Odisha news

ଚନ୍ଦ୍ରଭାଗା ତୀର୍ଥରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

0

କୋଣାର୍କ , ପବିତ୍ର ମାଘ ଶୁକ୍ଳ ସପ୍ତମୀ ତିଥି ଅବସରରେ ପବିତ୍ର ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବା ସହ ସୂର୍ଯ୍ୟନାରାୟଣଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି । ଷଷ୍ଠୀ ଅପରାହ୍ନ ବେଳକୁ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗା ମେଳାପଡ଼ିଆ ସମେତ ସମୁଦ୍ର କୂଳ, ଛୋଟାରାମ ବାବା ମଠ, ରଘୁବାବା ମଠ, ଦରିଆ ମହାବୀର ମନ୍ଦିର, ଅବଧୂତ ମଠ, ନବଗ୍ରହ ମନ୍ଦିର ଓ କୋଣାର୍କ ବଜାରର ବିଭିନ୍ନ ସ୍ଥାନରେ ଆସ୍ଥାନ ଜମାଇ ସାରିଥିଲେ । ମେଳାପଡ଼ିଆରେ ସମବେତ ଶ୍ରଦ୍ଧାଳୁ ଖୋଲା ଆକାଶ ତଳେ ମାଟିହାଣ୍ଡିରେ ଭାତ ଡ଼ାଲମା ପ୍ରସ୍ତୁତ କରି ଖାଇବାପରେ ହାଣ୍ଡିଭଙ୍ଗା ପୁଷ୍କରିଣୀଣିରେ ରନ୍ଧାହାଣ୍ଡିକୁ ବିସର୍ଜନ କରିଥିଲେ । ମଙ୍ଗଳବାର ମାଘ ଶୁକ୍ଳ ଷଷ୍ଠୀ ରାତି ୯ଟାରୁ ୯ଟା ୨୦ମଧ୍ୟରେ ମାଧିପୁରର ବାବା ଶ୍ରୀ ଶ୍ରୀ ତ୍ରିବେଣିଶ୍ୱର, କୁରୁଜଙ୍ଗର ଦକ୍ଷିଣେଶ୍ୱର ଓ ସନ୍ଥପୁରର ଈଶାଣେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମାମାନଙ୍କୁ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଅଣାଯାଇ ରାତି ୧୨ଟାରେ କୋଣାର୍କ ଏନଏସି ପୂଜା ମଣ୍ଡପଠାରେ ପହଂଚିଯିବା ପରେ ଶ୍ରୀଜିୟୁମାନଙ୍କ ସ୍ୱତନ୍ତ୍ର ପୂଜା ହୋମ ଓ ଭୋଗ ପ୍ରଦାନ କାର୍ଯ୍ୟ ସଂମ୍ପନ୍ନ ହୋଇଥିଲା । ପରେ ତିନିଠାକୁର ମିଳିତ ଶୋଭାଯାତ୍ରାରେ ଯାଇ ରାତି ୨ଟା ୩୦ରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ସ୍ଥିତ ପୂଜା ମଣ୍ଡପରେ ପହଂଚିଥିଲେ । ପାରମ୍ପରିକ ରୀତିନୀତିରେ ଠାକୁରମାନଙ୍କ ପୂଜା ହୋମ କାର୍ଯ୍ୟ ସମ୍ପନ୍ନପରେ ସପ୍ତମୀ ତିଥିର ୩.୫୦ ର ପ୍ରତୁ୍ୟଷ ମାହେନ୍ଦ୍ର ବେଳାରେ ତୀର୍ଥ ଜଳରେ ଠାକୁରମାନଙ୍କ ମହାସ୍ନାନ କରାଯାଇଥିଲା । ପରେ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ତୀର୍ଥରେ ବୁଡ ପକାଇଥିଲେ । ସୂର୍ଯ୍ୟ ଦେବଙ୍କୁ ଦର୍ଶନ କରିବା ପାଇଁ ସମୁଦ୍ର ବେଳାଭୂମିରେ ଲକ୍ଷାଧିକ ଶ୍ରଦ୍ଧାଳୁ ଅପେକ୍ଷା କରିଥିବା ବେଳେ ୁଁ ନିର୍ଦ୍ଧାରିତ ସମୟରେ ସୂର୍ଯ୍ୟ ଦେବଙ୍କୁ ଦର୍ଶନ କରି ପାରିନଥିଲେ । ୬.