କଣ ବାବା ରାମଦେବ ଗିରଫ ହେବେ କି ? ଜୟପୁରରେ ଯୋଗ ଗୁରୁ ରାମଦେବ, ପତଞ୍ଜଳିର ସିଇଓ ଆଚାର୍ଯ୍ୟ ବାଳକୃଷ୍ଣ ଓ ଅନ୍ୟ ୪ ଜଣଙ୍କ ନାଁରେ ଥାନାରେ ଏତଲା
ନୂଆଦିଲ୍ଲୀ:ଶୁକ୍ରବାର ବଳରାମ ଜଖାର ନାମକ ଜଣେ ବ୍ୟକ୍ତି ଜୟପୁରସ୍ଥିତ ଜ୍ୟୋତି ନଗର ପୁଲିସ ଷ୍ଟେସନ୍ରେ ଏହି ମାମଲା ଦାୟର କରିଛନ୍ତି। ଯୋଗ ଗୁରୁ ବାବା ରାମ ଦେବ, ପତଞ୍ଜଳି ଆୟୁର୍ବେଦିକ ସିଇଓ ଆଚାର୍ଯ୍ୟ ବାଳକ୍ରିଷ୍ଣାନ ବୈଜ୍ଞାନିକ ଅନୁରାଗ ବର୍ଶ୍ନେଇ, NIMS(ନିମ୍ସ) ଚେୟାର୍ମ୍ୟାନ୍ ଆଚାର୍ଯ୍ୟ ବଲବୀର ସଂହ ତୋମାର ଏବଂ ନିର୍ଦ୍ଦେଶକ ଅନୁରାଗ ତୋମାରଙ୍କ ନାଁରେ ମାମଲା ରୁଜ୍ଜୁ କରିଛନ୍ତି ବଳରାମ। ଏନେଇ ଜ୍ୟୋତି ନଗର ଥାନା ଏସ୍ଏଚ୍ଓ ସୁଧୀର କୁମାର ଉପାଧ୍ୟାୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଲୋକଙ୍କୁ ଭ୍ରମିତ କରୁଥିବା ଅଭିଯୋଗରେ ଥାନାରେ ମାମଲା ହୋଇଛି ବୋଲି ସେ କହିଛନ୍ତି।
କିଛିଦିନ ତଳେ ପତଞ୍ଜଳି କୋରୋନୀଲ ଆୟୁର୍ବେଦିକ ଔଷଧ ଆବିଷ୍କାର କରି ଏଥିରେ ୭ ଦିନ ଭିତରେ କରୋନା ଭାଇରସ୍ ଭଲ ହେବ ବୋଲି ଦାବି କରିଥିଲା। ଏହାର କିଛି ଦିନ ପରେ ଜୟପୁରରେ ଯୋଗ ଗୁରୁ ରାମଦେବ, ପତଞ୍ଜଳିର ସିଇଓ ଆଚାର୍ଯ୍ୟ ବାଳକୃଷ୍ଣ ଓ ଅନ୍ୟ ୪ ଜଣଙ୍କ ନାଁରେ ଥାନାରେ ଏତଲା ହୋଇଛି।
କୋରୋନୀଲ ଔଷଧ କରୋନା ଭଲ କରିଦେବ କହି ପ୍ରଚାର କରି ରାମ ଦେବ ବାବା ଲୋକଙ୍କୁ ଭ୍ରମିତ କରୁଛନ୍ତି ବୋଲି ଏହି ମାମଲାରେ ଦର୍ଶାଯାଇଛି।
ମଙ୍ଗଳବାର ଯୋଗଗୁରୁ ରାମ ଦେବ ପତଞ୍ଜଳିର କୋରୋନୀଲ ଔଷଧ ଲଞ୍ଚ୍ କରିଥିଲେ। ୭ ଦିନ ଭିତରେ ଏହା କରୋନାକୁ ଭଲ କରିଦେବ ବୋଲି ଦାବି ମଧ୍ୟ କରିଥିଲେ। ଏହାପରେ ଆୟୁଷ ମନ୍ତ୍ରାଳୟ ଔଷଧ ସମ୍ପର୍କରେ ସମସ୍ତ ତଥ୍ୟ ମାଗିବା ସହିତ ଏହାର ପ୍ରଚାର ପ୍ରସାର ଉପରେ ବ୍ୟାନ୍ ଲଗାଇଥିଲା। ସେବେଠାରୁ ଔଷଧକୁ ନେଇ ଦେଶରେ ନାନା ବିବାଦ ଦେଖାଇ ଦେଇଛି।
ଆବେଦନକାରୀ ବଳରାମ ଏନେଇ ସୂଚନା ଦେଇ କହିଛନ୍ତି, “୫ ଜଣଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି। ଅନେକ ଧାରାରେ ଏହି ମାମଲା ରୁଜ୍ଜୁ ହୋଇଛି। ଏଥିରେ ୪୨୦(ଧୋକା ବା ଚିଟିଂ) ଧାରା ବି ସାମିଲ୍ ଅଛି। ”
ତେବେ ଏହା ପୂର୍ବରୁ ବିହାରର ଏକ କୋର୍ଟରେ ଯୋଗ ଗୁରୁ ରାମ ଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ନାଁରେ ଏକ ଅପରାଧୀକ ମାମଲା ହୋଇଥିଲା। ଏଠାରେ ମଧ୍ୟ ଭ୍ରମିତ କରୁଥିବା ଅଭିଯୋଗ ସହିତ କୋରୋନୀଲରେ କରୋନା ଭଲ ହେବ କହି ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ବିପଦରେ ପକାଉଥିବା ଅଭିଯୋଗ ହୋଇଥିଲା। କୋର୍ଟ ଏହି ଶୁଣାଣିକୁ ଜୁନ ୩୦ ଘୁଞ୍ଚାଇ ଦେଇଛନ୍ତି।