Odisha news

ନନ୍ଦିଗ୍ରାମରେ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ

0

କୋଲକାତା : ନନ୍ଦିଗ୍ରାମ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବା ଭାରତୀୟ ଜନତା ପାର୍ଟି(ବିଜେପି) ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ଆଜି ପ୍ରାର୍ଥୀପତ୍ର  ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ଅବସରରେ ବିଜେପି ପକ୍ଷରୁ ନନ୍ଦିଗ୍ରାମରେ ଶକ୍ତି ପ୍ରଦର୍ଶନ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସ୍ମୃତି ଇରାନୀଙ୍କ ସହ ଏକ କିଲୋମିଟର ଦୀର୍ଘ ରୋଡ୍ ସୋ’ରେ ଯାଇ ଶ୍ରୀ ଅଧିକାରୀ ହଲଦିଆ ସବ୍-ଡିଭିଜନାଲ ଅଫିସରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏକଦା ମମତା ବାନାର୍ଜୀଙ୍କ ଏକାନ୍ତ ଅନୁଗତ ଥିବା ଶୁଭେନ୍ଦୁ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଇ ଗତ ଡିସେମ୍ବରରେ ବିଜେପିରେ ସାମିଲ୍‌ ହୋଇଥିଲେ ଏବଂ ମମତାଙ୍କୁ ନନ୍ଦିଗ୍ରାମରୁ ତାଙ୍କ ବିରୋଧରେ ଲଢ଼ିବାକୁ ଆହ୍ବାନ ଦେଇଥିଲେ।

ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟିଏମ୍‌ସି ତରଫରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରି ଆସିଛନ୍ତି। ପୂର୍ବରୁ ୨୦୧୬ ନିର୍ବାଚନରେ ତୃଣମୂଳ ଟିକେଟରେ ଶୁଭେନ୍ଦୁ ଅଧିକାରୀ ନନ୍ଦୀଗ୍ରାମରୁ ୬୭ ପ୍ରତିଶତ ଭୋଟ୍‌ ପାଇ ସିପିଆଇ ପ୍ରାର୍ଥୀ ତଥା ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କୁ ୮୧ ହଜାର ୨୩୦ ଭୋଟ୍‌ରେ ପରାସ୍ତ କରିଥିଲେ। ତେଣୁ ଏଥର ନନ୍ଦିଗ୍ରାମରେ ଅଧିକାରୀ ଓ ବାନାର୍ଜୀଙ୍କ ଭିତରେ କଡ଼ା ଟକ୍କର ହେବ ବୋଲି ଅନୁମାନ କରାଯାଉଛି।

ପୂର୍ବରୁ ବିଜେପିରେ ଯୋଗ ଦେବାପରେ ଅଧିକାରୀ କହିଥିଲେ ଯେ ‌ସେ ନନ୍ଦିଗ୍ରାମରୁ ମମତାଙ୍କୁ ବଡ଼ ବ୍ୟବଧାନରେ ହରାଇବେ । ସେ ନିଜର ଆତ୍ମବିଶ୍ବାସକୁ ଆହୁରି ଦୃଢ଼ କରି ଦୋହରାଇଛନ୍ତି  କି ଦିଦିଙ୍କୁ ସେ ନନ୍ଦୀଗ୍ରାମରୁ ଅତିକମରେ ୫୦ ହଜାର ଭୋଟ୍‌ରେ ପରାସ୍ତ କରିବେ।

ଶୁଭେନ୍ଦୁ ଅଧିକାରୀ ମମତାଙ୍କର ଜଣେ ବିଶ୍ବସ୍ତ ନେତା ଥିଲେ ଓ ଦୀର୍ଘ ୧୦ ବର୍ଷ ଧରି ପଶ୍ଚିମବଙ୍ଗରେ ଟିଏମ୍‌ସି ଶାସନରେ ଗରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ ମମତାଙ୍କ ସହିତ ମନାନ୍ତର ହେବା ପରେ ତୃଣମୂଳ ଛାଡ଼ି ସେ ବିଜେପି‌ରେ ଯୋଗ ଦେଇଛନ୍ତି।

Nalco
Leave A Reply