Odisha news

ଚଣ୍ଡିଖୋଲ କୁ ଫେରିଲା ନରହନ୍ତା ହାତୀ: ବନବିଭାଗକୁ ତୀବ୍ର ବିରୋଧ

0

ଚଣ୍ଡିଖୋଲ,୨୮ା୧ – ଯାଜପୁର ଜିଲାର ଦାନଗଦୀ, ସୁକିନ୍ଦା ଓ କୋରେଇ ବ୍ଲକରେ ୪ଜଣଙ୍କୁ ପାଦରେ ଦଳି ମାରିବା ପରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ହାତୀକୁ ମଙ୍ଗଳବାର ଚଣ୍ଡିଖୋଲକୁ ଅଣାଯାଇଥିବାରୁ ସାଧାରଣରେ ଆତଙ୍କ ପ୍ରକାଶ ପାଇଛି । ଫଳରେ ଲୋକେ ବନବିଭାଗର ଏତାଦୃଶ କାର୍ଯ୍ୟକୁ ତୀବ୍ର ବିରୋଧ କରିଛନ୍ତି । ଯାହାକୁ ନେଇ ଏବେ ବନବିଭାଗ ଓ ଜନସାଧାରଣଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଆତଙ୍କ ସୃଷ୍ଟି କରିଥିବା ଏହି ହାତୀକୁ ସୋମବାର ଦିନ ଦାନଗଦୀ ବ୍ଲକ ଅନ୍ତର୍ଗତ କଣ୍ଟିପୁର ଠାରୁ ଟା୍ରଙ୍କୁଲାଇଜର ସାହାର୍ଯ୍ୟରେ କାବୁ କରି କଟକ ଜିଲା ଟାଙ୍ଗି ଅଞ୍ଚଳର କୁସୁନପୁର ଜଙ୍ଗଲରେ ଛାଡ଼ିବା ପାଇଁ ବନବିଭାଗ ନେଇଥିବା ବେଳେ ସେଠାରେ ଲୋକଙ୍କ ତୀବ୍ର ପ୍ରତିବାଦ ସମୁଖୀନ ହୋଇଥିଲା । ଫଳରେ ବନବିଭାଗ ସେହି ଗାଡ଼ିରେ ଯାଜପୁର ଜିଲା ଚଣ୍ଡିଖୋଲ ନିକଟବର୍ତ୍ତୀ ମହାବିନାୟକ ଜଙ୍ଗଲର ସରକାରୀ ନର୍ସରୀରେ ମଙ୍ଗଳବାର ଆଣି ରଖିଛନ୍ତି । ଏହି ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି । ନରହନ୍ତା ହାତୀଟିକୁ ଶିକୁଳି ମାଧ୍ୟମରେ ବନ୍ଧା ଯାଇ ସେହି ଟ୍ରକ ଉପରେ ରଖାଯାଇଛି । ତେବେ ସ୍ଥାନୀୟ ନର୍ସରୀରେ ଜେସିବି ମେସିନ ସାହାର୍ଯ୍ୟରେ ଗାଢ ଖୋଳାହେଉଥିବାରୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ବନବିଭାଗ ଉପରେ ସନେ୍ଦହ ସୃଷ୍ଟି ହୋଇଛି । ବନବିଭାଗ ହାତୀଟିକୁ ଚିକିତ୍ସା ପାଇଁ ଏଠାକୁ ଆଣିଥିବା ସୂଚନା ଦେଉଥିବା ବେଳେ ସାଧାରଣ ଲୋକଙ୍କର ଏହି କଥା ପ୍ରତି ବିଶ୍ୱାସ ହେଉନାହିଁ । ତେବେ ଯଦି ଏଠାରେ ହାତୀକୁ ଛଡ଼ା ଯାଏ, ଜନଆନେ୍ଦାଳନ ସୃଷ୍ଟି ହେବ ବୋଲି ସ୍ଥାନୀୟ ଗ୍ରାମବାସୀ ମତବ୍ୟକ୍ତ କରିଛନ୍ତି । ସୂଚନା ଥାଉକି ସଂପୃକ୍ତ ହାତୀଟି ଗତ କିଛି ଦିନ ତଳେ ଯାଜପୁର ଜିଲା ପ୍ରଶାସନର ନିଦ ହଜାଇ ଦେଇଥିଲା । ଯେଉଁଥି ପାଇଁ ଗୋଟିଏ ଦିନ ପାଇଁ କୋରେଇ ବ୍ଲକର ସମସ୍ତ ସ୍କୁଲକୁ ଛୁଟି ଘୋଷଣା ହୋଇଥିଲା । ପରେ ଏହି ହାତୀକୁ ଏଠାରୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ବାଧ୍ୟ ହୋଇଥିଲା । ଏହି ନରହନ୍ତା ହାତୀକୁ କେହି ପାଖଷର ଦେଖିବାକୁ ଚାହୁ ନଥିବା ବେଳେ ତାକୁ ଏଠାକୁ ଅଣାଯିବା କେତେଦୂର ଯୁକ୍ତିଯୁକ୍ତ ତାହା ପ୍ରଶ୍ନବାଚୀ ହୋଇଛି । ଏ ସଂପର୍କରେ ବୈରୀ-ଡାଳିଜୋଡ଼ା ରେଞ୍ଜର ମନୋରଂଜନ ସ୍ୱାଇଁଙ୍କୁ ପଚାରିବାରେ ସେ କୁହନ୍ତି ହାତୀକୁ ଚିକିତ୍ସା କରିବା ପାଇଁ ଏଠାକୁ ଅଣାଯାଇଛି । ଚିକିତ୍ସା ପରେ ସ୍ଥାନାନ୍ତର କରାଯିବ ।

Leave A Reply

Your email address will not be published.