Odisha news

ମଧୁବାବୁ ପେନ୍‌ସନ୍‌ ଯୋଜନାର ନୂତନ ପୋର୍ଟାଲ୍‌ ଶୁଭାରମ୍ଭ : ୨୨୮ ନୂତନ ହିତାଧିକାରୀଙ୍କୁ ମିଳିଲା ପେନ୍‌ସନ୍‌

0
(ସଞ୍ଜୟ କୁମାର ପାଣିଗ୍ରାହୀ): ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼, ସ୍ୱଚ୍ଛ ଓ ଲୋକାଭିମୁଖୀ କରିବା ଦିଗରେ ବାଲିଗୁଡ଼ାରେ ଆଉ ଏକ ପଦକ୍ଷେପ ନିଆଯାଇଛି। ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଡିଜିଟାଲ୍‌ ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବା ଲକ୍ଷ୍ୟରେ ୟୁନିଫାଏଡ୍‌ ପେନ୍‌ସନ୍‌ ମ୍ୟାନେଜମେଣ୍ଟ ପୋର୍ଟାଲ୍‌ (UPMP)ର ଶୁଭାରମ୍ଭ ସହ ନୂତନ ଭାବେ ସ୍ୱୀକୃତିପ୍ରାପ୍ତ ୨୨୮ ଜଣ ହିତାଧିକାରୀଙ୍କୁ ପେନ୍‌ସନ୍‌ ବଣ୍ଟନ କରାଯାଇଛି।
ବାଲିଗୁଡ଼ା ବ୍ଲକ୍‌ ସ୍ତରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସାମାଜିକ ସୁରକ୍ଷା ଯୋଜନାରେ ଡିଜିଟାଲ୍‌ ପ୍ରଯୁକ୍ତିର ଉପଯୋଗକୁ ଏକ ନୂଆ ଦିଗ ଦେଇଛି। ନୂତନ ପୋର୍ଟାଲ୍‌ ମାଧ୍ୟମରେ ପେନ୍‌ସନ୍‌ ଆବେଦନ, ହିତାଧିକାରୀଙ୍କ ତଥ୍ୟ ଯାଞ୍ଚ, ଅନୁମୋଦନ ଏବଂ ପେନ୍‌ସନ୍‌ ବଣ୍ଟନ ପ୍ରକ୍ରିୟାକୁ ଅଧିକ ସରଳ ଓ ସ୍ୱଚ୍ଛ କରାଯାଇପାରିବ। ଏହାଦ୍ୱାରା ପ୍ରଶାସନିକ ସ୍ତରରେ ଅଯଥା ବିଳମ୍ବ ହ୍ରାସ ପାଇବା ସହ ପ୍ରକୃତ ଯୋଗ୍ୟ ହିତାଧିକାରୀ ଠିକ୍‌ ସମୟରେ ସରକାରୀ ସହାୟତା ପାଇପାରିବେ ବୋଲି ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ। ବିଶେଷକରି ବୟସ୍କ, ବିଧବା, ଦିବ୍ୟାଙ୍ଗ ଓ ଆର୍ଥିକ ଦୃଷ୍ଟିରୁ ଅସହାୟ ଲୋକଙ୍କ ପାଇଁ ପେନ୍‌ସନ୍‌ କେବଳ ଏକ ସରକାରୀ ସହାୟତା ନୁହେଁ, ବରଂ ଏହା ସେମାନଙ୍କ ଜୀବନର ଏକ ପ୍ରମୁଖ ଆର୍ଥିକ ଆଧାର। ତେଣୁ ଯୋଗ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କରି ଯୋଜନାରେ ସାମିଲ କରିବା ସହ ସେମାନଙ୍କୁ ନିୟମିତ ଭାବେ ପେନ୍‌ସନ୍‌ ଯୋଗାଇଦେବା ଉପରେ ଏହି ନୂତନ ବ୍ୟବସ୍ଥା ଗୁରୁତ୍ୱ ଦେବ ବୋଲି କୁହାଯାଇଛି। ଏହି ଅବସରରେ ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସ, ସାଂସଦଙ୍କ ପ୍ରତିନିଧି ରଞ୍ଜିତ କୁମାର ସାହୁ, ବାଲିଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ମିଶାବତୀ କହଁର, ବାଲିଗୁଡ଼ା ଏନ୍‌ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଡେପୁଟି କଲେକ୍ଟର ସଞ୍ଜୀବ କୁମାର ରୂପାମାଝୀ , ବାଲିଗୁଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ , ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିବଶଙ୍କର ସମରଥ  ଏବଂ ଉପମଣ୍ଡଳ ସାମାଜିକ ସୁରକ୍ଷା ଅଧିକାରୀ ମମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ନୂତନ ପୋର୍ଟାଲ୍‌ର ଶୁଭାରମ୍ଭ କରିଥିଲେ। ଏଥିସହ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି, ପିଆର୍‌ଆଇ ସଦସ୍ୟ ଓ ପଞ୍ଚାୟତ ସମିତି ସଭ୍ୟମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ଥିଲା ନୂତନ ହିତାଧିକାରୀଙ୍କୁ ପେନ୍‌ସନ୍‌ ବଣ୍ଟନ। ବାଲିଗୁଡ଼ା ବ୍ଲକ୍‌ର ୧୭୦ ଜଣ ଏବଂ ବାଲିଗୁଡ଼ା ଏନ୍‌ଏସିର ୫୮ ଜଣଙ୍କୁ ମିଶାଇ ମୋଟ ୨୨୮ ଜଣ ନୂତନ ହିତାଧିକାରୀଙ୍କୁ ପେନ୍‌ସନ୍‌ ପ୍ରଦାନ କରାଯାଇ ଥିଲା। ଦୀର୍ଘଦିନ ଧରି ସାମାଜିକ ସୁରକ୍ଷା ସହାୟତା ଅପେକ୍ଷାରେ ଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ଯୋଜନାରେ ସାମିଲ କରାଯିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମତପ୍ରକାଶ ପାଇଥିଲା। ତେବେ ନୂତନ ପୋର୍ଟାଲ୍‌ର ସଫଳତା କେବଳ ଶୁଭାରମ୍ଭରେ ସୀମିତ ନରହି ଯୋଗ୍ୟ ହିତାଧିକାରୀଙ୍କୁ ନିର୍ଦ୍ଧାରିତ ସମୟରେ ନିୟମିତ ପେନ୍‌ସନ୍‌ ପହଞ୍ଚାଇବାରେ କେତେଦୂର ସହାୟକ ହେଉଛି, ତାହା ଆଗାମୀ ଦିନରେ ଏହାର ପ୍ରକୃତ ସଫଳତା ନିର୍ଦ୍ଧାରଣ କରିବ। ତୃଣମୂଳ ସ୍ତରରେ ସାମାଜିକ ସୁରକ୍ଷାର ସୁଫଳ ପହଞ୍ଚାଇବା ଦିଗରେ ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇପାରିବ ବୋଲି ଆଶା ପ୍ରକାଶ ପାଇଛି।
Ad2
Leave A Reply