Odisha news

ସମୟ ଖେଳୁଛି ଚକା ଭଉଁରୀ

0

ଯଦୁମଣି ପାଣିଗ୍ରାହୀ : ଜୀବଜଗତର ସୃଷ୍ଟି, ସ୍ଥିତି ଓ ବିଲୟ ହେଉଛିି ସମୟର ଗୋଟେ ଗୋଟେ ଆହ୍ୱାନ । ସମୟର ପ୍ରବହମାନ ସ୍ରୋତରେ ସବୁକିଛି ବଦଳି ଯାଇଥାଏ । ସମୟର ଚକାଭଉଁରି ଖେଳରେ ସମଗ୍ର ଜୀବଜଗତ ବି ଭଉଁରୀ ପରି ବୁଲିବାକୁ ବାଧ୍ୟ ହୋଇଥାଏ । ଆଜିଯାଏଁ ପୃଥିବୀରେ ଯେତେଯେତେ ପ୍ରାକୃତିକ ଓ ମନୁଷ୍ୟାକୃତ ବିପତ୍ତି ସଙ୍ଗଠିତ ହୋଇଛି ସବୁ ସେହି ସମୟର ଖେଳ । କରୋନା ଭଳି ମହାମାରୀ ବି ସେହି ସମୟର ଆହ୍ୱାନ ଯାହା ଆଜି ସାରା ବିଶ୍ୱବାସୀଙ୍କୁ ଭୟ ଓ ଆତଙ୍କର ବାତାବରଣ ମଧ୍ୟକୁ ଠେଲି ଦେଇଛି । ଏଭଳି ଏକ ମହାମାରୀର ସଂକ୍ରମଣ ଏବେ ବିଶ୍ୱର ସବୁ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । ଆଜି ସମଗ୍ର ବିଶ୍ୱରେ କରୋନା ସଂକ୍ରମଣ ଓ ତଦ୍ଜନିତ ମୃତୁ୍ୟର ସଂଖ୍ୟା ବି କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଏହି ପ୍ରକି୍ରୟା ଆଜି ବି ଚାଲୁ ରହିଛି ଓ ଆଗକୁ କେତେ ଦିନ ଯାଏଁ ଚାଲିବ ତାହା ସମୟ ହିଁ କହିବ । କି ବିକଶିତ କି ବିକାଶଶୀଳ ଦେଶ ସମସ୍ତେ ଆଜି କରୋନା ମହାମାରୀକୁ ନେଇ ବିବ୍ରତ ଓ ଭୀତତ୍ରସ୍ତ ।

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଓ ପ୍ରତିପତ୍ତିଶାଳୀ ରାଷ୍ଟ୍ରର ଶାସକ ଓ ପ୍ରଶାସକ ମାନେ ଆଜି ଯେମିତି ବୁଦ୍ଧିଶୂନ୍ୟ ହୋଇ ପଡିଛନ୍ତି । ସମସ୍ତେ କିଂ କର୍ତ୍ତବ୍ୟ ବିମୁଢ ହୋଇ ପଡିଛନ୍ତି ଯେମିତି । ଏକ ଅସାଧାରଣ ଓ ଅସ୍ୱାଭାବିକ ସମୟ ମଧ୍ୟ ଦେଇ ସମଗ୍ର ମାନବ ଜାତି ଆଜି ଗତି କରୁଛି । ଦିନେ ଏମିତି ଏକ ଦୁଃସମୟକୁ ସାମ୍ନା କରିବାକୁ ହେବ ବୋଲି ସାରା ବିଶ୍ୱବାସୀ କେବେ ବି ସ୍ୱପ୍ନରେ ସୁଦ୍ଧା କଳ୍ପନା କରିନଥିଲେ । ଇତିହାସର ପୃଷ୍ଠା ଓଲଟାଇଲେ ଏମିତି ଅନେକ ଅସ୍ୱାଭାବିକ ଘଟଣା ବିଶ୍ୱବାସୀଙ୍କୁ ଯେ ସାମୟିକ ଭାବେ ବିଚଳିତ ଓ ଆତଙ୍କିତ କରିଛି ତାହା ଜାଣିବାକୁ ମିଳିଥାଏ ।