୪୫ ରେ ସୂର୍ଯ୍ୟ ଦେବ ଉଦିତ ହୋଇ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ । ସେହି ସମୟରେ ବେଳାମାର୍ଗ ହରିବୋଲ ଓ ହୁଳହୁଳି ରେ ପ୍ରକମ୍ପିତ ହୋଇ ଆଧ୍ୟାତ୍ମିକ ପରିବେଷ ସୃଷ୍ଟି ହୋଇଥିଲା । ପରେ ଶ୍ରଦ୍ଧାଳୁ ମାନେ କୋଣାର୍କ ଅଭିମୁଖେ ଯାଇ ନବଗ୍ରହଙ୍କୁ ପୂଜାର୍ଚନା କରିଥିଲେ । ମାଘମେଳା ଉପଲକ୍ଷେ ଷଷ୍ଠୀ ଓ ସପ୍ତମୀ ଦୁଇଦିନ ଧରି ସୂର୍ଯ୍ୟମନ୍ଦିର ମଧ୍ୟକୁ ପ୍ରବେଶ ଶୁଲ୍କ ଛାଡ଼ କରାଯାଇଥିଲା । ଶାମ୍ବ ଦଶମୀ ତିଥିରେ ଅବଧୂତ ମଠ ପରିସରରୁ ଚନ୍ଦ୍ରଭାଗା ତୀର୍ଥକୁ ଯାଇଥିବା ସୂର୍ଯ୍ୟରଥଯାତ୍ରା ୨୭ଟି ନକ୍ଷତ୍ରରେ ମିତ୍ରାଦିତ୍ୟଙ୍କୁ ପୂଜାର୍ଚ୍ଚନାପରେ ମାଘ ଶୁକ୍ଳ ସପ୍ତମୀରେ ଛୋଟାରାମ ବାବାଙ୍କ ଆଶ୍ରମରୁ କୋଣାର୍କକୁ ବାହୁଡା ଯାତ୍ରା ସଂପନ୍ନ ହୋଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷାନିମନ୍ତେ ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ପୁରୀ ଏ.ସ୍ପି ଡଃ ଉମାକାନ୍ତ ଦାଶ ଓ ପୁରୀ ଜିଲ୍ଲାପାଳ ବଲ୍ଲବନ୍ତ ସିଂ ମେଳାପଡିଆରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ । ଜିଲା ସଂସ୍କୃତି ବିଭାଗ ପକ୍ଷରୁ ମେଳାପଡ଼ିଆର ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ନିମନ୍ତେ ରାତିତମାମ ବିିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସୁଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ହଜିବା ଖୋଜିବା ମଂଚଞ୍ଚ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାମଚଣ୍ଡୀ,ଚନ୍ଦ୍ରଭାଗା ଓ କୋଣାର୍କରେ ଆସୁ ଚିକିତ୍ସା କେନ୍ଦ୍ର ଖୋଲାଯାଇଥିଲା । କୋଣାର୍କ ଥାନାଧିକାରୀ ରଞନ କୁମାର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନତାରେ ଟା୍ରଫିକର ସୁବ୍ୟବସ୍ଥା କରାଯିବାସହ ଶ୍ରଦ୍ଧାଳୁ ମାନଙ୍କୁ ଶାନ୍ତି ଶୃଙ୍ଖଳାର ସ୍ନାନ ଓ ନବଗ୍ରହ ଦର୍ଶନ କରିବାର ସୁଯୋଗ ପାଇଥିଲେ । ମୋଟାମୋଟି ଭାବରେ ଚଳିତ ବର୍ଷ ଚନ୍ଦ୍ରଭାଗା ବୁଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରାଯାଇଥିବା ଜଣାପଡିଛି ।

Leave A Reply