ତେଲଙ୍ଗାନା : ତେଲଙ୍ଗାନାରେ ଜାନୁୟାରୀ ୨୨ରେ ହୋଇଥିବା ନଗରପାଳିକା ନିର୍ବାଚନର ଭୋଟ ଗଣତି ୨୫ରେ ସରିଛି । ଏଥିରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ପାର୍ଟି ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍ଏସ୍)ର କହିବାକୁ ଗଲେ ଏକତରଫା ବିଜୟ ହୋଇଛି । ଭେମୁଲୱାଡ଼ା ନଗରପାଳିକାର ୧୭ ନଂ ୱାର୍ଡର କଂଗ୍ରେସ ପ୍ରାର୍ଥୀ ନାଗରାନୀ ଇସଲାଭେଲ୍ଲିଙ୍କୁ ଶୂନ ଭୋଟ ମିଳିବା ଖବରକୁ ଦକ୍ଷିଣ ଭାରତୀୟ ଗଣମାଧ୍ୟମରେ ପ୍ରମୁଖତା ଦିଆଯାଇଛି । ତାଙ୍କୁ ଖଣ୍ଡିଏ ହେଲେ ଭୋଟ୍ ନ ମିଳିବାର ଅର୍ଥ ସେ ନିଜକୁ ବି ଭୋଟ୍ ଦେଇ ନାହାନ୍ତି । ଏହି ୱାର୍ଡରୁ ନିର୍ଦଳୀୟ ପ୍ରାର୍ଥୀ ଦିବ୍ୟା ଚିନ୍ତାପନି ନିର୍ବାଚନ ଜିତିଛନ୍ତି । ତେଲଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ସଭାପତି ପୋନ୍ନମ ପ୍ରଭାକର ଏହି ଘଟଣାର ଯାଞ୍ଚ୍ କରାଇବେ ବୋଲି କହିଛନ୍ତି । ଟିଆର୍ଏସ୍ ୧୨୦ରୁ ୧୦୦ ନଗରପାଳିକାରେ ବିଜୟ ହାସଲ କରିଛି । ସେହିପରି ୯ଟି ନଗର ନିଗମରୁ ୭ଟି କବ୍ଜା କରିଛି । କଂଗ୍ରେସକୁ ୩ଟି ନଗରପାଳିକାରେ ବହୁମତ ମିଳିଛି । ବିଜେପି ଓ ଏଆଇଏମ୍ଆଇଏମ୍ ଗୋଟିଏ ଗୋଟିଏ ନଗରପାଳିକାରେ ଜିତିଛନ୍ତି ।