Odisha news

ଏସଭିଏମ କଲେଜରେ ଗୁଣ୍ଡା ପୁରାଇ ଜେଲ ଗଲେ ଅଧ୍ୟାପକ

0

ଜଗତସିଂହପୁର- ଜଗତସିଂହପୁର ଜିଲ୍ଲା ସର୍ବ ପୁରାତନ ଓ ପ୍ରତିଷ୍ଠିତ ସ୍ୱାମୀ ବିବେକାନାନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ(ଏସଭିଏମ)ଜଣେ ଅଧ୍ୟାପକଙ୍କ ଦ୍ୱାରା ଗୁଣ୍ଡା ସାଜି ଆସିଥିବା ୬ ଜଣ ଯୁବକକୁ ଜଗତସିଂହପୁର ପୋଲିସ ଗିରଫ କରିବା ସହିତ ସେମାନଙ୍କ ଠାରୁ ଏକ ୯ଏମଏମ ବନ୍ଧୁକ ଓ ଗୁଳି ଭରା ମାଗାଜିନ ସହିତ ଏକ ସ୍କର୍ପିଓ ଗାଡି ଜବତ କରିଛି ।ଏଥି ସହିତ ସଂପୃକ୍ତ ଅଧ୍ୟାପକଙ୍କ ମଧ୍ୟ ପୋଲିସ ଗିରଫ କରିଥିଲା ।ଏହି ଘଟଣାର ପୋଲିସ ତଦନ୍ତ କରି ସ୍କର୍ପୀଓ ଡ୍ରାଇଭରଙ୍କ ସମେତ ଜଣ ଗୁଣ୍ଡା ଓ ସଂପୃକ୍ତ ଅଧ୍ୟାପକ ଧୀରେନ ମହାନ୍ତିଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ।
ବିବାଦ ପିଛା ଛାଡୁନି ଏସଭିଏମ କଲେଜରୁ ।କିଛି ଦିନ ତଳେ କଲେଜରେ ଛାତ୍ର ଅଶାନ୍ତି ଲାଗି ରହିଥିବା ବେଳେ ଆଜି ଜଣେ କରିତକର୍ମା ଅଧ୍ୟାପକ ମନ୍ଦ ଉଦେ୍ଦଶ୍ୟ ନେଇ କଲେଜରେ ବନ୍ଧୁକଧାରୀ ଗୁଣ୍ଡାମାନଙ୍କୁ ନିୟୋଜିତ କରି ପୋଲିସ ହାତରେ ଧରା ପଡି ଜେଲ ଯିବା ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।ଏସଭିଏମ କଲେଜରେ ଛାତ୍ରଛାତ୍ରୀଙ୍କୁ ଜାଲ ସାର୍ଟୀଫିକେଟ ଦେବା ଘଟଣାରେ ସଂପୃକ୍ତ ଅଧ୍ୟାପକ ଧୀରେନ ମହାନ୍ତିଙ୍କୁ ଗତ ସପ୍ତାହକ ତଳେ ସରକାରଙ୍କ ନିଦେ୍ର୍ଦଶ ଅନୁସାରେ ମହାବିଦ୍ୟାଳୟର ଅଧ୍ୟକ୍ଷା ତାଙ୍କୁ ବିଭିନ୍ନ ଦାୟିତ୍ୱରୁ ବିରତି ଦେଇଥିଲେ ।ସେହିପରି ଗତ ୩ ଦିନ ତଳେ ବାଣିଜ୍ୟ ବିଭାଗ ଦ୍ୱାରା ଆୟୋଜିତ ସେମିନାରକୁ ଅଧ୍ୟାପକ ଜଗନ୍ନାଥ ବେହେରା ସଫଳତାର ସହିତ ଆୟୋଜନ କରିଥିଲେ ।ଏହି ସେମିନାରକୁ ନେଇ ଅଧ୍ୟାପକ ଧିରେନ ମହାନ୍ତିି ଓ ଅଧ୍ୟାପକ ଜଗନ୍ନାଥ ବେହେରା ଓ ଅନ୍ୟ ଜଣେ ଅଧ୍ୟାପକଙ୍କ ମଧ୍ୟରେ କଲେଜ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ଭିତରେ ବଚସା ଓ ମାରପିଟ ମଧ୍ୟ ହୋଇଥିଲା ।ଏହି ଘଟଣା ସମାଧାନ ନହେଉଣୁ ଆଜି ସଂପୃକ୍ତ ଅଧ୍ୟାପକ ଧୀରେନ ମହାନ୍ତି ପରୋକ୍ଷରେ ଛାତ୍ରଛାତ୍ରୀମାନଙ୍କୁ ମତାଇ ତାଙ୍କ ସହିତ ଝଗଡା ହୋଇଥିବା ସେହି ବାଣିଜ୍ୟ ବିଭାଗର ଅନ୍ୟ ଜଣେ ଅଧ୍ୟାପକ ଜଗନ୍ନାଥ ବେହେରାଙ୍କ ବିରୋଧରେ ଆନେ୍ଦାଳନ କରାଇଥିଲେ ।ଛାତ୍ରଛାତ୍ରୀମାନେ ଆନେ୍ଦାଳନକୁ ଓହ୍ଲାଇବା ସହିତ କଲେଜ ମୁଖ୍ୟ ଗେଟ ଆଗରେ ଧାରଣା ଦେଇ ଜଗା ସାରଙ୍କୁ କଲେଜରୁ ବହିଷ୍ଟାର ପାଇଁ ଦାବୀ କରିଥିଲେ ।