡ ହେଲେ ନିଜର ଗୋଟିଏ ଘରଟିଏ କରି ଆରାମରେ ରହିବ.. ଯେଉଁଠି କିଛି କଟକଣା ନଥିବ । ସେ ସବୁ କିଛି କରି ପାରିବ ସ୍ୱଚ୍ଛନ୍ଦରେ ।

ତେଣୁ ଗ୍ରାଜୁଏସନ୍ କଲା ପରେ ସେ ଚାକିରୀ କରିବା ଆରମ୍ଭ କରିଦେଲା । ଟିକିଏ ଟିକିଏ ଟଙ୍କା ଜମା କରିବାକୁ ଲାଗିଲା ସେ । ଯେତେବେଳେ ସେ ତା’ ଚାକିରୀରେ ଗୋଟିଏ ଭଲ ପଦବୀରେ ପହଞ୍ଚôଲା । ଆଉ ତା’ ଜମା ଟଙ୍କା ମଧ୍ୟ ଆଖି ଦୃଶିଆ ହେଇ ସାରିଥିଲା । ସେତେବେଳେ ତାକୁ ଲାଗିଲା କି ଏବେ ସେ ଘରଟିଏ ନିଶ୍ଚୟ କରି ପାରିବ । ତା’ ବାପା ସଚ୍ଚିଦାନନ୍ଦ ବାବୁ ତାଙ୍କ ଚାକିରୀ କାଳ ଭିତରେ ଘରଟିଏ କରିବାରେ ସକ୍ଷମ ହେଇ ପାରି ନଥିଲେ । ତେଣୁ ସେ ସଚ୍ଚିଦାନନ୍ଦଙ୍କର ରିଟାୟରମେଣ୍ଟ ଲବ୍ଧ ଅର୍ଥରୁ କିଛି ନିଜ ଜମା ଅର୍ଥରେ ମିଶାଇ କିଣିଲା ଏଇ ଘରଟିକୁ । ପ୍ରାୟ ଛଅ ମାସ ତଳେ ସେ କିଣିଥିଲା ଘରଟିକୁ । ଯେତେବେଳେ ସେ ଭଡା ଘରେ ଥିଲା ସେତେବେଳେ ସେ ତା’ର ଚାରି ବର୍ଷର ପୁଅକୁ ମଧ୍ୟ ତାଗିଦ୍ କରୁଥିଲା ସେମିତି ଯେମିତି ପିଲାଦିନେ ତାକୁ ତା’ ବାପା ମା’ ତାଗିଦ୍ କରୁଥିଲେ ।

ହଠାତ୍ ତା’ର ମନେ ପଡିଗଲା ଗୃହ ପ୍ରବେଶ ଦିନର ଦୃଶ୍ୟ । କେତେ ନୀରିହ ଭାବରେ ଗୁଡୁ ପଚାରିଥିଲା, ‘ଡାଡି..,ମୁଁ ଏବେ ଏଇ ଘରେ ମନଇଛା ଖେଳି ପାରିବି ତ’ ?

ତା’ କଥା ଶୁଣି ହସି ହସି କହିଥିଲା ଅରୁପ,‘ହଁ..ବାବା,ଏଇଟା ତୋ ନିଜ ଘର । ଏଇଠି ତୋର ଯାହା ଇଛା ତାହା କରିବୁ । ତତେ କେହି କିଛି କହିବେନି’ ।

ସତେ ଯେମିତି କଣ୍ଟାଟିଏ ଫୋଡି ହୋଇଗଲା ତା’ ଛାତିରେ । ତାକୁ ବହୁତ ଖରାପ ଲାଗିଲା । ହଁ..ନୂଆ ଘରଟାର କାନ୍ଥରେ ଗୁଡୁକୁ ଚିତ୍ର କରିବାର ଦେଖି ତା’ ଦେହରେ ନିଆଁ ଲାଗି ଯାଇଥିଲା । ହେଲେ ଏଥିରେ ଗୁଡୁର ଭୂଲ୍ କ’ଣ ? ଏଇଟା ତ ତା’ ନିଜ ଘର । ସେ ନିଜ ଘର କାନ୍ଥରେ ଚିତ୍ର ଆଙ୍କି ବନି ତ କ’ଣ ପଡିଶା ଘର କାନ୍ଥରେ ଚିତ୍ର ଆଙ୍କିବ ? ସେ ନିଜେ ହିଁ ତ ତାକୁ କହିଥିଲା ଯାହା ଇଛା ତାହା କରିବା ପାଇଁ । ସେ ମନସ୍ତାପ କରିବାକୁ ଲାଗିଲା ଗୁଡୁକୁ ମାରିଥିବା ପାଇଁ । ତା’ ରାଗ ୟା ଭିତରେ ଶାନ୍ତ ହୋଇ ଯାଇଥିଲା । ସେ ସୋଫାରୁ ଉଠି କାନ୍ଥ ପାଖକୁ ଗଲା ଯେଉଁଠି କିଛି ସମୟ ପୂର୍ବରୁ ଚିତ୍ର ଆଙ୍କୁଥିଲା । ସେ ଦେଖିଲା କାନ୍ଥରେ ଗୁଡୁ ତା’ର ଚିତ୍ର କରି ତଳେ ଲେଖିଛି,“ମାଇଁ ଡାଡି ଇଜ୍ ବେଷ୍ଟ୍” । ନିଜକୁ ଆଉ ସମ୍ଭାଳି ପାରିଲାନି ଅରୁପ! ଦଉଡି ଯାଇ କୋଳେଇ ନେଲା ଗଡୁକୁ ।

 

Leave A Reply

Your email address will not be published.