ଦୁଇ ଦୁଇଟି ମହାସମର ଏ ପୃଥିବୀ ପୃଷ୍ଠରେ ସଙ୍ଗଠିତ ହୋଇ ଅନେକ ଧନଜୀବନ ହାନୀର କାରଣ ସାଜିଛି । ଅନେକ ଅଚିହ୍ନା ଓ ଅଜଣା ରୋଗ ମହାମାରୀର ରୂପ ଧାରଣ କରି ଅନେକ ଲୋକଙ୍କୁ ମୃତୁ୍ୟର ଅଜଣା ରାଇଜକୁ ଟାଣି ନେଇଛି । ସେହିପରି ବନ୍ୟା, ବାତ୍ୟା ଓ ଭୂମିକମ୍ପ ଆଦି ପ୍ରାକୃତିକ ବିପର୍ଯ୍ୟୟ ମଣିଷ ସମାଜକୁ ଦୁଃଖ ଦୁର୍ବିପାକର ଗହ୍ୱର ମଧ୍ୟକୁ ଠେଲି ଦେଇଛି । ତଥାପି ଏ ମଣିଷ ସମାଜ ସେ ସବୁକୁ ଧୈର୍ଯ୍ୟ ଓ ସାହସର ସହ ମୁକାବିଲା କରି ପୁନଶ୍ଚ ଗୋଡ ସୁଦୃଢ କରି ଛିଡା ହୋଇଛି । ନିଜ ଭିତରେ ଦୃଢ ମନୋବଳ ଓ ଗଭୀର ଆତ୍ମ ବିଶ୍ୱାସ କୁ ଜାଗ୍ରତ କରାଇ ଭବିଷ୍ୟତର ସୁନେଲୀ ସ୍ୱପ୍ନରେ ବିଭୋର ହୋଇଛି । ସମୟର ଆହ୍ୱାନକୁ ଗ୍ରହଣ କରି ମଣିଷ ଜାତି ଆଗକୁ ଅଗ୍ରସର ହୋଇଛି । ଆଜିଯାଏ ଏହି ଧାରା ବୋଧେ ଅବ୍ୟାହତ ରହିଛି ।

କରୋନା ଜନିତ ପରିସ୍ଥିତି ଆଜି ମାନବ ସମାଜର ମେରୁଦଣ୍ଡକୁ ଦୋହଲାଇ ଦେବାକୁ ବସିଛି କହିଲେ ଭୁଲ ହେବନି । ଆଜିର ଏଭଳି ଦାରୁଣ ବିପର୍ଯ୍ୟୟ ମଧ୍ୟ ସମୟର ଏକ ଆହ୍ୱାନ, ଯାହା ବୋଧହୁଏ ଆମକୁ ବିବ୍ରତ ଓ ବ୍ୟତିବ୍ୟସ୍ତ କରି ପକାଇଛି । ଆଉ ଏହା ଏଇଥିପାଇଁ ଯେ, ଏଭଳି ଏକ ଭୟଙ୍କର ସଙ୍କଟଜନକ ପରିସ୍ଥିତିକୁ ପୂର୍ବରୁ ଏବେର ପିଢି କେବେ ହୁଏତ ସାମ୍ନା କରିନଥିଲା । ତେଣୁ ତଦ୍ଜନିତ ଅଭିଜ୍ଞତା ବି ନ ରହିବା ସ୍ୱାଭାବିକ କଥା । ଏକଥା ସତ ଯେ, କରୋନା ଭଳି ଏକ ମହାମାରୀ ବୋଧହୁଏ ମାନବ ସମାଜ ଲାଗି ଏଇ ଶତାଦ୍ଦୀର ସର୍ବଶ୍ରେଷ୍ଠ ବିପତ୍ତି ଏହା କହିବା ସମୀଚୀନ ହେବ । ଯାହା ମାନବଜାତିକୁ ଅଶେଷ ତିକ୍ତ ଓ ମଧ୍ୁର ଅନୁଭବ ଓ ଅନୁଭୂତିରେ ରସାଣିତ କରିଛି । ସମଗ୍ର ମାନବଜାତି ଆଜି ଏକ କଣ୍ଟକିତ ଓ କଟକଣାପୂର୍ଣ୍ଣ ଜୀବନ ଅତିବାହିତ କରୁଛନ୍ତି । ଆଜିଯାଏଁ ଯାନବାହନ ଚଳାଚଳ, କଳକାରଖାନା, ସ୍କୁଲ କଲେଜ ଓ ବେପାର ବଣିଜ ପ୍ରାୟତଃ ସ୍ୱାଭାବିକ ହୋଇପାରିନି । କାମ ଧନ୍ଦା ଅଭାବରୁ ଅନେକ ଲୋକ ଏବେ ବେରୋଜଗାର ହୋଇ ପଡିଛନ୍ତି । କୃଷି ଓ କୃଷକର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି ।

