ହରିୟାଣାରେ ‘ଲୋକତନ୍ତ୍ର ବଞ୍ଚାଓ, ଅରାଜକତା ହଟାଅ’ ପଦଯାତ୍ରା , ବେଆଇନ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବା ପାଇଁ ‘ଭୋଟ୍ ଚୋରି’ର ମିଥ୍ୟା ନାଟକ କରୁଛି କଂଗ୍ରେସ- ଧର୍ମେନ୍ଦ୍ର ପ୍ରଧାନ
• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଉପରେ ଦେଶବାସୀ ଦେଖାଇଛନ୍ତି ଅତୁଟ ବିଶ୍ୱାସ; ଲଗାତାର ପରାଜୟ ଯୋଗୁଁ ହତାଶ ହୋଇପଡ଼ିଥିବା କଂଗ୍ରେସ ରଚୁଛି ଷଡ଼ଯନ୍ତ୍ର • କଂଗ୍ରେସ ଦ୍ୱାରା ସମ୍ବିଧାନ ଓ ସାମ୍ବିଧାନିକ ଅନୁଷ୍ଠାନକୁ ବଦନାମ କରିବା ଏବଂ ଜନାଦେଶକୁ ଅପମାନିତ କରିବାର ଚକ୍ରାନ୍ତକୁ ଦେଶ କେବେବି ସ୍ୱୀକାର କରିବ ନାହିଁ
ରବିବାର ହରିୟାଣାର ଫରିଦାବାଦ ଠାରେ ଆୟୋଜିତ ‘ଲୋକତନ୍ତ୍ର ବଞ୍ଚାଓ, ଅରାଜକତା ହଟାଓ’ ପଦଯାତ୍ରାରେ ସାମିଲ ହେବା ଅବସରରେ ଶ୍ରୀ ପ୍ରଧାନ କଂଗ୍ରେସର ଅରାଜକତା ଏବଂ ଦୋମୁହାଁ ନୀତିକୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ଯେଉଁ ‘ଭୋଟ୍ ଚୋରି’ର ହଟଚମଟ ସୃଷ୍ଟି କରୁଛି, ତାହା କେବଳ ନିଜର ପରାଜୟକୁ ଲୁଚାଇବା ଏବଂ ବେଆଇନ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବାର ଏକ ନିନ୍ଦନୀୟ ଷଡ଼ଯନ୍ତ୍ର ମାତ୍ର । କଂଗ୍ରେସର ନୀତି ହେଉଛି- ଯେଉଁଠି ନିର୍ବାଚନରେ ଜିତିବେ, ସେଠି ଗଣତନ୍ତ୍ର ସୁରକ୍ଷିତ; ଆଉ ଯେଉଁଠି ହାରିବେ, ସେଠି ‘ଅଙ୍ଗୁର କୋଳି ଖଟା’ ସଦୃଶ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜନସାଧାରଣଙ୍କ ବିଶ୍ୱାସ ହରାଇସାରିଥିବା କଂଗ୍ରେସ ଦଳ ଏବେ ସଂସଦରୁ ସଡ଼କ ପର୍ଯ୍ୟନ୍ତ କେବଳ ମିଥ୍ୟା ଓ ଭ୍ରମ ସୃଷ୍ଟି କରିବାରେ ଲିପ୍ତ ଅଛି । ସଂସଦୀୟ ଗଣତନ୍ତ୍ରର ମଜାକ ଉଡ଼ାଇ ସେମାନେ ନିଜର ‘ମକ୍ ପାର୍ଲାମେଣ୍ଟ’ର ଆୟୋଜନ କରୁଛନ୍ତି । ଅତୀତରେ ଦେଶ ଉପରେ ଜରୁରୀକାଳୀନ ପରିସ୍ଥିତି ଲଦି ଦେଇ ଗଣତନ୍ତ୍ରର ହତ୍ୟା କରିଥିବା କଂଗ୍ରେସ ଆଜି ସମ୍ବିଧାନର ଦୁହାଇ ଦେଉଛି, ଯାହା ଅତ୍ୟନ୍ତ ହାସ୍ୟାସ୍ପଦ।
ଶ୍ରୀ ପ୍ରଧାନ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି ଯେ, ଆଜି ଫରିଦାବାଦର ଏହି ସଫଳ ପଦଯାତ୍ରା ସମଗ୍ର ଦେଶକୁ ଏକ ସ୍ପଷ୍ଟ ସନ୍ଦେଶ ଦେଇଛି ଯେ, ଗଣତନ୍ତ୍ରର ଆଢ଼ୁଆଳରେ ଅରାଜକତା ସୃଷ୍ଟି କରିବା, ଜନାଦେଶକୁ ଅପମାନିତ କରିବା ଏବଂ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକୁ ବଦନାମ କରିବାର କଂଗ୍ରେସି ଷଡ଼ଯନ୍ତ୍ରକୁ ଦେଶବାସୀ କେବେବି ସ୍ୱୀକାର କରିବେ ନାହିଁ। ଏହି ପଦଯାତ୍ରାରେ ଅନେକ କେନ୍ଦ୍ରମନ୍ତ୍ରୀ ଓ ହରିୟାଣା ସରକାରଙ୍କ ମନ୍ତ୍ରୀଗଣ ସମେତ ବିପୁଳ ସଂଖ୍ୟାରେ ପାର୍ଟି କାର୍ଯ୍ୟକର୍ତ୍ତା ଓ ଜନସାଧାରଣ ଯୋଗ ଦେଇଥିଲେ ।
