ବୁଗୁଡା : ଗଞ୍ଜାମ ଜିଲ୍ଲା, ବୁବୁଡା ବ୍ଲକ ଅନ୍ତର୍ଗତ କାନସାରଳା ସେବାଶ୍ରମର ପାଚେରୀ କୁ ଫେବୃୟାରୀ ୬ ତାରିଖ ଭୋର ସମୟରେ ଏକ ଦନ୍ତାହାତୀ ଠେଲି ଭାଙ୍ଗିଦେବା ପରେ ସ୍କୁଲ ଭିତରେ ପଶି କଦଳୀ ଗଛ ସହ ଅନ୍ୟାନ୍ୟ ଗଛ ଭାଙ୍ଗି ନଷ୍ଟ କରିଥିବା ବେଳେ ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡିଛି। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ସେବାଶ୍ରମରେ ଆଦିବାସୀ ଓ ହରିଜନ ବାଲିକାମାନେ ଛାତ୍ରୀ ନିବାସରେ ରହି ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିବା ପାଇଁ ବ୍ୟବସ୍ଥା ରହିଅଛି। କରୋନା ଯୋଗୁଁ ଛାତ୍ରୀମାନେ ନିଜ ଘରକୁ ଚାଲିଯାଇ ଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି ଶବର, ଅନ୍ୟ ଜଣେ ଶିକ୍ଷକ ଓ ରୋଷେଇଆ ଦୁଇଜଣ ରହିଥିଲେ। ଗତ ରାତ୍ର ଭୋର ପ୍ରାୟ ୩ ଟା ସମୟରେ ଦନ୍ତାହାତୀ ଶେବାଶ୍ରମ ପାଚେରୀକୁ ଠେଲି ଭାଙ୍ଗି ସ୍କୁଲ ଭିତରେ ପଶିଥିଲା। ଦନ୍ତା ସ୍କୁଲ ପରିସରରେ ଥିବା ସମସ୍ତ କଦଳୀ ଗଛ ନଷ୍ଟ କରିବା ସହ ଅନ୍ୟ ଗଛ ମଧ୍ୟ ନଷ୍ଟ କରି ଦେଇଛି। ସେବାଶ୍ରମ ପରିଶରରେ ଦନ୍ତାହାତୀ ର ରଡିଶୁଣି ସମସ୍ତ କର୍ମଚାରୀ ଭୟଭୀତ ହୋଇ ରହିଥିବା ବେଳେ ଦନ୍ତାହାତୀଟି ପ୍ରାୟ ଦୁଇ ଘଣ୍ଟା ସମୟ ମଧ୍ୟରେ ପରିଶରରେ ଥିବା ଗଛପତ୍ର ଧ୍ୱଂସ କରି ଭୋର ୫ ଟା ସମୟରେ ସ୍କୁଲ ହତାରୁ ବାହାରି ଚାଲିଯାଇଥିଲା। ଏହି ଦନ୍ତାହାତୀଟି କିଛିଦିନ ପୂର୍ବେ ରାମପାଦ ଆଶ୍ରମ ସାଧୁଙ୍କୁ ଶୁଣ୍ଢରେ ଟେକି ଫୋପାଡ଼ି ଦେଇଥିବା ବେଳେ ସାଧୁଙ୍କ ଜଙ୍ଘ ହାଡ଼ ଭାଙ୍ଗି ବ୍ରହ୍ମପୁରରେ ଚିକିତ୍ସା ହେଉଛନ୍ତି। ଏହି କାରଣ ଯୋଗୁଁ ସ୍କୁଲ କର୍ମଚାରୀ ବୃନ୍ଦ ଅତ୍ୟନ୍ତ ଭୟଭୀତ ହୋଇଥିବା ବେଳେ ଖବର ପାଇ ସିଆରସିସି ଆଶୁତୋଷ ମିଶ୍ର ସକାଳେ ସେବାଶ୍ରମରେ ପହଞ୍ଚି ବିଇଓ ଦାୟିତ୍ୱରେ ଥିବା ପ୍ରମୋଦ ଚନ୍ଦ୍ର ସେନାପତିଙ୍କୁ ସମସ୍ତ ବିଷୟ ଅବଗତ କରାଇଥିଲେ। ଆଦିବାସୀ ଅଞ୍ଚଳରେ ଜଙ୍ଗଲ ମଧ୍ୟରେ ଏହି ସେବାଶ୍ରମଟି ରହିଥିବା ଯୋଗୁଁ ଛାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେବାଶ୍ରମର ପାଚେରୀ କୁ ସୁଦୃଢ଼ ପିଲର ଦେଇ ନିର୍ମାଣ କରିବା ଜରୁରୀ ହୋଇପଡ଼ିଛି।
Comments are closed.