ବାଲିଗୁଡା, 5/7.ଚଳିତ ବର୍ଷ ବୋଲବମ ଭକ୍ତଙ୍କୁ ଶ୍ରାବଣ ମାସରେ ଜଳଲାଗି କରିବା ପାଇଁ ଶୌବପୀଠକୁ ବାରଣ କରାଯାଇଛି । ପ୍ରତ୍ୟେକ ବର୍ଷ କାଉଡ଼ିଆ ମାନେ ଶ୍ରାବଣ ମାସରେ ଜଳଭାର ଧରି ଶିବ ମନ୍ଦିରକୁ ଯାଇଥାନ୍ତି । କୋଭିଡ଼-୧୯କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଧାର୍ମିକ କାର୍ଯ୍ୟ ଉପରେ ରୋକ୍ ଲଗାଇଛନ୍ତି । ଏ ନେଇ ଶନବାର ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ତେବେ ବର୍ତ୍ତମାନର କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି କାଉଡ଼ିଆ ଭକ୍ତ ମାନଙ୍କୁ ବିଭିନ୍ନ ନଦୀରୁ ଜଳ ଭାର ନେଇ ଶୌବ ପୀଠକୁ ଜଳଲାଗି କରିବା ଉପରେ ରୋକ ଲଗାଯାଇଛି । ସ୍ଥାନୀୟ ବାଲିଗୁଡା ସହର ସମେତ ଆଖ ପାଖ ବିଭିନ୍ନ ଗ୍ରାମାଞ୍ଚଳରୁ ପ୍ରତ୍ୟେକ ବର୍ଷ ପ୍ରାୟ ଶତାଧିକ ବୋଲବମ କମିଟି ପକ୍ଷରୁ ୧୦ ହଜାରରୁ ଉର୍ଦ୍ଧ୍ୱ କାଉଡ଼ିଆ ବିଭିନ୍ନ ପବିତ୍ର ନଦୀରୁ ପାଣି ଭାର ନେଇ ବିଭିନ୍ନ ଶୈବ ପୀଠରେ ଜଳାଭିଷେକ କରୁଥିଲେ ।
ତେବେ ଚଳିତ ବର୍ଷ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିଥିବାରୁ କାଉଡିଆ ଭକ୍ତ ମାନଙ୍କୁ ବାରଣ କରାଯାଇଛି । ଜଳଲାଗି ନକରିବା ନେଇ କାଉନିଆଙ୍କ ମନରେ ଯେତିକି କଷ୍ଟ ତା’ ଠାରୁ ଯଥେଷ୍ଟ ପରିମାଣରେ ଖୁସି ଯେ, କରୋନାକୁ ମୁକାବିଲା କରିବା ଲାଗି ପ୍ରଶାସନର ଉଦ୍ୟମ ପ୍ରଂଶସନୀୟ ବୋଲି ସ୍ଥାନୀୟ ଅଂଚଳର କିଛି କାଉଡ଼ିଆ ଭକ୍ତ କହିଛନ୍ତି । ଏଥି ସହ ଅଞ୍ଚଳର ସମସ୍ତ ଶୌବପୀଠ ମନ୍ଦିର କମିଟି ମାନଙ୍କୁ ଏ ନେଇ ଚିଠି ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି । ଏହାକୁ ଅବମାନନା କରି କୌଣସି କାଉଡ଼ିଆ ଭକ୍ତ ଜଳଲାଗି କଲେ ସଂପୃକ୍ତ କାଉଡ଼ିଆ ଭକ୍ତ ଓ ମନ୍ଦିର ପୂଜକ ବିରୋଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।