Odisha news

ନେତାଙ୍କ ନିଲମ୍ବନ ଓ କର୍ମୀଙ୍କ ଇସ୍ତଫା ପରେ ନୂଆ ପଦାଧିକାରୀଙ୍କ ଉପରେ ଗୁରୁଦାୟିତ୍ୱ, ନବୀନଙ୍କ ନିର୍ଦ୍ଦେଶରେ କେତେ ଆଗେଇବ ସଂଗଠନ ?

0
ବାଲିଗୁଡ଼ା, ୯/୧୧:(ସଞ୍ଜୟ କୁମାର ପାଣିଗ୍ରାହୀ): ଏକଦା ବାଲିଗୁଡ଼ା ନିର୍ବାଚନମଣ୍ଡଳୀରେ ନିଜର ଦୃଢ଼ ରାଜନୈତିକ ଆଧିପତ୍ୟ ଜାହିର କରିଥିବା ବିଜୁ ଜନତା ଦଳ (ବିଜେଡି) ଏବେ ସାଂଗଠନିକ ଚ୍ୟାଲେଞ୍ଜର ସମ୍ମୁଖୀନ। ଦଳୀୟ ନେତାଙ୍କ ନିଲମ୍ବନ, ଆଗଧାଡ଼ିର କର୍ମୀଙ୍କ ଇସ୍ତଫା ଏବଂ ସାଂଗଠନିକ ଶୂନ୍ୟତା ମଧ୍ୟରେ ପୁଣିଥରେ ଦଳକୁ ତୃଣମୂଳ ସ୍ତରରେ ସକ୍ରିୟ କରିବା ପାଇଁ ଏବେ ନୂଆ ପଦାଧିକାରୀଙ୍କୁ ନେଇ ଆରମ୍ଭ ହୋଇଛି ନୂଆ ଅଭିଯାନ। ତେବେ ଏହି ପ୍ରୟାସ ଦଳକୁ ପୂର୍ବ ସାଂଗଠନିକ ସ୍ଥିତିକୁ ଫେରାଇ ଆଣିପାରିବ କି ନାହିଁ, ତାହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଏକଦା ବାଲିଗୁଡ଼ା ବିଧାନସଭା ଆସନ ବିଜେପିର ଗଡ଼ ଭାବେ ପରିଚିତ ଥିଲା। ୨୦୧୪ ପୂର୍ବରୁ ଲଗାତାର ତିନିଥର ବିଜେପି ଏହି ଆସନ ଦଖଲ କରି ନିଜର ରାଜନୈତିକ ପ୍ରଭାବ ବଜାୟ ରଖିଥିଲା। କିନ୍ତୁ ୨୦୧୪ ମସିହାରେ ବାଲିଗୁଡ଼ା ସହରର ଯୁବ ନେତା ଟୁନା ଦାସ ବିଜେଡିର ନେତୃତ୍ୱ ନେବା ପରେ ନିର୍ବାଚନମଣ୍ଡଳୀର ରାଜନୈତିକ ସମୀକରଣରେ ପରିବର୍ତ୍ତନ ଆସିଥିଲା। ବିଧାନସଭା ଆସନଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ, ଏନ୍‌ଏସି ଓ ବ୍ଲକ ସ୍ତରରେ ମଧ୍ୟ ଦଳ ନିଜର ପ୍ରଭାବ ବିସ୍ତାର କରିବାରେ ସଫଳ ହୋଇଥିଲା।
ଏହାପରେ ବିଜେଡିର ରାଜନୈତିକ ଯାତ୍ରା ଜାରି ରହିଥିଲା। ଲଗାତାର ତିନିଥର ବିଧାନସଭା ଆସନ ହାସଲ କରି ଦଳ ନିଜର ସ୍ଥିତିକୁ ଆହୁରି ମଜଭୁତ କରିଥିଲା। ଗାଁଠାରୁ ସହର ପର୍ଯ୍ୟନ୍ତ ଦଳୀୟ ସଂଗଠନର ବିସ୍ତାର ସହ ଅନେକ ନେତା ଓ କର୍ମୀ ବିଜେଡି ସହ ଯୋଡ଼ି ହୋଇଥିଲେ। ଫଳରେ ଏହି ନିର୍ବାଚନମଣ୍ଡଳୀରେ ଦଳର ଏକ ସୁଦୃଢ଼ ଭିତ୍ତିଭୂମି ଗଢ଼ି ଉଠିଥିଲା। କିନ୍ତୁ ୨୦୨୬ ମସିହାରେ ରାଜ୍ୟସଭା ନିର୍ବାଚନକୁ ନେଇ ଦଳ ଭିତରେ ସୃଷ୍ଟି ହୋଇଥିବା ଅସନ୍ତୋଷ ବାଲିଗୁଡ଼ା ବିଜେଡିର ସାଂଗଠନିକ ସ୍ଥିତିକୁ ଦୋହଲାଇ ଦେଇଥିବା କୁହାଯାଉଛି। ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଅଭିଯୋଗକୁ ନେଇ ବାଲିଗୁଡ଼ା ବିଧାୟକଙ୍କୁ ଦଳରୁ ନିଲମ୍ବନ କରାଯିବା ସହ ନିର୍ବାଚନମଣ୍ଡଳୀର ଯୁବ ନେତା ଟୁନା ଦାସ ଓ ପ୍ରମୋଦ କୁମାର ସାହୁଙ୍କୁ ମଧ୍ୟ ଦଳରୁ ନିଲମ୍ବନ କରାଯାଇ ଥିଲା। ଏହି ଘଟଣା ପରେ ଦଳ ଭିତରେ ଅସନ୍ତୋଷ ବଢ଼ିଥିବା ବେଳେ ଅନେକ ପୁରୁଖା ଓ ଆଗଧାଡ଼ିର କର୍ମୀ ଦଳୀୟ ପଦପଦବିରୁ ଇସ୍ତଫା ଦେବା ସହ ସଂଗଠନଠାରୁ ଦୂରେଇ ଯାଇଥିବା ଚର୍ଚ୍ଚା ହେଉଛି। ଏହି ଘଟଣାର ପ୍ରଭାବ ନିର୍ବାଚନମଣ୍ଡଳୀର ବିଭିନ୍ନ ବ୍ଲକ ଓ ପଞ୍ଚାୟତ ସ୍ତରରେ ଅନୁଭୂତ ହୋଇଥିଲା। ଦୀର୍ଘଦିନ ଧରି ଦଳ ପାଇଁ କାର୍ଯ୍ୟ କରୁଥିବା ଅନେକ କର୍ମୀଙ୍କ ନିଷ୍କ୍ରିୟତା ଓ ଦଳ ଛାଡ଼ିବା ଘଟଣା ସାଂଗଠନିକ ଭିତ୍ତିଭୂମିକୁ ପ୍ରଭାବିତ କରିଥିବା ଆଲୋଚନା ହେଉଛି। ଏକଦା ଯେଉଁ ସଂଗଠନରେ ପ୍ରତ୍ୟେକ ପଞ୍ଚାୟତରେ ଦଳୀୟ କାର୍ଯ୍ୟକଳାପ ଜୋର୍‌ଦାର ରହୁଥିଲା, ସେଠାରେ ଏବେ ପୁଣି ନୂଆକରି ସଂଗଠନ ଗଢ଼ିବାର ଆବଶ୍ୟକତା ଦେଖାଦେଇଛି। ତେବେ କିଛି ମାସର ବ୍ୟବଧାନ ପରେ ବିଜେଡି ପକ୍ଷରୁ ସଂଗଠନକୁ ପୁନର୍ଗଠନ କରିବା ପାଇଁ ପଦକ୍ଷେପ ନିଆଯାଇଛି। ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ବ୍ଲକ ଓ ପଞ୍ଚାୟତ ସ୍ତରରେ ସଭାପତି, ସମ୍ପାଦକଙ୍କ ସମେତ ବିଭିନ୍ନ ପଦପଦବିରେ ନୂଆ ନେତା ଓ କର୍ମୀଙ୍କୁ ଦାୟିତ୍ୱ ଦିଆଯାଇଛି। ପଦବି ପୂରଣ ପରେ ନବନିଯୁକ୍ତ ପଦାଧିକାରୀମାନେ ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଦଳୀୟ ବୈଠକ, ଆଲୋଚନା ଓ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଦଳର ନିୟମ ଓ ନିର୍ଦ୍ଦେଶ ଅନୁଯାୟୀ ତୃଣମୂଳ ସ୍ତରରେ କର୍ମୀଙ୍କୁ ଏକଜୁଟ କରିବା ସହ ସଂଗଠନକୁ ପୁନର୍ବାର ସକ୍ରିୟ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ତେବେ କେବଳ ପଦପଦବି ବଣ୍ଟନ କିମ୍ବା ବୈଠକ ଆୟୋଜନ ଦ୍ୱାରା ଦଳର ପୂର୍ବ ସ୍ଥିତି ଫେରିବ ନାହିଁ। ଏଥିପାଇଁ ପୁରୁଣା କର୍ମୀଙ୍କୁ ପୁଣି ଦଳ ସହ ଯୋଡ଼ିବା, ଅସନ୍ତୋଷ ଦୂର କରିବା, ନୂଆ ପିଢ଼ିର ଯୁବକଙ୍କୁ ସଂଗଠନରେ ସାମିଲ କରିବା ଏବଂ ପ୍ରତ୍ୟେକ ପଞ୍ଚାୟତରେ ଦଳୀୟ କାର୍ଯ୍ୟକଳାପକୁ ନିୟମିତ କରିବା ନୂଆ ପଦାଧିକାରୀଙ୍କ ପାଇଁ ବଡ଼ ଆହ୍ୱାନ ହେବ। ବର୍ତ୍ତମାନ ବାଲିଗୁଡ଼ା ରାଜନୈତିକ ମହଲରେ ମୁଖ୍ୟ ଚର୍ଚ୍ଚା ହେଉଛି, ନବନିଯୁକ୍ତ ପଦାଧିକାରୀମାନେ ପୂର୍ବରୁ ଦଳ ପାଇଁ କାର୍ଯ୍ୟ କରିଥିବା ଅଭିଜ୍ଞ ନେତା ଓ କର୍ମୀଙ୍କୁ କେତେଦୂର ଏକାଠି କରିପାରୁଛନ୍ତି? ଦଳୀୟ ଅସନ୍ତୋଷକୁ ଦୂର କରି ସଂଗଠନରେ ନୂଆ ଉତ୍ସାହ ଭରିବାରେ ସେମାନେ କେତେ ସଫଳ ହେଉଛନ୍ତି? ସବୁଠାରୁ ବଡ଼ କଥା, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଓ ଆଭିମୁଖ୍ୟକୁ ଆଧାର କରି ବାଲିଗୁଡ଼ାରେ ଦଳୀୟ ସଂଗଠନକୁ କେତେଦୂର ଆଗକୁ ନେଇପାରୁଛନ୍ତି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। ପୂର୍ବରୁ ବିଜୟର ଧାରା ଜାରି ରଖିଥିବା ବାଲିଗୁଡ଼ା ବିଜେଡି ଏବେ ସଂଗଠନକୁ ପୁନର୍ବାର ମଜଭୁତ କରିବାର ଚ୍ୟାଲେଞ୍ଜ ସମ୍ମୁଖରେ। ନୂଆ ପଦାଧିକାରୀଙ୍କ ନେତୃତ୍ୱ, ପୁରୁଣା କର୍ମୀଙ୍କ ସହଯୋଗ ଓ ଦଳୀୟ ଏକତା ହିଁ ଆଗାମୀ ଦିନରେ ବାଲିଗୁଡ଼ା ବିଜେଡିର ସାଂଗଠନିକ ଦିଗ ନିର୍ଣ୍ଣୟ କରିବ।
Ad2
Leave A Reply