ଏହା ସହିତ ସଂପୃକ୍ତ ଅଧ୍ୟାପକ ମହାନ୍ତି କଟକରୁ କିଛି ଗୁଣ୍ଡା ଆଣି କଲେଜ ପରିସରରେ ନିୟୋଜିତ କରିଥିଲେ ।ଏ ବାବଦରେ ଜଗତସିଂହପୁର ପୋଲିସ ସବ ଇନସପେକ୍ଟର ରବିନାରାୟଣ ବେହେରା ଖବର ପାଇ ପୋଲିସ ଫୋର୍ସ ସହାୟତାରେ ଗୁଣ୍ଡାମାନେ ବସିଥିବା ଏକ ସ୍କର୍ପୀଓ ଗାଡିକୁ ଜବତ କରିବା ସହିତ ସେଥିରେ ଥିବା ୫ଜଣ ଯୁବକ ଓ ଗାଡି ଡ୍ରାଇଭରକୁ ଥାନାକୁ ଧରି ନେଇଥିଲେ ।ଏହା ସହିତ କଲେଜକୁ ସଂପୃକ୍ତ ଗୁଣ୍ଡାମାନଙ୍କୁ ଡକାଇଥିବା ଅଧ୍ୟାପକ ମହାନ୍ତିଙ୍କୁ ମଧ୍ୟ ଥାନାକୁ ନେଇଯାଇଥିଲେ ।ଏ ବାବଦରେ ସଂପୃକ୍ତ ଅଧ୍ୟାପକ ଶ୍ରୀ ମହାନ୍ତିଙ୍କୁ ପଚାରିବାରୁ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି କହିବା ସହିତ ସେମାନଙ୍କୁ ନିଜର ବର୍ଡି ଗାର୍ଡ ଭାବରେ ଆଣିଥିବାର ସ୍ୱିକାର କରିଥିଲେ ।
ଏହି ଘଟଣା ବାବଦରେ କଲେଜ ଅଧ୍ୟକ୍ଷା ନିତାରଣୀ କରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏହି ଘଟଣା ବାବଦରେ ପରିଚାଳନା କମିଟିର ସଭାପତିଙ୍କୁ ଜଣାଇଛନ୍ତି ।ତାଙ୍କ ସହିତ ଆଲୋଚନା କରି ଦୃଢ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ ।ଏହା ସହିତ ଅଧ୍ୟାପକ ଧୀରେନ ମହାନ୍ତି ତାଙ୍କୁ କଟୁ ଭାଷାରେ ସମାଲୋଚନା କରିଥାନ୍ତି ବୋଲି କହି କାନ୍ଦି ପକାଇଥିଲେ ।ଅନ୍ୟ ପକ୍ଷରେ ଏହି ଘଟଣା ବାବଦରେ ପୋଲିସ ପ୍ରାଥମିକ ତଦନ୍ତରୁ ସଂପୃକ୍ତ ଯୁବକମାନେ ଏକ ଘରୋଇ ସିକ୍ୟୁରିଟି ସଂସ୍ଥା କଳିଙ୍ଗ ୱାରିଅରର ବୋଲି ପୋଲିସ ସୁଚନା ଦେଇଛି ।ତେବେ ସେମାନେ ବେଆଇନ ଭାବରେ କଲେଜ ପରିସରରେ ମାରଣାସ୍ତ୍ର ଧରି ପଶି ଆତଙ୍କ ରାଜ ଚଳାଇବା ଘଟଣାକୁ ନେଇ ପୋଲିସ ସେମାନଙ୍କୁ ଗିରଫ କରିଥିଲା ।ପୋଲିସ ସଠିକ ସମୟରେ ସୁଚନା ପାଇ ସଂପୃକ୍ତ ଯୁବକମାନଙ୍କୁ ଗିରଫ କରିବା ଫଳରେ ଏକ ବଡ ଅଘଟଣକୁ ଏଡାଇ ଦିଆଯାଇଛି ବୋଲି ଜଗତସିଂହପୁର ଏସଡିପିଓ ପ୍ରୀୟ ରଞ୍ଜନ ଶତପଥୀ ସୁଚନା ଦେଇଥିଲେ ।ଏହି ଘଟଣାରେ ସଂପୃକ୍ତ ଅଧ୍ୟାପକ ଧୀରେନ ମହାନ୍ତିଙ୍କୁ କୋର୍ଟ ଚାଲାଣ କରିବା ସହିତ ସ୍କର୍ପୀଓ ଡ୍ରାଇଭର ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ଖଣ୍ଡପଡା ଅଞ୍ଚଳର ସୁଶାନ୍ତ କୁମାର ଦାସ,କଟକ ବାଦାମବାଡି ଥାନା ଶଙ୍କରପୁର ଅଞ୍ଚଳର ପ୍ରକାଶ କୁମାର ଧଳ ଓ ସର୍ବେଶ୍ୱର ସ୍ୱାଇଁ,ରାଜାବଗିଚା ଅଞ୍ଚଳର ସୁରେଶ ନାୟକ ଓ ସନ୍ତୋଷ ଗୋଚ୍ଛାୟତ,ହରିଚନ୍ଦନପୁର ଥାନା ଅଞ୍ଚଳର ସୁନିଲ ମହାନ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଏସଡିପିଓ ପ୍ରୀୟ ରଞ୍ଜନ ଶତପଥୀ କହିଛନ୍ତି ।

Leave A Reply