Odisha news

ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା

0

ଭୁବନେଶ୍ବର : ଏବେ ମାତ୍ର ୪ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ୪୦.୫ ଡିଗ୍ରି ତାପମାତ୍ରା ସହ ବଲାଙ୍ଗୀର ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ଏହା ପଛକୁ ରହିଥିଲା ସୋନ୍‌ପୁର (୪୦.୪ ), ମାଲ୍‌କାନଗିରି (୪୦ ) ଓ ବୌଦ୍ଧ (୪୦)। ଆସନ୍ତା ୩/୪ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରାରେ ସେମିତି କୌଣସି ପରିବର୍ତ୍ତନ ହେବାର ନାହିଁ। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଭୁବନେଶ୍ବର ସମେତ ଏହାର ଆଖପାଖ ଅଞ୍ଚଳ‌ରେ ଝଡ଼ବର୍ଷା ସହ ଜୋର୍‌ରେ ପବନ ବହିବାର ସମ୍ଭାବନା ରହିଛି।

ସୋମବାର ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏଥିସହ କିଛି କିଛି ଜିଲ୍ଲାରେ ପବନର ବେଗ ବଢ଼ିବ ଓ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ। ଏହାପରେ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗି ରହିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ପର୍ଯ୍ୟନ୍ତ ପହଞ୍ଚିବ। ଏଣୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

କେନ୍ଦ୍ର ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସୋମବାର ଦିନ ଗଜପତି, ରାୟଗଡ଼ା, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ଏଥିସହ ଏହି ୪ଟି ଜିଲ୍ଲା ସମେତ କୋରାପୁଟ, ଗଞ୍ଜାମ, କନ୍ଧମାଳ, ନୂଆପଡ଼ା, ବାଲେଶ୍ବର, ସୋନପୁର, ବୌଦ୍ଧ ଓ ମାଲକାନଗିରିରେ ବିଜୁଳି ଘଡ଼ ଘଡ଼ି ସହ ବର୍ଷା ହେବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିବ। ୨ ତାରିଖ ଦିନ ସମ୍ବଲପୁର, କଟକ, ପୁରୀ, ଦେବଗଡ଼, ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ କନ୍ଧମାଳ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏହି ସମୟରେ ପବନର ବେଗ ୩୦ରୁ ୪୦ କିମି ରହିବ। ସେହିପରି ୩ ତାରିଖ ଦିନ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, କନ୍ଧମାଳ, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼ା‌ ଓ କଳାହାଣ୍ଡି ଆଦି ଜିଲ୍ଲା ଏବଂ ୪ ତାରିଖ ଦିନ କୋରାପୁଟ, କଳାହାଣ୍ଡି, ଗଜପତି, ଗଞ୍ଜାମ, କନ୍ଧମାଳ, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗୀର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଆଦି ଜିଲ୍ଲାରେ ଝଡ଼ବର୍ଷା ହେବା ସହ ପବନର ବେଗ ୩୦ରୁ ୪୦ କିମି ରହିବ।

ରାଜ୍ୟରେ ଏବେ କାଳବୈଶାଖୀ ଲାଗି ରହୁଥିବାରୁ ତାପମାତ୍ରା ଧୀରେଧୀ‌ରେ କମିବା‌ରେ ଲାଗିଛି।

Leave A Reply