Odisha news

୫ଦଫା ଦାବି ନେଇ ସିପିଏମ୍ ପକ୍ଷରୁ ବିଡିଓଙ୍କୁ ସ୍ମାରକପତ୍ର

0

ତିହିଡି,୧୩/୦୫. କରୋନା ମହାମାରୀ ଲାଗି ଏବେ ସମଗ୍ର ଦେଶରେ ଲକଡାଉନ ଜାରି ରହିଥିବା ଯୋଗୁଁ ସାଧାରଣ ଗରିବ ଓ ଶ୍ରମଜୀବୀ ଶ୍ରେଣୀର ଲୋକେ ଅତ୍ୟନ୍ତ ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି । ଏପରିସ୍ଥିତିରେ ସରକାର ସେମାନଙ୍କୁ ସହାୟତାର ହାତ ବଢାଇବାକୁ ସିପିଏମ୍ ତିହିଡି ଆଞ୍ଚଳିକ କମିଟି ପକ୍ଷରୁ ଦାବି କରାଯାଇଛି । ଏହି ମର୍ମରେ ଦଳର କର୍ମକର୍ତ୍ତାମାନେ ଏକ ୫ଦଫା ସମ୍ବଳିତ ଦାବିପତ୍ର ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ।

ଦାବି ଗୁଡିକ ମଧ୍ୟରେ ଇନକମ୍ ଟେକ୍ସ ଦେବାକୁ ପଡୁନଥିବା ପରିବାରକୁ ୩ମାସ ଲାଗି ୭ହଜାର ୫ଶହ ଟଙ୍କାର ରିଲିଫ ପ୍ରଦାନ, ପ୍ରତି ପରିବାର ସଦସ୍ୟଙ୍କୁ ୬ ମାସ ଯାଏଁ ୧୦ କିଗ୍ରା, ଚାଉଳ କିମ୍ବା ଗହମ ପ୍ରଦାନ, ପ୍ରବାସୀ ଶ୍ରମିକ, ଗରିବ ଲୋକ ଓ କୃଷି ଶ୍ରମିକ ମାନଙ୍କୁ ୩ଶହ ଟଙ୍କା ମଜୁରିରେ ୨ଶହ ଦିନର କାମ ଯୋଗାଇଦେବା, କେନ୍ଦ୍ର ସରକାରଙ୍କ ଦ୍ୱାରା ଶ୍ରମିକଙ୍କ ଲାଗି ଧାର୍ଯ୍ୟ କରାଯାଇଥିବା କାମ କରିବାର ସମୟ ୮ଘଣ୍ଟାରୁ ୧୨ ଘଣ୍ଟା ଯାଏଁ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ଓ ସବୁ ଶ୍ରେଣୀର ଶ୍ରମିକଙ୍କ ମଜୁରି ମାସିକ ଅତିକମ୍ରେ ୧୮ ହଜାର ଟଙ୍କା କରାଯିବା ଆଦି ଅନ୍ତର୍ଭୁକ୍ତ । ବରିଷ୍ଠ ସିପିଏମ ନେତା ପ୍ରଫୁଲ ପାଢୀ, ବିଷ୍ଣୁ ଦାସ, ନିର୍ମଳଚନ୍ଦ୍ର ଦଲେଇ, ସତ୍ୟବ୍ରତ କୁଣ୍ଡ, ଶ୍ରୀଧର ଜେନା, କୃଷ୍ଣଚନ୍ଦ୍ର ମଳିକ, ପିତାମ୍ବର ମଳିକ ଓ ଜ୍ୟୋର୍ତିମୟ ମଳିକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ ।

Leave A Reply