ପୁରୀ:ପବିତ୍ର ମାଘଶୁକ୍ଳ ସପ୍ତମୀ ତିଥିରେ ସୂର୍ଯ୍ୟଦେବଙ୍କ ଦର୍ଶନ ଲାଗି ପୁରୀବେଳାଭୂମି ଅଞ୍ଚଳ ଓ ଶ୍ରୀମନ୍ଦିର ପରିସର ଲୋକାରଣ୍ୟ ହୋଇଉଠିଥିଲା । ସ୍ୱର୍ଗଦ୍ୱାରଠାରୁ ଦିଗବାରେଣୀ ପର୍ଯ୍ୟନ୍ତ ବେଳାଭୂମି ଅଞ୍ଚଳରେ ବହୁଭକ୍ତ ସୂର୍ଯ୍ୟଦର୍ଶନ ଲାଗି ଅପେକ୍ଷା କରି ରହିଥିଲେ । ଲକ୍ଷାଧିକ ଭକ୍ତ ଓ ବହିରାଗତ ଯାତ୍ରୀ ସୁନ୍ଦରା ଫାଟିବା ପରେ ଉଦିତ ସୂର୍ଯ୍ୟଙ୍କୁ ଦର୍ଶନ କରିଥିଲେ । ହୁଳହୁଳି ଧ୍ୱନିରେ ମହୋଦଧି ତଟ ମୁଖରିତ ହୋଇଉଠିଥିଲା । ଶ୍ରଦ୍ଧାଳୁମାନେ ସମୁଦ୍ରରେ ବୁଡ଼ ପକାଇ ସୂର୍ଯ୍ୟ ପ୍ରଣାମ କରିବା ସହିତ ସୂର୍ଯ୍ୟସ୍ତବ ଗାନ କରୁଥିବା ଦେଖିବାକୁ ମିଳିଥିଲା । ନିରାପଦ ସମୁଦ୍ର ସ୍ନାନ ଲାଗି ଲାଇଫ୍ଗାର୍ଡ ଓ ପୁଲିସ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଥିଲା । ସମୁଦ୍ରସ୍ନାନ ଓ ଉଦିତ୍ ସୂର୍ଯ୍ୟଦର୍ଶନ ପରେ ବହୁ ଭକ୍ତ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉମାନଙ୍କ ଦର୍ଶନ କରିଥିଲେ । ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ବେଢାରେ ଥିବା ସୂର୍ଯ୍ୟମନ୍ଦିରରେ ସୂର୍ଯ୍ୟଦେବଙ୍କୁ ଦର୍ଶନ କରି ଧୂପଦୀପ ଓ ନୈବେଦ୍ୟ ଅର୍ପଣ କରିଥିଲେ । ଭକ୍ତମାନେ ମଧ୍ୟ ନବଗ୍ରହ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । ଭକ୍ତଙ୍କ ସମାଗମରେ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ବେଢା ଲୋକାରଣ୍ୟ ହୋଇଉଠିଥିଲା । ଚନ୍ଦ୍ରଭାଗାଠାରେ ବୁଡ଼ ପକାଇ ଶ୍ରୀକ୍ଷେତ୍ରକୁ ଆସିଥିବା ବହୁ ନରନାରୀ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ଦିନ ତମାମ ଶ୍ରୀମନ୍ଦିରବେଢା ଓ ସିଂହଦ୍ୱାର ଅଞ୍ଚଳରେ ଦର୍ଶନାର୍ଥୀଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା ।