ଅନୁଗୁଳରୁ ପୁଣି ୬ ଜଣ କରୋନା ପଜିଟିଭ୍ ଚିହ୍ନଟ : ପଜିଟିଭ୍ ସଂଖ୍ୟା ୫୬ ରେ ପହଁଚିଲା, ନାଲକୋ ସିଆଇଏସଏଫ୍ ୨୨ ବର୍ଷୀୟ ଯବାନ କରୋନା ଆକ୍ରାନ୍ତ
ଅନୁଗୁଳ: ଅନୁଗୁଳ ଜିଲ୍ଲାରୁ ପୁଣି ୬ ଜଣ କରେନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୬ ଜଣଙ୍କୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬ ରେ ପହଁଚିଲା । ଏମାନଙ୍କ ମଧ୍ୟରେ ଗତ ୧୨ ତାରିଖରେ ଆନ୍ଧ୍ରପ୍ରଦେଶର ବିଜୟନଗରମ ରୁ ନାଲକୋନଗରର ଜଣେ ୨୨ ବର୍ଷୀୟ ସିଆଇଏସଏଫ୍ ଯବାନ ଆସି ସଙ୍ଗରୋଧରେ ଥିଲେ । ତାଙ୍କର ଶନିବାର କରୋନା ପଜିଟିଭ୍ ଚିହ୍ନଟ ହୋଇଛି ।ବଅଁରପାଳ ବ୍ଲକର ଏକ ସଙ୍ଗରୋଧ କେନ୍ଦ୍ରରେ ଜଣେ ୨୭ ବର୍ଷୀୟ ଯୁବକ ଚଳିତ ମାସ ୮ ତାରିଖରୁ ହରିୟାନାରୁ ଆସି ସଙ୍ଗରୋଧରେ ଥିଲେ । ସେହିପରି ଉକ୍ତ ବ୍ଲକ ଅଚଂଳର ଜଣେ ୨୫ ବର୍ଷୀୟ ଯୁବକ ଚଳିତ ମାସ ୧୧ ତାରିଖରୁ ଛତିଶଗଡ଼ରୁ ଆସି ସରକାରୀ କ୍ୱାରେଟାଂଇନରେ ଥିଲେ ।
ପରେ ସେ ଚଳିତ ମାସ ୧୭ ତାରିଖରେ ହୋମ କ୍ୱାରେଟାଂଇନରେ ରହିଥିବା ଅବସ୍ଥାରେ ତାଙ୍କର ନମୁନା ପଜିଟିଭ୍ ବାହାରିଛି । ପ୍ରଶାସନ ଦ୍ୱାରା ସି୍ଥରୀକୃତ ଅନୁଗୁଳ ସହରର ଏକ ହୋଟେଲର ପେଡ୍ କ୍ୱାରେଟାଂଇନ ରେ ଚଳିତ ମାସ ୧୭ ତାରିଖରୁ ଥିବା ଜଣେ ୩୩ ବର୍ଷୀୟ ନୂଆଦିଲ୍ଲୀ ଫେରନ୍ତା ଯୁବକଙ୍କର ସ୍ୱାବ୍ ନମୁନାରୁ ପଜିଟିଭ୍ ବାହାରିଛି । ଚତୁର୍ଥ ପଜିଟିଭ ଜଣଙ୍କ ୧୯ ବର୍ଷୀୟ ଯୁବକ ଚେନାଇରୁ ଫେରି ଅନୁଗୁଳ ବ୍ଲକ ଅଚଂଳର ଏକ ସଙ୍ଗରୋଧ କେନ୍ଦ୍ରରେ ଚଳିତ ମାସ ୧୨ ତାରିଖରୁ ରହିଥିଲେ । ଏହି ୪ ଜଣଙ୍କର କୋଣସି ଲକ୍ଷଣ ନଥାଇ ପଜିଟିଭ ବାହାରିଥିବା ବେଳେ ୫ମ ପଜିଟିଭ ଜଣଙ୍କ ୨୧ ବର୍ଷୀୟ ଯୁବକ କିଶୋରନଗର ବ୍ଲକ ଅଚଂଳର ଏକ ସଙ୍ଗରୋଧ କେନ୍ଦ୍ରରେ ଚଳିତ ମାସ ୧୧ ତାରିଖ ଠାରୁ ହାଇଦ୍ରାବାଦରୁ ଫେରି ରହିଥିଲେ ଓ ତାଙ୍କ ଠାରେ କରୋନା ଲକ୍ଷଣ ଥାଇ ସ୍ୱାବ୍ ନମୁନା ପରୀକ୍ଷାରୁ ସେ ପଜିଟିଭ ଥିବାର ଜଣାପଡିଛିି ।