Odisha news

ପିପିଲି : ଯାତ୍ରା ଜଗତରେ କୋରନାର ବଡ ପ୍ରଭାବ ଚିନ୍ତାରେ ମାଲିକ,କଳାକାର ଓ କର୍ମଚାରୀ

0

ପିପିଲି-ସାରାବିଶ୍ୱରେ କୋରନା ଭୟର ପ୍ରଭାବ ସବୁଠି ଘାରିଛି । ଏହି ରୋଗ ସଂକ୍ରମିତ ନହେବା ନେଇ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ମାନ ନେଇଛନ୍ତି । ତେବେ ମନୋରଂଜନର ପ୍ରମୁଖ ମାଧ୍ୟମ ଯାତ୍ରା ଜଗତ ଉପରେ କୋରନାର ବଡ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି । ସାଧରଣତଃ କଳାକାର ମାନେ ଅଭିନୟ କରି ତାଙ୍କର ପରିବାର ଭରଣ ପୋଷଣ କରିଥାନ୍ତି । ଠିକ୍ ଯାତ୍ରା ବ୍ୟବସାୟ ସମୟରେ ହିଁ କୋରନା ସଂକ୍ରମିତ ରୋଗ ଆସିବା କାରଣରୁ ଯାତ୍ରା ପାର୍ଟି ସବୁ ବନ୍ଦ ହୋଇଯାଇଛି ।ଯାହା ଫଳରେ କଳାକାର ମାନେ ନାହୀଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ମାଲିକଙ୍କ ଠାରୁ ଆରମ୍ଭ କରି କଳାକାର ଓ କର୍ମଚାରୀଙ୍କ ପର୍ଯ୍ୟନ୍ତ ଭାଙ୍ଗି ପଡିବା ସହ ମୁଣ୍ଡରେ ହାତ ଦେଇ ବସିଛନ୍ତି । କେବେ ଏହି କୋରନା ବିପଦରୁ ମୁକ୍ତି ମିଳିବ ଯାତ୍ରା ଜଗତରେ ଅଭିନୟ ପୁଣି ଆରମ୍ଭ ହେବ ଖୁବ ଅନିଶ୍ଚିତତା ଭିତରେ ଚିନ୍ତାରେ ରହିଛନ୍ତି । । କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ ଠାରୁ ଆରମ୍ଭ କରି ବଡ ବଡ ଶିଳ୍ପ ଉପରେ କୋରନା ଚଡକ ପଡିଛି । ସାଧାରଣତଃ ଖଣ୍ଡଗିରି ଯାତ୍ରା ମହାକୁମ୍ଭ ପରଠାରୁ ଯାତ୍ରା ସିଜିନ୍ ଆରମ୍ଭ ହୋଇଥାଏ । ପରେ ଫାଲଗୁନ ମାସରେ ଦୋଳ ପୂର୍ଣ୍ଣିମା ଓ ବାରୁଣୀ ସ୍ନାନ ସମୟରେ ପ୍ରାୟତଃ ଗ୍ରାମାଚଂଳରେ କମିଟି ମାଧ୍ୟମରେ ଯାତ୍ରା ପରି ବେଷଣ ହୋଇଥାଏ । ଫଗୁଣ, ଚୈତ୍ର ଓ ବୈଶାଖ ମାସ ଗୁଡିକ ଯାତ୍ରା ବ୍ୟବସାୟର ପ୍ରମୁଖ ଦିନ ହୋଇଥାଏ । ଏହି ସମୟ ଭିତରେ ବର୍ଷକର ରୋଜଗାର ଆୟ କରିବା ପରେ ବର୍ଷା ଋତୁରେ ନୂଆ ଯାତ୍ରା ନାଟକର ରିୟଲସଲ୍ ଚାଲେ । କିନ୍ତୁ ଚଳିତ ବର୍ଷ ଖଣ୍ଡଗିରି ଯାତ୍ରା ଶେଷ ହେଉ ହେଉ ମହାମାରୀ କରୋନା ସଂକ୍ରମିତ ହୋଇ କାୟା ବିସ୍ତାର କଲା । କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ ଲକ୍ ଡାଉନ ଓ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଗଲା । ଏହାକୁ ନେଇ ସବୁ ଗାଁରେ ପ୍ରଶାସନ ପକ୍ଷରୁ ଦୋଳ ମେଲଣକୁ ବାତିଲ ଓ ବନ୍ଦ କରାଗଲା । ଯେଉଁ ସମୟରେ ଯାତ୍ରା ହେବା କଥା, ସେହି ସମୟରେ ଯାତ୍ରା ହେବାର ସବୁ ରାସ୍ତା ବନ୍ଦ ହୋଇଗଲା । ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି, ଚଳିତ ଯାତ୍ରା ସିଜିନ୍ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଯାତ୍ରାପାର୍ଟି ମାନେ ଅଗ୍ରୀମ ଟଙ୍କା ରଖିଥିବା ବେଳେ ଅନେକ ବଡ ନାମଜାଦା କଳାକାରମାନଙ୍କୁ ବି ଅଗ୍ରୀମ ଦରମା ଦିଆ ସରିଛି । ଏପରେ ଯାତ୍ରା ହେବାର କୌଣସି ସମ୍ଭାବନା ନାହିଁ । ଅନ୍ୟଏକ ବଡକଥା ହେଉଛି, ବିଭିନ୍ନ ଅନୁଷ୍ଠାନମାନେ ଆର୍ଥିକ କ୍ଷତି ଦର୍ଶାଇ ଯାତ୍ରା କରାଇବେନି ଓ ଲକ୍ ଡାଉନ୍ ପରେ ଅନୁଷ୍ଠାନ ମାନଙ୍କୁ ଯାତ୍ରାପାର୍ଟି ନେଇଥିବା ଅଗ୍ରୀମ ଟଙ୍କା ଫେରାଇବାକୁ ପଡିବ । ତେବେ ସ୍ଥିତି ସୁୁଧୁରିବା ପରେ ଯାତ୍ରା ଶିଳ୍ପ ଯେ ତୁରନ୍ତ ମୁଣ୍ଡ ଟେକି ଛିଡା ହେବ ତାହାର କୌଣସି ସମ୍ଭାବନା ନାହିଁ ବୋଲି ଜଳଜଳ ହୋଇ ଦିଶୁଛି । ଏଭଳି ସମୟରେ ବ୍ୟବସାୟ ନଥିବାରୁ ପାର୍ଟିର ଶହ ଶହ କଳାକାର ଓ କର୍ମଚାରୀଙ୍କୁ ଦରମା କିଭଳି ଦିଆଯିବ ତାହା ବି ଚିନ୍ତାଜନକ ବିଷୟ ପାଲିଟିଛି । ରାଜ୍ୟରେ ହଜାର ହଜାର କଳାକାର, ଟେକ୍ନିସିଆନ, ଡ୍ରାଇଭର ଠୁ ନେଇ ସାଧାରଣ କର୍ମଚାରୀମାନେ ଯାତ୍ରାପାର୍ଟିରୁ ଟଙ୍କା ନେଇ ପରିବାର ଚଳାନ୍ତି । ଗତବର୍ଷ ଏହି ସମୟରେ ଫନୀ ହୋଇଥିବା ବେଳେ ଯାତ୍ରା ଜଗତ ବେଶ୍ ଆର୍ଥିକ କ୍ଷତି ପହଂଚାଇଥିଲା । ବର୍ଷକ ଭିତରେ ମୁଣ୍ଡ ଟେକି ଛିଡା ହେଉଥିବା ବେଳେ ଯାତ୍ରା ଶିଳ୍ପ ଉପରେ ଏବେ କୋରନା ଚଡକ ଚିନ୍ତାରେ ପକାଇଛି । ରାଜ୍ୟ ସରକାର ସମସ୍ତ ଧନି ଗରିବଙ୍କ କଥା ବିଚାରକୁ ନେଇ ବୁଝୁଥିବା ବେଳେ ଏହି ଯାତ୍ରା ଜଗତର ଘଟଣାକୁ ସକରାତ୍ମକ ବିଚାର କରିବା ଆବଶ୍ୟକ ରହିଛି ବୋଲି ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟର ପରିଚାଳକ ମଧୁସୁଦନ ପ୍ରଧାନ କହିଛନ୍ତି ।

Leave A Reply