Odisha news

ଯିଏ ରାମ ସିଏ ଜଗନ୍ନାଥ 

0
ସନାତନ ହିନ୍ଦୁ ଧର୍ମର ଧର୍ମଗ୍ରନ୍ଥ, କିମ୍ବଦନ୍ତୀ, ଲୋକକଥା ତଥା ବିଭିନ୍ନ ସାଧୁ ସନ୍ଥ ପଣ୍ଡିତଙ୍କ ଧାର୍ମିକ ବିଶ୍ଳେଷଣ ଆଦିକୁ ଅନୁଧ୍ୟାନ କଲେ ଆମେ ପ୍ରଭୁ ଶ୍ରୀରାମ ଏବଂ ଶ୍ରୀ ଜଗନ୍ନାଥଙ୍କ ବିଷୟରେ ଜାଣିପାରିବା। ହିନ୍ଦୁଧର୍ମ ରେ ବହୁଧା ଅର୍ଥାତ୍ ଭିନ୍ନ ମତ ର ସ୍ଥାନ ରହିଛି। ଋଗବେଦରେ  “ଏକମ୍ ସତ୍ ବିପ୍ରାହ୍ଃ ବହୁଧା ବଦନ୍ତି” ବୋଲି କୁହାଯାଇଛି। ଏହାର ଅର୍ଥ ହେଉଛି “ସତ୍ୟ ଗୋଟିଏ କିନ୍ତୁ ଜ୍ଞାନୀମାନେ ତାକୁ ଭିନ୍ନ ଭିନ୍ନ ଭାବରେ ତଥା ରୂପରେ ବର୍ଣ୍ଣନା କରନ୍ତି।” , ସେଥିପାଇଁ ହିନ୍ଦୁ ଦର୍ଶନରେ ନିରିଶ୍ୱରବାଦୀ ତଥା ନାସ୍ତିକ ସିଦ୍ଧାନ୍ତ ଯେପରିକି ଋଷି ଚାର୍ବାକ୍ ଙ୍କ ଲୋକାୟତ ଦର୍ଶନ କୁ ମଧ୍ୟ ଅନ୍ୟ ଆସ୍ତିକଙ୍କ ପରି ଠିକ୍ ସେହି ଭଳି ଜାଗା ମିଳିଛି।
ସମସ୍ତ ମତ, ପନ୍ଥି ଓ ଧର୍ମାବଲମ୍ୱୀ ମାନଙ୍କର ଶ୍ରୀ ଜଗନ୍ନାଥଙ୍କ ପ୍ରତି ବିଶ୍ୱାସ ଓ ଶ୍ରଦ୍ଧା ରହିଆସିଛି।
ୟମ୍ ଶୈଵଃ ସମୁପାସତେ ଶିବ ଇତି ବ୍ରହ୍ମେତି ବେଦନ୍ତୀନଃ।
ବୌଦ୍ଧ ବୁଦ୍ଧ ଇତି ପ୍ରମାଣପତଵଃ କର୍ତ୍ତେତି ନ୍ୟାୟାୟିକଃ।।
ଅରହନିତ୍ୟଥା ଜୈନ ଶାସନରତଃ କର୍ମେତି ମୀମାଂସକଃ।
ସୋୟମ୍ ଭୋ ବିଦଧତୁ  ବାଞ୍ଛିତଫଲମ୍ ତ୍ରୈଲୋକ୍ୟନାଥୋ ହରିଃ।।
ଅର୍ଥାତ୍- ହେ ମହାପ୍ରଭୁ, ଶୈବ ମାନେ ଆପଣଙ୍କୁ ଶିବଙ୍କ ରୂପରେ, ବେଦାନ୍ତୀ ମାନେ ବ୍ରହ୍ମାଙ୍କ ରୂପରେ, ବୌଦ୍ଧ ମାନେ ବୁଦ୍ଧଙ୍କ ରୂପରେ, ଜୈନ ମାନେ ଅରାହତ ଜୀନ ଙ୍କ ରୂପରେ, ନ୍ୟାୟାୟିକ ମାନେ ନ୍ୟାୟାବତାର  ଭାବେ ଏବଂ ମୀମାଂସକ ମାନେ କର୍ମାବତାର ଭାବେ ତୁମର ଉପାସନା କରନ୍ତି । ହେ ଅନାଥ ଲୋକର ନାଥ ଜଗନ୍ନାଥ, ମନୋବାଞ୍ଛିତ ଫଳ ପ୍ରଦାନ କର।
ଶ୍ରୀ ଜଗନ୍ନାଥ ଓ ଶ୍ରୀରାମ ଙ୍କ ମଧ୍ୟରେ କିଛି ଅନ୍ତର ନାହିଁ। ସୁତରାଂ, ଦୁହେଁ ଦୁଇ ଜଣଙ୍କ ଅନନ୍ୟ ଅବତାର ମାତ୍ର। ଯେପରିକି ପୁରାଣରେ କୁହାଗଲା “ସର୍ବଦେବ ନମସ୍କାରମ୍ କେଶବମ୍ ପ୍ରତିଗଛତି।”  କିମ୍ବା ସ୍କନ୍ଦ ପୁରାଣରେ କୁହାଗଲା “ଯଥା ତୋୟ ପ୍ରବାହାଣାମ୍ ସମୁଦ୍ରହ ପରମାବଧି। ତଥୈବ ସର୍ବ ମାର୍ଗାଣମ୍ ସାକ୍ଷ୍ୟାନିଷ୍ଠା ମହେଶ୍ୱର।।” ଅର୍ଥାତ୍ ଯେପରି ଆକାଶରୁ ବୃଷ୍ଟିଜଳ ସମୁଦ୍ରରେ ସମାହିତ ହୋଇଥାଏ, ସେହିପରି ଯେକୌଣସି ଦେବାଦେବୀଙ୍କ ପ୍ରତି ପ୍ରଣାମ ସେହି କେଶବ ତଥା ମହେଶ୍ୱରଙ୍କୁ ଯାଏ। ଯଦି ଆମେ ଏହି ସିଦ୍ଧାନ୍ତକୁ ସ୍ଥୂଳଚକ୍ଷୁରେ ଦେଖିବା ତେବେ ଶ୍ରୀ ଜଗନ୍ନାଥ ମନ୍ଦିର ର ଶିଖର ରେ ଅଙ୍କାଯାଇଥିବା ରାମାନଦୀ ଟିକା କୁ ଦେଖିପରିବା, ଯାହାକି ଶ୍ରୀ ରାମାନନ୍ଦାଚାର୍ଯ୍ୟ ସମ୍ପ୍ରଦାୟ ର ବୈଷ୍ଣବ ସିଦ୍ଧାନ୍ତ ଅନୁସାରେ ବିଷ୍ଣୁ, କେଶବ, ରାମ ଓ ଜଗନ୍ନାଥଙ୍କୁ ଯୋଡେ ଏବଂ ଅବତାରର ପ୍ରତିରୂପ ବୋଲି ଦର୍ଶାଏ। ଯଦିଓ ବୈଷ୍ଣବମାନେ ମଧ୍ୟ ଭୌଗଳିକ ଓ ସାମାଜିକ କାରଣରୁ ଭିନ୍ନ ଭିନ୍ନ ମାର୍ଗରେ ପ୍ରଭୁଙ୍କୁ ଅର୍ଚ୍ଚନା କରନ୍ତି, ଯେପରିକି ଉତ୍କଳୀୟ ବୈଷ୍ଣବ ମାନେ “ଜ୍ଞାନ ମିଶ୍ର ଭକ୍ତି” ରେ ବିଶ୍ୱାସ ରଖନ୍ତି କିନ୍ତୁ ବଙ୍ଗୀୟ/ଗୌଡିୟ ବୈଷ୍ଣବ ମାନେ “ରାଗାନୁଗ ଭକ୍ତି” ଅର୍ଥାତ୍ ପ୍ରେମ ଓ ସମର୍ପଣ ରେ ବିଶ୍ୱାସ ରଖନ୍ତି।
ଶ୍ରୀ ଜଗନ୍ନାଥଙ୍କ ଅନ୍ୟନାମ ପୁରୁଷୋତ୍ତମ ଏବଂ ଶ୍ରୀରାମଙ୍କ ