Odisha news

ଅନୁଗୁଳ : ପ୍ରାକ୍-ଗର୍ଭାବସ୍ଥା ଓ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ସମ୍ପର୍କୀତ ଜିଲ୍ଲା ସ୍ତରୀୟ ପରାମର୍ଶଦାତା କମିଟି ବୈଠକ ; ଘରୋଇ ହସପିଟାଲ ଓ କ୍ଲିନିକ୍ ରେ କରୋନା କର୍ଣ୍ଣର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ

0

ଅନୁଗୁଳ: ଜିଲ୍ଲାରେ ଚାଲୁଥିବା ୧୪ଟି ଅଲଟ୍ରାସାଉଣ୍ଡ କ୍ଲିନିକ୍ ଗୁଠିକରେ ପିସି ଏବଂ ପିଏନଡିଟି ଆଇନର ସଠିକ୍ କାର୍ଯ୍ୟକାରିତାକୁ ନେଇ ଆଜି ଅପରାହ୍ନରେ ଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲା ସ୍ତରୀୟ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପାଳଲହଡା ଓ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟରେ ଓଡିଶା ରାଜ୍ୟ ମେଡିକାଲ ନିଗମ ଦ୍ୱାରା ପ୍ରଦାନ କରାଯାଉଥିବା ଅଲଟ୍ରାସାଉଣ୍ଡ ମେସିନ୍ ସ୍ଥାପନ ନିମନ୍ତେ ଅନୁମତି ପ୍ରଦାନ କରାଗଲା ।

ତାଳଚେର କୋଭିଡ୍ ହସପିଟାଲକୁ ଏକ ନୂତନ ଅଲଟ୍ରାସାଉଣ୍ଡ ମେସିନ୍ର ପଜିଂକରଣକୁ ସର୍ତମୂଳକ ଭାବେ ବୈଧ କରାଗଲା । ପ୍ରତ୍ୟେକ ଘରୋଇ ନର୍ସିିଂହୋମକୁ ତଦାରଖ କରିବା ନିମନ୍ତେ ଏକ ୩ ଜଣିଆ କମିଟି ଯଥା ମେଡିକାଲ ଅଫିସର, ପୁଲିସ ଅଫିସର ଓ ଜଣେ ଏକଜ୍ୟୁକୁଟିଭ ମାଜିଷ୍ଟ୍ରେଟଙ୍କୁ ନେଇ ଗଠନ କରାଗଲା । ଏହି କମିଟି ନିୟମିତ ନର୍ସିିଂହୋମ ଗୁଡିକୁ ପରିଦର୍ଶନରେ ଯାଇ କୋଭିଡ୍-୧୯ ପ୍ରୋଟୋକଲ ସଠିକ୍ ଭାବେ ପାଳନ ହେଉଛି କି ନାହିଁ ତଦାରଖ କରିବେ ଏବଂ କୋ÷ଣସି ଅନିୟମିତତା ପରିଲକ୍ଷିତ ହେଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ଏହାଛଡା ସମ୍ପୃକ୍ତ ଘରୋଇ ହସପିଟାଲ ଓ କ୍ଲିନିକ୍ ଗୁଡିକରେ କରୋନା କର୍ଣ୍ଣର ସଠିକ୍ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ଏହାକୁ ତଦାରଖ କରିବେ । ବୈଠକରେ ଜିଲ୍ଲା ଖଣିଜ ପାଣ୍ଠିରେ ତାଳଚେର ଉପଖଣ୍ଡ ହସପିଟାଲ ପାଇଁ ନୂତନ ଅଲଟ୍ରାସାଉଣ୍ଡ ମେସିନ୍ କିଣିବା ନିମନ୍ତେ ଅନୁମୋଦନ କରାଗଲା । ସମ୍ପ୍ରତି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କନ୍ୟା ସନ୍ତାନ ମାନଙ୍କ ପାଇଁ ଅନୁଷ୍ଠିତ ହେଉଥିବା ସଚେତନତା କାର୍ଯ୍ୟକ୍ରମକୁ ବନ୍ଦ କରାଗଲା । ଜନ୍ମ ମୃତ୍ୟୁ ପଜିଂକରଣ ବ୍ୟବସ୍ଥା ଅନୁଯାୟୀ ଜିଲ୍ଲାରେ ପୁଅ ମାନଙ୍କ ତୁଳନାରେ ଝିଅ ମାନଙ୍କ ସଂଖ୍ୟା ୨୦୧୯ ଜାନୁୟାରୀ ରୁ ଡିସେମ୍ବର ମାସ ମଧ୍ୟରେ ୯୨୨ ଥିବାର ଜଣାପଡିଛି ।

୨୦୨୦ ଜାନୁୟାରୀରୁ ମେ ମାସ ମଧ୍ୟରେ କନ୍ୟା ସନ୍ତାନ ମାନଙ୍କ ସଂଖ୍ୟା ୮୯୦ ରହିଛି । ଖମାର, ତାଳଚେର, ବନ୍ତଳା ଓ କିଶୋରନଗରରେ କନ୍ୟା ସନ୍ତାନ ମାନଙ୍କର ବୃଦ୍ଧି ଉତ୍ସାହଜନକ ଥିବାର ବୈଠକରେ ସୂଚନା ପ୍ରଦାନ କରାଯାଇଥିଲା । ପି ସି ଆଣ୍ଡ ପି ଏନ୍ ଡି ଟିର ପିଏ ପର୍ଶୁରାମ ପଣ୍ଡା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ପ୍ରତାପ କୁମାର ବେହେରା ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ବିଭିନ୍ନ ଅଲଟ୍ରାସାଉଣ୍ଡ କ୍ଲିନିକ୍ ଗୁଡିକର କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ, ଆସିଷ୍ଟାଣ୍ଡ କଲେକ୍ଟର ସୁବ୍ରତ କୁମାର ବେହେରା, ବିଶ୍ୱ ଯୁବକେନ୍ଦ୍ରର ନିଦେ୍ର୍ଦଶକ ମନୋଜ କୁମାର ମହାପାତ୍ରଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନେ ଉପସ୍ଥିତ ଥିଲେ ।

Leave A Reply