Odisha news

ବାଲିଗୁଡ଼ାରେ ଧୁମ୍‌ଧାମରେ ପାଳିତ ହେଲା ଶିଶୁ ଦିବସ , ନେହେରୁଙ୍କ ଜୟନ୍ତୀରେ ଶୋଭାଯାତ୍ରାରେ କମ୍ପିଲା ସହର

0
 (ସଞ୍ଜୟ କୁମାର ପାଣିଗ୍ରାହୀ): ଶିଶୁଙ୍କ ହସ, ଖୁସି ଓ ଉତ୍ସାହରେ ମୁଖରିତ ହୋଇଉଠିଲା ବାଲିଗୁଡ଼ା ସହର। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଜୟନ୍ତୀ ଅବସରରେ ସମଗ୍ର ଦେଶରେ ପାଳିତ ହେଉଥିବା ଶିଶୁ ଦିବସ ବାଲିଗୁଡ଼ା ସମେତ ଏହାର ଆଖପାଖ ଅଞ୍ଚଳରେ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ବାଲିଗୁଡ଼ା ଟାଉନର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ନିଜ ନିଜ ବିଦ୍ୟାଳୟ ନିକଟରେ ଏକତ୍ରିତ ହୋଇ ଏକ ବିରାଟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ହାତରେ ବିଭିନ୍ନ ସଚେତନତାମୂଳକ ବାର୍ତ୍ତା ଓ ନେହେରୁଙ୍କ ସମ୍ପର୍କିତ ସ୍ଲୋଗାନ ମାନ ଦେଇ ଛାତ୍ରଛାତ୍ରୀମାନେ ସମଗ୍ର ସହର ପରିକ୍ରମା କରିଥିଲେ। ଶିଶୁଙ୍କ ଉତ୍ସାହପୂର୍ଣ୍ଣ ଉପସ୍ଥିତିରେ ସହରରେ ଏକ ଉତ୍ସବ ମୁଖର ପରିବେଶ ସୃଷ୍ଟି ହୋଇଥିଲା। ଶୋଭାଯାତ୍ରା ବଜାର ଛକ ନିକଟରେ ପହଞ୍ଚିବା ପରେ ସେଠାରେ ଥିବା ପଣ୍ଡିତ ଜବାହରଲାଲ ନେହେରୁଙ୍କ ପ୍ରତିମୂର୍ତ୍ତି ନିକଟରେ ଦୀପ ଓ ଧୂପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଏଥିସହ ଛାତ୍ରଛାତ୍ରୀ ଓ ଉପସ୍ଥିତ ବ୍ୟକ୍ତିମାନେ ନେହେରୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରି ତାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇଥିଲେ। ଅନ୍ୟପକ୍ଷରେ ବିଭିନ୍ନ ବିଦ୍ୟାଳୟ ପରିସରରେ ଶିଶୁ ଦିବସ ଉପଲକ୍ଷେ ଚିତ୍ରାଙ୍କନ, ବକ୍ତୃତା, ରଚନା ଓ ଅନ୍ୟାନ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀମାନେ ଏସବୁ ପ୍ରତିଯୋଗିତାରେ ଉତ୍ସାହର ସହ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ପରେ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶିଶୁ ମାନେ ହେଉଛନ୍ତି ଦେଶର ଭବିଷ୍ୟତ। ସେମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ, ସୃଜନଶୀଳତାର ପ୍ରସାର ଓ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି କରିବା ହିଁ ଶିଶୁ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଦିବସ ପାଳନ ମାଧ୍ୟମରେ ଶିଶୁଙ୍କ ଅଧିକାର, ସୁରକ୍ଷା ଓ ସାମଗ୍ରିକ ବିକାଶ ପ୍ରତି ସମାଜର ଦାୟିତ୍ୱକୁ ପୁଣିଥରେ ମନେ ପକାଇ ଦିଆଯାଇଛି।
Ad2
Leave A Reply