Odisha news

ଚୀନ୍‌ ବିରୋଧରେ ଟ୍ରମ୍ପ୍‌ଙ୍କ ବିସ୍ଫୋରକ ବୟାନ

0

କରୋନାଭାଇରସ୍‌ ବୈଶ୍ବିକ ମହାମାରୀ ଚୀନ୍‌-ଆମେରିକା ମଧ୍ୟରେ ତିକ୍ତତାକୁ ଚରମ ସୀମାରେ ପହଞ୍ଚାଇ ଦେଇଛି। ଚୀନ୍‌ର ଏକଚାଟିଆ, ବିସ୍ତାରବାଦୀ ଏବଂ ଷଡ଼ଯନ୍ତ୍ରପୂର୍ଣ୍ଣ କାରବାର ବିରୋଧରେ ଶୁକ୍ରବାର ଦିନ ଗର୍ଜିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌। ଆମେରିକାରେ ଏବେ କରୋନା ମୃତ୍ୟୁର ତାଣ୍ଡବଠାରୁ ଆରମ୍ଭ କରି ବିଭିନ୍ନ ସଙ୍କଟ ପାଇଁ ଚୀନ୍‌କୁ ସିଧାସଳଖ ଦାୟୀ କରି କଠୋର କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛନ୍ତି। ଏହା ସହିତ ଚୀନ୍‌ ଇଙ୍ଗିତରେ ପରିଚାଳିତ ହୋଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ସମଗ୍ର ବିଶ୍ବକୁ ବିପଦ ମୁଖକୁ ଠେଲି ଦେଇଛି ବୋଲି ଅଭିଯୋଗ କରି ଟ୍ରମ୍ପ୍‌ ହୁ ସହିତ ଆମେରିକାର ସଂପର୍କ ତୁଟାଇ ଦେଇଥିବା ଘୋଷଣା କରିଛନ୍ତି। ଶୁକ୍ରବାର ରାଷ୍ଟ୍ରପତି ଭବନ ‘ହ୍ବାଇଟ୍‌ ହାଉସ୍‌’ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ୍‌ ଦେଇଥିବା ବୟାନ-

ଶୁଭ ଅପରାହ୍ନ।
ଆପଣମାନଙ୍କୁ ଧନ୍ୟବାଦ।

ଆଜି ମୁଁ ଚୀନ୍‌ ସହ ଆମର ସଂପର୍କ ଏବଂ ଆମେରିକାର ନିରାପତ୍ତା ଓ ସମୃଦ୍ଧି ନେଇ କେତେକ ପଦକ୍ଷେପ ସଂପର୍କରେ ଆପଣଙ୍କୁ ଅବଗତ କରାଇବାକୁ ଚାହୁଛି। ଚୀନ୍‌ର ମନ୍ଦ ଉଦ୍ଦେଶ୍ୟ ଏବଂ ଷଡ଼ଯନ୍ତ୍ରପୂର୍ଣ୍ଣ ନୀତି ସଂପର୍କରେ ଆପଣମାନେ ଭଲଭାବେ ଜାଣିଛନ୍ତି। ବହୁ ଦଶନ୍ଧି ଧରି ଚୀନ୍‌ ଆମେରିକାକୁ ଠକି ଚାଲିଛି, ଲୁଟି ଚାଲିଛି। ଚୀନ୍‌ ଆମେରିକାର ଯେଭଳି କ୍ଷତି ପହଞ୍ଚାଇଛି, ସେଭଳି ଅନ୍ୟ କେହି ପୂର୍ବରୁ କରିଥିବା ନଜିର ନାହିଁ। ଚୀନ୍‌ ସହ ଆମର ବାଣିଜ୍ୟିକ କାରବାର ଯୋଗୁଁ ପ୍ରତିବର୍ଷ ଲକ୍ଷ ଲକ୍ଷ କୋଟି ଡଲାର ବରବାଦ ହେଉଛି। ଚୀନ୍‌ ଆମର କାରଖାନାଗୁଡ଼ିକୁ କରାୟତ୍ତ କରିନେଉଛି, ଆମ ଲୋକଙ୍କ ଚାକିରି ଛଡ଼ାଇ ନେଉଛି, ଆମ ଶିଳ୍ପାନୁଷ୍ଠାନଗୁଡ଼ିକୁ ବରବାଦ କରିଦେଉଛି, ଆମର ବୌଦ୍ଧିକ ସମ୍ପତ୍ତି ଚୋରାଇ ନେଉଛି ଏବଂ ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ)ରେ ହୋଇଥିବା ଚୁକ୍ତିକୁ ଚୀନ୍‌ ଉଲ୍ଲଂଘନ କରିଚାଲିଛି।

ଆହୁରି ଦୁର୍ଭାଗ୍ୟର କଥା, ଚୀନ୍‌ ଏବେ ବି ବିକାଶଶୀଳ ରାଷ୍ଟ୍ର ଭାବେ ପରିଗଣିତ। ଏହି ବାହାନାରେ ଚୀନ୍‌ ଅନେକ ଫାଇଦା ହାତେଇ ଚାଲିଛି। ଚୀନ୍‌ର ଚାଲ୍‌ରେ ଆମେରିକା ମଧ୍ୟ ଫସିଛି। ତେବେ ଏଥିପାଇଁ ମୁଁ ଚୀନ୍‌କୁ କେବେ ସଂପୂର୍ଣ୍ଣ ଭାବେ ଦାୟୀ କରିନାହିଁ। ଆମର ପୂର୍ବ ରାଜନେତା, ବିଶେଷ କରି ପୂର୍ବ ରାଷ୍ଟ୍ରପତିମାନଙ୍କ ନୀତିରୁ ଫାଇଦା ନେଇ ଚୀନ୍‌ ଲଗାତାର ବହୁତ କିଛି ହଡ଼ପ କରିଚାଲିଛି। ତେବେ ପୂର୍ବରୁ ଯାହା ଚାଲିଥିଲା ତାହାକୁ ମୋର ପ୍ରଶାସନ ଅନେକ କ୍ଷେତ୍ରରେ ସୁଧାରିଛି। ଚୀନ୍‌କୁ ତା’ର କାରନାମାର ଉଚିତ ଜବାବ ଦେଇ ଆମେରିକା ଅନେକ ପଦକ୍ଷେପ ନେଇଛି। ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଚୀନ୍‌ ଅନେକ ଅଂଚଳକୁ ବେଆଇନ ଭାବେ ନିଜର ବୋଲି ଦାବି କରୁଛି। ଏହି କ୍ଷେତ୍ରରେ ଚୀନ୍‌ ବାଣିଜ୍ୟ କାରବାରର ସ୍ବାଧୀନତାରେ ବାଧା ସୃଷ୍ଟି କରିଛି । ହଂକଂକୁ ସ୍ବାୟତ୍ତତା ଦେବା କ୍ଷେତ୍ରରେ ଚୀନ୍‌ ବିଶ୍ବକୁ ଦେଇଥିବା ପ୍ରତିଶୃତି ଭାଙ୍ଗି ଦେଇଛି।

ଆମେରିକା ଚୀନ୍‌ ସହ ମୁକ୍ତ ଏବଂ ଗଠନମୂଳକ ସଂପର୍କ ଚାହୁଥିବା ବେଳେ ଚୀନ୍‌ର ଚାଲ୍‌ରେ ଆମେରିକାର ଜାତୀୟ ସ୍ବାର୍ଥ ବଳି ପଡ଼ିଯାଉଛି। ଚୀନ୍‌ ଆମ ସହ ଏବଂ ଅନ୍ୟ ରାଷ୍ଟ୍ରମାନଙ୍କ ସହ ଯେଉଁ ପ୍ରତିଶ୍ରୁତି ଦେଇ କାରବାର କରୁଛି, ପରବର୍ତ୍ତୀ ସମୟରେ ତାହା ପ୍ରତାରଣାରେ ପରିଣତ ହେଉଛି। ଏହି ସରଳ ତଥ୍ୟକୁ କେହି ଅଣଦେଖା କରି‌ପାରିବେ ନାହିଁ। ଚୀନ୍‌ ସରକାରର ଅପକର୍ମ ଯୋଗୁଁ ଏବେ ବିଶ୍ବ ଦୁର୍ଦ୍ଦିନ ଓ ଯନ୍ତ୍ରଣା ଦେଇ ଗତି କରୁଛି। ଚୀନ୍‌ ଉହାନ୍‌ ଭାଇରସ୍‌ (କରୋନାଭାଇରସ୍‌) ସଂପର୍କରେ ସତ୍ୟ ଓ ତଥ୍ୟ ଲୁଚାଇବାରୁ ସମଗ୍ର ବିଶ୍ବରେ ଭାଇରସ୍‌ ବ୍ୟାପିଗଲା। ଏବେ ଏହା ଏକ ବୈଶ୍ବିକ ମହାମାରୀ ରୂପ ନେଇ ଆମେରିକାରେ ୧ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେବା ସହ ବିଶ୍ବବ୍ୟାପୀ ୧୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଗଲାଣି। ଚୀନ୍‌ କର୍ତ୍ତୃପକ୍ଷ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) କୁ ଭାଇରସ୍‌ ସଂପର୍କରେ ଆବଶ୍ୟକ ତଥ୍ୟ ଓ ସୂଚନା ପ୍ରଦାନ କରିନଥିଲେ ଏବଂ ସେମାନେ ଏହି ସଂଗଠନ ଉପରେ ଚାପ ସୃଷ୍ଟି କରି ସମଗ୍ର ବିଶ୍ବରେ ବିଭ୍ରାନ୍ତି ସୃଷ୍ଟି କରିଥିଲେ। ଭାଇରସ୍‌ ଯେତେବେଳେ ପ୍ରଥମେ ଉହାନ୍‌ରେ ଠାବ ହେଲା ସେତେବେଳେ ଚୀନ୍‌ କର୍ତ୍ତୃପକ୍ଷ ଡବ୍ଲଏଚ୍‌ଓ ଉପରେ ଚାପ ସୃଷ୍ଟି କରି ବିଶ୍ବବାସୀଙ୍କୁ ଅନ୍ଧାରରେ ରଖିଥିଲେ। ଏବେ ମହାମାରୀ ପାଇଁ ଅଗଣିତ ଲୋକଙ୍କ ଜୀବନ ଗଲାଣି ଏବଂ ବିଶ୍ବ ଅତି ଜଟିଳ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି। ଚୀନ୍‌ ଉପରେ ଆରମ୍ଭରୁ ମୋର କଟକଣାକୁ ସେମାନେ ବିରୋଧ କରୁଥିଲେ, କିନ୍ତୁ ମୁଁ ଏହାକୁ କୌଣସି‌ମତେ କାର୍ଯ୍ୟକାରୀ କରିଛି ଏବଂ ଏହା ଶତ ପ୍ରତିଶତ ଠିକ୍‌ ବୋଲି ପ୍ରମାଣିତ କରିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ଚୀନ୍‌ ଏବେ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣରେ ରହିଛି। ବର୍ଷକୁ ମାତ୍ର ୪୦ ନିୟୁତ ଡଲାର ଦେଉଥିବା ଚୀନ୍‌ ଡବ୍ଲୁଏଚ୍‌ଓକୁ ନିଜ କବ୍‌ଜାକୁ ନେବାରେ ସକ୍ଷମ ହୋଇଛି। ଅନ୍ୟପକ୍ଷରେ ଆମେରିକା ପ୍ରତି ବର୍ଷ ଡବ୍ଲୁଏଚ୍‌ଓକୁ ୪୫୦ ନିୟୁତ ଡଲାର ଦେଇଆସୁଛି। ଆମେ ସଂସ୍କାର ଆଣିବାକୁ ସିଧାସଳଖ ପ୍ରୟାସ କରିଥିଲୁ, କିନ୍ତୁ ସେମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଡବ୍ଲୁଏଚ୍‌ଓରେ ସଂସ୍କାର ଆଣିବାକୁ ଆମର ପ୍ରୟାସକୁ ସେମାନେ ଗ୍ରହଣ କଲେନାହିଁ ଏବଂ ଆଜିଠାରୁ ଆମେରିକା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହ ସବୁ ସଂପର୍କ ତୁଟାଇ ଦେଉଛି। ଆମେ ଡବ୍ଲୁଏଚ୍‌ଓକୁ ଯେଉଁ ପାଣ୍ଠି ଦେଉଥିଲୁ ତାହାକୁ ଏବେ ବିଶ୍ବବ୍ୟାପୀ କଲ୍ୟାଣମୂଳକ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମରେ ବିନିଯୋଗ କରିବୁ। ଏବେ କରୋନା ଭାଇରସ୍‌ ନେଇ ବିଶ୍ବ ଚୀନ୍‌ଠାରୁ ଜବାବ ଚାହୁଛି। ଆମକୁ ସବୁ କ୍ଷେତ୍ରରେ ସ୍ବଚ୍ଛ ନୀତି ଆବଶ୍ୟକ। ଚୀନ୍‌ ଉହାନ୍‌ର ସଂକ୍ରମିତ ଲୋକଙ୍କୁ ନିଜର ଦେଶର ଅନ୍ୟ ଅଂଚଳକୁ ଯିବାକୁ ରୋକିଲା କେ‌ମିତି ? ଉହାନ୍‌ର ଭାଇରସ୍‌ ଦ୍ବାରା ବେଜିଂ ମଧ୍ୟ ପ୍ରଭାବିତ ହୋଇନାହିଁ। ଚୀନ୍‌ର ଅନ୍ୟ କେଉଁ ଅଂଚଳରେ କରୋନା ଭାଇରସ୍‌ର ପ୍ରକୋପ ଦେଖିବାକୁ ମିଳିନାହିଁ। କିନ୍ତୁ ଏହି ଭାଇରସ୍‌ ସମଗ୍ର ବିଶ୍ବରେ ଯେଭଳି ସଂଚରି ଯିବ, ସେଥିପାଇଁ ଚୀନ୍‌ ରାସ୍ତା ସଫା କରିଦେଇଥିଲା ଏବଂ ଏହା ୟୁରୋପ ଓ ଆମେରିକା ସମେତ ସମଗ୍ର ବିଶ୍ବକୁ କବଳିତ କରିନେଲା।

କରୋନା ଭାଇରସ୍‌ ଯୋଗୁଁ ମୃତ୍ୟୁ ଏବଂ ବିପର୍ଯ୍ୟୟର ଯେଉଁ ତାଣ୍ଡବ ଦେଖିବାକୁ ମିଳିଛି ତାହା ଅକଳ୍ପନୀୟ। ଆମେ କେବଳ ନିଜ ପାଇଁ ନୁହେଁ, ସମଗ୍ର ବିଶ୍ବ ପାଇଁ ଏହାର ଜବାବ ଚାହୁଛୁ। ଏହି ମହାମାରୀ ଯୋଗୁଁ ଆମେରିକାର ଅର୍ଥନୈତିକ ସ୍ବାଧୀନତା, ଗୁରୁତ୍ବପୂର୍ଣ୍ଣ ଯୋଗାଣ ବ୍ୟବସ୍ଥା ଏବଂ ଆମେରିକାର ବୈଜ୍ଞାନିକ ପ୍ରଗତି ମଧ୍ୟ ସଙ୍କଟ ଭିତରକୁ ଚାଲିଯାଇଛି। ଚୀନ୍‌ ସରକାରର ଗୁପ୍ତଚରମାନେ ଆମର ଶିଳ୍ପ ସଂପର୍କିତ ଗୋପନ ତଥ୍ୟ ଚୋରାଇ ନେଉଛନ୍ତି ଏବଂ ଅନେକ କ୍ଷେତ୍ରକୁ ଏହା ବ୍ୟାପୀ ଯାଇଛି। ଆଜି ମୁଁ ଏକ ଗୁରୁତ୍ବପୂର୍ଣ୍ଣ ଆଦେଶନାମା ଦ୍ବାରା ଆମର ଖ୍ୟାତନାମା ଗବେଷଣା ପ୍ରତିଷ୍ଠାନଗୁଡ଼ିକର ସୁରକ୍ଷା ପାଇଁ ଚୀନ୍‌ର କେତେକ ନାଗରିକଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛି। ସେମାନଙ୍କ ଆଡ଼ୁ ଆମେରିକା ପ୍ରତି ବିପଦ ରହିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି।

ଏ ପର୍ଯ୍ୟନ୍ତ ବିଶ୍ବର ଶ୍ରେଷ୍ଠ ଅର୍ଥନୀତି ଭାବେ ପରିଗଣିତ ହେଉଥିବା ଆମ ଅର୍ଥ ବ୍ୟବସ୍ଥାର ସୁରକ୍ଷା ପାଇଁ ଚୀନ୍‌ର ପ୍ରତ୍ୟେକ କମ୍ପାନି ଏବଂ ଏହା ସହିତ ଆମର ପ୍ରତ୍ୟେକଟି କାରବାରର ସମୀକ୍ଷା କରିବାକୁ ମୁଁ ନିର୍ଦ୍ଦେଶ ଦେଇଛି। ଆମେରିକାର ପୁଂଜିନିବେଶକାରୀ, ଆମେରିକୀୟ ଉଦ୍ୟୋଗ ଏବଂ ବଜାର ବ୍ୟବସ୍ଥାକୁ ଯେଭଳି ଚୀନା କମ୍ପାନିମାନେ କ୍ଷତି ପହଞ୍ଚାଇପାରିବେ ନାହିଁ, ସେଥିପାଇଁ ଚୀନ୍‌ କମ୍ପାନିମାନଙ୍କ ସହ ହୋଇଥିବା ପ୍ରତ୍ୟେକଟି ଚୁକ୍ତିର ତର୍ଜମା କରାଯିବ।

ଚୀନ୍‌ ଦାବି କରୁଛି ଯେ ଏହା ଜାତୀୟ ନିରାପତ୍ତାକୁ ସୁରକ୍ଷା ଦେଉଛି। କିନ୍ତୁ ଏହା ସତ୍ୟ ଯେ ହଂକଂ କେବଳ ଏକ ସ୍ବାଧୀନ ଏବଂ ମୁକ୍ତ ବ୍ୟବସ୍ଥାରେ ହିଁ ପ୍ରଗତି କରିପାରିବ। ଚୀନ୍‌ ଏକଚାଟିଆ ଭାବେ ହଂକଂରେ ନିଜର ନୀତି ଲାଗୁ କରୁଛି ଏବଂ ଆମେ ଏବେ ହଂକଂର ବିଶେଷ ପାହ୍ୟା ଶେଷ କରିଦେବାକୁ ନି‌ଷ୍ପତ୍ତି ନେଇଛୁ। ଦୁଇ ଦଶନ୍ଧି ତଳେ ୧୯୯୭ର ଏକ ବର୍ଷଣମୁଖର ରାତିରେ ବ୍ରିଟିଶ ସୈନିକମାନେ ହଂକଂରେ ୟୁନିୟନ ପତାକାକୁ ଖସାଇଥିଲେ ଏବଂ ଚୀନ୍‌ ସୈନିକମାନେ ଚୀନ୍‌ର ପତାକା ଉଡ଼ାଇ ଥିଲେ। ହଂକଂର ଜନତା ଆଶା କରିଥିଲେ ଚୀନ୍‌ ସେମାନଙ୍କ ପ୍ରଗତିଶୀଳ ଏବଂ ସମୃଦ୍ଧ ସହରକୁ ସବୁଦିନ ପାଇଁ ପ୍ରୋତ୍ସାହିତ କରିବ। ଚୀନ୍‌ ଦ୍ବାରା ହଂକଂର ଏକ ଉଜ୍ଜଳ ଭବିଷ୍ୟତ ନେଇ ବିଶ୍ବ ସେତେବେଳେ ଆଶାବାଦୀ ଥିଲା, କିନ୍ତୁ ଚୀନ୍‌ର ଅତୀତର ଛାୟାରେ ଏହା ଏକ ଭିନ୍ନ ଗତିରେ ଚାଲିଲା। ମୁଁ ମୋର ପ୍ରତ୍ୟେକ ନିଷ୍ପତ୍ତିରେ ଆମେରିକାର ଶ୍ରମିକ, ପରିବାର ଏବଂ ନାଗରିକଙ୍କ ସ୍ବାର୍ଥ ଓ ସୁରକ୍ଷାକୁ ଗୁରୁତ୍ବ ଦେଉଛି ଏବଂ ଏହାକୁ ଗର୍ବର ସହିତ ଜାରି ରଖିବି।

ବହୁତ ଧନ୍ୟବାଦ।

Leave A Reply