ଭୋଗରାଇ- ଜାପାନର ରାଜଧାନୀ ଟୋକିଓ ନିକଟସ୍ଥ ଆଟକୁ ସହରରେ ଥିବା ଏବ ଘରୋଇ ହୋଟେଲରେ ରୋଷେୟା ଭାବେ କାର୍ଯ୍ୟ କରୁଥିବା ୨ଜଣ ଓଡ଼ିଆ ଶ୍ରମିକଙ୍କ ବିଷାକ୍ତ ଗ୍ୟାସ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ମୃତୁ୍ୟ ଘଟିଥିବା ଖବର ମିଳିଛି । ମୃତ ଶ୍ରମିକ ଦ୍ୱୟ ହେଲେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ କସବା କମର୍ଦ୍ଦା ଗ୍ରାମର ଶେଖ ମନତାଜ (୪୬) ଓ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବାଲିଚନ୍ଦ୍ରପୁର ଥାନା ପଠାଣମହଲା ବସ୍ତିର ସେଖ୍ ବାରୁଦ୍ଦିନ୍ (୪୫) ମୃତ ୨ ଶ୍ରମିକଙ୍କୁ ସେଠାକାର ପୁଲିସ ଏକ ସରକାରୀ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଇଥିବା ବେଳେ ସେମାନଙ୍କ ଭିସା ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରାଯାଉଛି । ଗତ ୨୯ ତାରିଖ ରାତିରେ ଏହି ଘଟଣା ଘଟିଥିବାବେଳେ ୨ ମୃତ ଶ୍ରମିକଙ୍କ ସମ୍ପର୍କୀୟମାନେ ଖବର ପାଇ ସେଠାକୁ ଯାଇ ଶବ ଚିହ୍ନଟ କରି ଆଜି ସକାଳେ ସେମାନଙ୍କ ଘରକୁ ଖବର ଦେଇଥିଲେ । ଏହି ଘଟଣା ଜଣାପଡ଼ିବା ପରେ ଦୁଇ ମୃତ ଶ୍ରମିକଙ୍କ ପରିବାରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଜାପାନରୁ ଓଡ଼ିଶାକୁ ମୃତଦେହ ଆଣିବା ପାଇଁ ୧୫ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ ହେବବୋଲି ଆକଳନ କରାଯାଇଥିବା ବେଳେ ମୃତକଙ୍କ ପରିବାର ସଦସ୍ୟମାନଙ୍କର ଆର୍ଥିକ ସମ୍ବଳ ନଥିବାରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏହି ଘଟଣାରେ ହସ୍ତକ୍ଷେପ କରି ମୃତ ଶ୍ରମିକ ଦ୍ୱୟଙ୍କ ଶବ ଓଡ଼ିଶାକୁ ଆଣିବା ନିମନ୍ତେ ପଦକ୍ଷେପ ନେବାକୁ ୨ ପରିବାର ପକ୍ଷରୁ ଆକୁଳ ନିବେଦନ କରାଯାଇଛି । ଏହି ଘଟଣା ନେଇ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଓ କେନ୍ଦ୍ର ମନ୍ତ୍ରୀଙ୍କ ନିକଟକୁ ମେଲ୍ ଜରିଆରେ ସୂଚନା ପ୍ରଦାନ ସହ ସହାୟତା ମଗାଯାଇଥିବା ଜଣାଯାଇଛି ।