ବେତନଟୀ : ଆଜି ବେତନଟୀ ରେଞ୍ଜରେ ପହଞ୍ଚି ଓଡିଶା ବନ୍ୟପ୍ରାଣୀ ପ୍ରଧାନମୁଖ୍ୟ ବନ ସଂରକ୍ଷକ ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ହରିଶଙ୍କର ଉପାଧ୍ୟାୟ ବେତନଟୀ ବନପାଳ କ୍ଷେତ୍ରର ହନୁମାନ ମନ୍ଦିର ନିକଟରେ ଚିହ୍ନଟ ହୋଇ ଥିବା ନୂତନ ହାତୀ ଚଲାପଥ, କୃଷ୍ଣଚନ୍ଦ୍ରପୁର ବନପାଳ କ୍ଷେତ୍ର ଅଧୀନରେ ରାଗଧା ଠାରେ ଚିହ୍ନଟ ହୋଇ ଥିବା ନୂତନ ହାତୀ ଚଲାପଥ ଓ ବଡାମପୁର ବନପାଳ କ୍ଷେତ୍ର ଅଧୀନରେ ଖୋଳା ଯାଇ ଥିବା ଟ୍ରେଞ୍ଚକୁ ପରିଦର୍ଶନ କରି ଥିବାର ଜଣା ପଡିଛି । ତାଙ୍କ ସହିତ ବାରିପଦା ଡିଏଫଓ ସ୍ୱୟମ ମଲ୍ଲିକ, ଶିମିଳିପାଳ ଡେପୁଟୀ ଡାଇରେକ୍ଟର ଯଜ୍ଞଦତ୍ତ ପତି, ବାଲେଶ୍ୱର ଡିଏଫଓ ବିଶ୍ୱରାଜ ପଣ୍ଡା ପ୍ରମୁଖ ଥିଲେ । ବେତନଟୀ ବ୍ଲକର ଜାତୀୟ ରାଜପଥ ୧୮ର ଆଗ୍ରିଆ ଛକ ପୂର୍ବରୁ ଥିବା ହନୁମାନ ମନ୍ଦିର ନିକଟରେ ହାତୀ ଚଲାପଥକୁ ନେଇ ଫଳକ ଲଗାଇଛି ବନ ବିଭାଗ । ଏହା ଛଡା ରାଗଧା ନିକଟରେ ମଧ୍ୟ ଫଳକ ଲଗା ଯାଇଛି । ରାଗଧା ନିକଟରେ ହାତୀ ମାନେ ଏହି ରାସ୍ତା ଦେଇ ଜାତୀୟ ରାଜପଥ ପାର ହେଉ ଥିବା ବେଳେ ବେତନଟୀରେ ଏହି ରାସ୍ତା ଦେଇ ଜାତୀୟ ରାଜପଥ ଓ ରେଳ ଧାରଣା ଉଭୟକୁ ପାର ହୋଇ ଥାଆନ୍ତି । ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଆଜି ଏହି ଦୁଇଟି ହାତୀ କରିଡୋରକୁ ମଞ୍ଜୁରୀ ପ୍ରଦାନ କରା ଯିବା ସହିତ ଏଠାରେ ଫଳକ ଲଗା ଯାଇ ଥିବାର ଜଣା ପଡିଛି ।
ମୁଖ୍ୟ ଅତିଥି ଭାବେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଯୋଗ ଦେଇ ଥିଲେ । ୨୦୧୦ ମସିହାରୁ ଦେଉଳି ଓ ରାସଗୋବିନ୍ଦପୁର ରେଞ୍ଜ ଦେଇ ବେତନଟୀ ରେଞ୍ଜକୁ ଶହ ଶହ ଝାଡଖଣ୍ଡି ହାତୀ ଆସୁଛନ୍ତି । ଏମାନେ ବେତନଟୀରେ ରହଣୀ ସମୟରେ ବ୍ୟାପକ କ୍ଷୟକ୍ଷତି କରନ୍ତି । କିନ୍ତୁ ଏହି ହାତୀପଲ ଗୁଡିକ ରାସ୍ତା ପାର ହେଉ ଥିବା ବେଳେ ବିପଦ ରହିଛି ତେଣୁ ସୂଚନା ଫଳକ ବନ ବିଭାଗ ଲଗାଇଛି । ଡିଭିଜନ ହାତୀ ମନିଟରିଂ ରେଞ୍ଜ ଅଧିକାରୀ ରବିନାରାୟଣ ମହାନ୍ତି, ବେତନଟୀ ରେଞ୍ଜ ଅଧିକାରୀ ଘନଶ୍ୟାମ ସିଂ, ବନପାଳ ସୁଶାନ୍ତ କୁମାର ବାଗ, ବନପାଳ ଶିରୀଶ ଦଳେଇ ଓ ଅନ୍ୟମାନେ ଆଜିର ଏହି ଦିବସଟିକୁ ପାଳନ କରିବା ସହିତ କାର୍ଯ୍ୟକ୍ରମର ସଂଯୋଜନା କରି ଥିବାର ଜଣା ପଡିଛି । ଏହି ଦିବସ ଉପଲକ୍ଷେ ବେତନଟୀ ବ୍ଲକର ନାଖରାରେ ଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଫୋର୍ଡ, ଅଗ୍ରଣୀ ମହିଳା ସଂଗଠନ ପଦ୍ମମାଳି, ବେତନଟୀ ବ୍ଲକ ସାମ୍ବାଦିକ ସଂଘ ତରଫରୁ ପରିବେଶ ସଚେତନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଫୋର୍ଡର ସମ୍ପାଦକ ସନ୍ତୋଷ କୁମାର ଖଣ୍ଡା, ପଦ୍ମମାଳି କାର୍ଯ୍ୟକାରୀ ସଭାପତି ଗୀତାଞ୍ଜଳୀ ଭୂୟାଁ, ସାଧାରଣ ସମ୍ପାଦିକା ପ୍ରଭାତୀ ମହାନ୍ତି, କୋଷାଧ୍ୟକ୍ଷା ବିନୋଦିନୀ ମହାନ୍ତ, ସାମ୍ବାଦିକ ସଂଘର ସଭାପତି ରଞ୍ଜନ କୁମାର ମହାନ୍ତି, ସର୍ବେଶ୍ୱର ମହାନ୍ତ, ଅଜୟ କୁମାର କର, ପ୍ରଦୀପ କୁମାର ମହାପାତ୍ର, ଗତିକୃଷ୍ଣ ମହାନ୍ତ, କମଳଲୋଚନ କର ଓ ଅନ୍ୟମାନେ ଏହି କାର୍ଯ୍ୟକ୍ରମ କରିଛନ୍ତି ।