ତିହିଡି,୧୩/୦୫. ତିହିଡି ବ୍ଲକ ଅନ୍ତର୍ଗତ ମହରମପୁର ପଞ୍ଚାୟତର ସାଟିବାଟି ଗାଁର ୧୫,୧୬ ଓ ୧୭ ନମ୍ବର ୱାର୍ଡର ଲୋକେ ସେମାନଙ୍କ ଗାଁରେ ରିଲିଫ ଚାଉଳ ଓ ଡାଲି ବଣ୍ଟନ କରିବାକୁ ବିଡିଓଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଏଥିସହ ସେମାନେ ଏହି ଘଟଣା ସଂପର୍କରେ ଜିଲାପାଳ, ଉପ ଜିଲାପାଳ, ପିଡି ଓ ଜିଲା ଯୋଗାଣ ଅଧିକାରୀଙ୍କୁ ମଧ୍ୟ ଲିଖିତ ଭାବେ ଅବଗତ କରାଇଛନ୍ତି । ସେମାନଙ୍କ ଗାଁଟି ପଞ୍ଚାୟତ ଅଫିସ ଠାରୁ ପ୍ରାୟ ୪/୫କି.ମି ଦୂର ହୋଇଥିବା ଓ ସଂପ୍ରତି ସର୍ବତ୍ର ଲକଡାଉନ ଜାରିଥିବା କାରଣରୁ ସେମାନେ ପଞ୍ଚାୟତ ଅଫିସକୁ ଯାଇ ରିଲିଫ ଚାଉଳ ଆଣିବା ସମ୍ଭବପର ନୁହେଁ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି ।
ପୂର୍ବରୁ ମିଳିଥିବା ରାଶନ ଚାଉଳ ଓ ଟଙ୍କା ସେମାନଙ୍କ ଗାଁରେ ବଣ୍ଟାଯାଇଥିବା ବେଳେ ଏବେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଗାଁରେ ରିଲିଫ ଚାଉଳ ଓ ଡାଲି ବାଣ୍ଟିବାକୁ ରାଜି ହେଉନାହାନ୍ତି । ଫଳରେ ଗାଁର ଭିନ୍ନକ୍ଷମ, ବୃଦ୍ଧ/ବୃଦ୍ଧା ଓ ମହିଳା ମାନେ ଏତେଦୂରକୁ ଯାଇ ସାମଗ୍ରୀ ଆଣିବା ସେମାନଙ୍କ ଲାଗି କଷ୍ଟକର ହୋଇପଡିଛି । ତେଣୁ ସେମାନଙ୍କ ରିଲିଫ ସାମଗ୍ରୀ ଗାଁରେ ବଣ୍ଟନ କରିବାକୁ ସୁମତି ଜେନା, ମାମିନା ଜେନା, ଶକୁନ୍ତଳା ଜେନା, ବାସନ୍ତୀ ଜେନା, ଜୟନ୍ତୀ ଜେନା, କମଳା ଜେନା, ଅନ୍ନପୂର୍ଣ୍ଣା ଜେନା, ମାଳତୀ ଜେନା, ଭକ୍ତହରି ବେହେରା, ମହେଶ୍ୱର ପୁଷ୍ଟି, ଅନ୍ତର୍ଯ୍ୟୋମୀ ଆଚାର୍ଯ୍ୟ, ପ୍ରଫୁଲ ସେଠୀ, ଦେବାଶିଷ ପଣ୍ଡା ଓ ଦୁର୍ଯ୍ୟୋଧନ ପତି ପ୍ରମୁଖ ଶତାଧିକ ପୁରୁଷ ଓ ମହିଳା ଦାବି କରିଛନ୍ତି ।