ଭାରତ ଭଳି ଏକ ଜନବହୁଳ ରାଷ୍ଟ୍ରରେ କରୋନାର ପ୍ରାଦୁର୍ଭାବ ବି ଧୀରେ ଧୀରେ ବଢିବାରେ ଲାଗିଛି । ସଂକ୍ରମିତ ଓ ପ୍ରାଣହାନୀର ସଂଖ୍ୟା ଯଦିଓ ଅନ୍ୟ ଦେଶମାନଙ୍କ ତୁଳନାରେ ଏତେଟା ଗୁରୁତର ନୁହେଁ ତଥାପି ଆଗକୁ ଯେ, ଏହା ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ନ କରିବ ସେକଥା କିଏ କହିପାରିବ । ଭାରତ ଭଳି ଏକ ସ୍ୱଳ୍ପ ବିକଶିତ ଦେଶରେ ଗତ ପ୍ରାୟ ଦୁଇ ମାସ ହେଲା ଲକଡାଉନ୍ ପ୍ରକ୍ରିୟା ଜାରି ରହିଥିବାରୁ ବହୁ ଲୋକ ଜୀବନ ଜୀବିକା ନେଇ ଏବେ ସଙ୍କଟରେ ପଡିଛନ୍ତି । ଖଟିଖିଆ ମେହନତି ମଣିଷ ଆଜି ପିଲାଛୁଆଙ୍କ ମୁହଁରେ ଆହାର ଦେବାକୁ ଅସମର୍ଥ ହୋଇପଡିଛି । ବିଶେଷ କରି ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାର ଗୁଡିକ ଦୁର୍ଦ୍ଦଶାରେ କାଳ କାଟିବା ସାର ହୋଇଛି । ଅନ୍ୟପକ୍ଷେ ଆମ ରାଜ୍ୟ ଓଡିଶାର ସ୍ଥିତି ଏବେ ସେତେଟା ସଙ୍ଗୀନ ନଥିବା ବେଳେ ଆଗକୁ ଯେ ଏହା ବିଗିଡି ନଯିବ ସେକଥା ଏବେଠୁଁ କହିହେବନି ।

କରୋନା ମହାମାରୀକୁ ପ୍ରତିହତ କରିବା ଲାଗି ଆଜି ସାରା ବିଶ୍ୱ ଲଢେଇ ଜାରି ରଖିଛିି । ଏହି ଲଢେଇରେ ଡାକ୍ତର, ନର୍ସ, ପୋଲିସ କର୍ମଚାରୀଙ୍କ ଠାରୁ ପୁଣି ସଫେଇ କର୍ମଚାରୀ ଓ ସମ୍ବାଦଦାତାଙ୍କ ଯାଏଁ ନିଜ ଜୀବନକୁ ବିପନ୍ନ କରି ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ଦେଶରେ ଲକ୍ଡାଉନ ଯୋଗୁଁ ସରକାରୀ ଓ ବେସରକାରୀ ସଂସ୍ଥା ଗୁଡିକୁ ଆଜି ହଜାର ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି । ଏଥିସହ ସାଧାରଣ ଲୋକମାନେ ବି ମାସ ମାସ ଧରି ଗୃହବନ୍ଦୀ ରହିବା ଯୋଗୁଁ ସେମାନଙ୍କର ଆର୍ଥିକ ସ୍ଥିତି ଦୋହଲି ଯାଇଛି । ତଥାପି ମଣିଷର ଜୀବନ ଆଗରେ ଏସବୁ ତୁଚ୍ଛ ହୋଇଥିବାରୁ ଏଭଳି ଅଭାବନୀୟ ତଥା ସଂଘର୍ଷମୟ ପରିସ୍ଥିତିରେ ନିଜେ ନିଜକୁ ସୁରକ୍ଷିତ ରଖିବା ସହ ଅନ୍ୟମାନଙ୍କ ଜୀବନକୁ ସୁରକ୍ଷିତ ରଖିବା ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି ।

ଏକଥା ସତ ଯେ, କରୋନା ସଂକ୍ରମଣକୁ ହ୍ରାସ କରିବା ଲାଗି ଲକ୍ଡାଉନ ଯେ, ଏକମାତ୍ର ଫଳପ୍ରଦ ଉପାୟ ଥିଲା ଏହା ଆମକୁ ମାନି ନେବାକୁ ପଡିବ । ପ୍ରାଥମିକ ପର୍ଯ୍ୟାୟରେ ଲକ୍ଡାଉନ ଅନେକଙ୍କୁ ବିବ୍ରତ ଓ ବିଚଳିତ କରିଥିଲେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାରେ କଟକଣା କୋହଳ ଯୋଗୁଁ ଏବେ ଧୀରେ ଧୀରେ ପରିସ୍ଥିତି ସ୍ୱାଭାବିକ ହେଉଛି । ଯେତେବେଳେ ଯେଉଁ ସମୟ ଆସିବ ତାକୁ ତ ଆମ ସମସ୍ତଙ୍କୁ ମାନିନେବାକୁ ପଡିବ । ପରିବର୍ତ୍ତିତ ସମୟ ସହିତ ତାଳ ଦେଇ ଚାଲିବା ହେଉଛି ମଣିଷର ଧର୍ମ । ସୃଷ୍ଟିର ଆରମ୍ଭ କାଳରୁ ସମୟ ସହିତ ପାଦକୁ ପାଦ ମିଶାଇ ଏ ମଣିଷ ଜାତି ଆଜିଯାଏଁ ଚାଲିଆସିଛି । ଆଉ ଆଗକୁ ଚାଲିବ ମଧ୍ୟ ।

ଅବଶ୍ୟ ଆମ ଗନ୍ତବ୍ୟ ପଥରେ ଏମିତି ଅନେକ ବିପତ୍ତି ଓ ବିପର୍ଯ୍ୟୟ ଆମକୁ ପଥରୋଧ କରିବ । ଆମର ଜୀବପନଯାପନ ପ୍ରଣାଳୀକୁ ଗୁରୁତର ପ୍ରଭାବିତ କରିବ । ତଥାପି ଆମକୁ ଏହାର ମୁକାବିଲା କରିବାକୁ ପଡିବ । କରୋନା ମହାମାରୀ ଆଜି ଆମକୁ ଭାବପ୍ରବଣ ପରିବର୍ତ୍ତେ ବାସ୍ତବବାଦୀ କରି ଦେଇଛି । ସତକୁ ସାମ୍ନା କରିବାର ସାହସ ଆମ ଭିତରେ ଭରି ଦେଇଛି । ଭୋକ ଓ ଭୟ ସହିତ ଲଢିବାର ପ୍ରେରଣା ଯୋଗାଇଛି । ମୃତୁ୍ୟ ଭଳି ଚିରନ୍ତନ ସତ୍ୟକୁ ନିକଟରୁ ଦେଖିବାର ସୁଯୋଗ ସୃଷ୍ଟି କରିଛି । ଗାଁ ଓ ପରିବାରର ନିକଟତର କରାଇଛି । ଜୀବନ ଜୀଇଁବାର କୌଶଳ ଶିଖାଇ ଦେଇଛି । ସହଯୋଗ ଓ ସହାନୁଭୂତିର ପରିଭାଷା ଶିଖାଇଛି । ସମୟର ଚକାଭଉଁରୀ ଖେଳରେ ଆମେ କିଛି ହରେଇଛନ୍ତି ଓ କିଛି ପାଇଛନ୍ତି ଏକଥା ବିଲକୁଲ୍ ସତ ।

Leave A Reply