କୋଦଳା : (Susanta Kumar Pattnayak ) କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନେବା ସହିତ ସଚେତନତା କରାଯାଉଛି। ବାହାରକୁ ଗଲେ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ ସହ ଘରକୁ ଫେରିଲେ ସାବୁନ୍ ଦ୍ବାରା ଭଲକରି ହାତ ଧୋଇବାକୁ କୁହାଯାଇଛି। ଏପରିକି ବିନା ମାକ୍ସରେ ଯେଉଁ ଲୋକ ବୁଲୁଥିବା ବେଳେ ପୋଲିସ ଆଗରେ ଧରା ପଡନ୍ତି ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି। ତଥାପି ଲୋକେ ସୁଧୁରୁ ନଥିବା ଦେଖିବାକୁ ମିଳୁଛି ।ଖାସ୍ କରି ଗ୍ରାମାଞ୍ଚଳର ଲୋକେ ଆଦୌ ସଚେତନ ହେଉ ନଥିବା ଦେଖିବାକୁ ମିଳୁଛି। ଗଂଜାମ ଜିଲ୍ଲାରେ କରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ବେଗୁନିଆପଡ଼ା ଅଞ୍ଚଳର ଗାଁ ମାନଙ୍କରେ ଲୋକମାନେ ଭେଳା ଭେଳା ହୋଇ ବୁଲୁଥିବା ବେଳେ ବିନା ମାକ୍ସରେ ରହୁଛନ୍ତି। ବିନା କାରଣରେ ଆଡ୍ଡା ଜମାଉଥିବା ଦେଖିବାକୁ ମିଳୁଛି ।
କ୍ୱାରାନଟାଇନରେ ରହି ଫେରିଥିବା ପ୍ରବାସୀ ମାନଙ୍କୁ ହୋମ କ୍ୱାରାନଟାଇନରେ ୭ ଦିନ ରହିବାକୁ ପରାମର୍ଶ ଦିଆଯାଇଛି। କିନ୍ତୁ ଏହି ନିର୍ଦ୍ଦେଶକୁ କେହି ମାନୁ ନାହାଁନ୍ତି। କୋଭିଡ୍ ୧୯ ନିୟମକୁ ପାଳନ କରିବା ପାଇଁ ଶତକଡା ୮୦ ଭାଗ ଲୋକକଂର ସୁବିଧା ନାହିଁ। ସମସ୍ତେ ଭୂଲି ଯାଇଛନ୍ତି ଯେ, କରୋନା ସଭିଙ୍କ ଦ୍ବାର ମୁହଁରେ ନୃତ୍ୟ କରୁଛି ଏବଂ କେତେବେଳେ କାହାକୁ ନୃତ୍ୟରେ ଛନ୍ଦି ନେଇଯିବ ସେ କଥା କେହି ଭାବି ପାରୁ ନାହାନ୍ତି। ଗ୍ରାମାଞ୍ଚଳର ଦୋକାନୀ ମାନେ କେବେ ବି ସାମାନ୍ୟତମ ଭାବେ କୋଭିଡ୍ ନିୟମକୁ ମାନୁ ନାହାଁନ୍ତି। ଏବେ ହାତଧୁଆ ଓ ସାନିଟାଇଜ୍ କୁ ଲୋକେ ଭୂଲି ଗଲେଣି। ଗାଁ ର କିଛି ଲୋକ ଯଦିଓ ବଜାରକୁ ମାକ୍ସ ପିନ୍ଧି ଯାଉଛନ୍ତି କିନ୍ତୁ ମାକ୍ସ ନାକ ତଳେ, ଓଠ ତଳେ ଥିବା ଦେଖିବାକୁ ମିଳୁଛି। ଗ୍ରାମାଞ୍ଚଳର ଶତକଡା ୮୦ ଭାଗ ଦୋକାନ ଖୋଲା ରହୁଛି। ଔଷଧ ଦୋକାନ ଗୁଡିକରେ ମଧ୍ୟ ସାମାଜିକ ଦୂରତାକୁ ଉଲଘଂନ କରାଯାଉଥିବା ଦେଖିବାକୁ ମିଳୁଛି ।ତହସିଲଦାର, ପୋଲିସ୍ ଗାଡି ଦେଖିଲେ ଲୋକେ ଲୁଚି ଯାଉଛନ୍ତି କିନ୍ତୁ ୫ମିନଟ୍ ପରେ ପୁଣି ବାହାରେ ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି। ପ୍ରତିଦିନ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗ୍ରାମାଞ୍ଚଳର ଲୋକେ କୋଭିଡ୍ ନିୟମକୁ ମାନୁ ନଥିବାରୁ ଆଗକୁ ଆହୁରି ଭୟାନକ ପରିସ୍ଥିତି ହୋଇପାରେ ବୋଲି ଅନୁମାନ କରାଯାଉଛି।