Odisha news

ପୁଣି ସାମ୍ନାକୁ ଆସିଲା ନିଶାନିବାରଣ କେନ୍ଦ୍ରର ବର୍ବରତା, ଆଇସିୟୁରେ ଅନ୍ତେବାସୀ

0

ବାରିପଦା  : ବାରିପଦା ସହରରେ ପୁଣି ଏକ ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ଅକଥନୀୟ ନିର୍ଯାତନା ଅଭିଯୋଗ, ହସ୍ପିଟାଲରେ ଆଇସିୟୁ ବେଡରେ ମୃତୁ୍ୟ ସହ ସଂଗ୍ରାମ କରୁଛନ୍ତି ଯୁବକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଲିଛି ବାରିପଦା ସହରର ବାରୁଣୀ ରାସ୍ତାର ସୁନାମୂହି ଠାରେ ଥିବା ଉପଦେଷ୍ଟା ନାମକ ଏକ ନିଶା ନିବାରଣ କେନ୍ଦ୍ରରେ । ଏନେଇ ବାରିପଦା ଟାଉନ ଥାନାରେ ଗୁରୁତର ଯୁବକଙ୍କର ବଡଭାଇ ସପନ କୁମାର ସିଟ୍ଙ୍କ ଲିଖିତ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇଥିବାବେଳେ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ଘଟଣା ମୁତାବକ ଝାଡଖଣ୍ଡ ରାଜ୍ୟର ବହଡାଗଡା ଥାନା ଅନ୍ତର୍ଗତ ଜାମୁବଣି ଅଞ୍ଚଳର ନିହାର ରଞ୍ଜନ ସିଟ୍ ନାମକ ଜଣେ ଯୁବକ ନିଶାଦ୍ରବ୍ୟ ସେବନରେ ଅଭ୍ୟସ୍ତ ହୋଇଯାଇଥିବା କାରଣରୁ ପରିବାର ଲୋକେ ଉକ୍ତ ଯୁବକ ଜଣକୁ ଗତ ଏପ୍ରିଲ ମାସ ୨ତାରିଖରୁ ଏହି ଉପଦେଷ୍ଟା ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଯୁବକ ଜଣକ ଭଲ ରାସ୍ତାକୁ ଫେରିବା ପାଇଁ ଏହି ନିଶାନିବାରଣ କେନ୍ଦ୍ରଟି ସହାୟକ ହେବ ବୋଲି ଆଶା ରଖିଥିଲେ ପରିବାର ବର୍ଗ । ହେଲେ କିଛିଦିନ ପୂର୍ବରୁ ନିହାରଙ୍କ ବଡଭାଇ ନିହାର କିଭଳି ପରିସ୍ଥିତିରେ ଅଛନ୍ତି ତାହା ଦେଖିବା ପାଇଁ ଆସିଥିବାବେଳେ ନିଶା ନିବାରଣ କେନ୍ଦ୍ରର ମାଲିକ ଶାନ୍ତନୁ କୁମାର ଦାସ ସିଧାସଳଖ ସାକ୍ଷାତ କରାଇ ଦେଇନଥିବା ବେଳେ ଟିଭିସ୍କ୍ରିନ୍ ମାଧ୍ୟମରେ ଦେଖାଇଥିଲେ ଓ ସେ ସେଠାରୁ ଫେରିଯାଇଥିଲେ । ଗତ ୭ତାରିଖ ରବିବାର ଦିନ ନିହାରଙ୍କ ସହ ଯୋଗାଯୋଗ କରିବା ପାଇଁ ତାଙ୍କ ବଡଭାଇ ଫୋନ୍ କରିଥିଲେ କିନ୍ତୁ ନିଶାନିବାରଣ ଦାୟିତ୍ୱରେ ଥିବା ଜଣେ କର୍ମ·ରୀ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବା କହି କଥା କରାଇନଥିଲେ ଏବଂ ସେ ଔଷଧ ଖାଇ ଶୋଇଛନ୍ତି ବୋଲି କହି ଫୋନ୍ ରଖି ଦେଇଥିଲେ । ଏଥିରୁ ବଡଭାଇ ସପନଙ୍କ ମନରେ ସନେ୍ଦହ ସୃଷ୍ଟି ହେବାରୁ ସେ ସୋମବାର ତାଙ୍କ କିଛି ବନ୍ଧୁଙ୍କ ସହ ଉକ୍ତ ନିଶା ନିବାରଣ କେନ୍ଦ୍ରରେ ଯାଇ ପହଁଚିଥିଲେ । ସେଠାରେ ନିଜଭାଇଙ୍କୁ କ୍ଷତବିଖ୍ୟତ ହୋଇ ଅଚେତ ଅବସ୍ଥାରେ ପଡିଥିବାର ଦେଖି ସପନ ଅବାକ ହେଇଯାଇଥିଲେ ଓ ସଂଗେ ସଂଗେ ଗୁରୁତର ଅବସ୍ଥାରେ ନିଜଭାଇଙ୍କୁ ସେଠାରୁ ବାହାର କରି ବାରିପଦା ପିଆରଏମ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି କରି ସଂଗେ ସଂଗେ ଯାଇ ଟାଉନ ଥାନାରେ ଅଭିଯୋଗ କରିଥିଲେ । ବାରିପଦା ଟାଉନ ଥାନା ଅଧିକାରୀ ଘଟଣାକୁ ଗୁରୁତର ସହ ନେଇ ନିଶାନିବାରଣ କେନ୍ଦ୍ରର ମାଲିକକୁ ଧରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

Leave A Reply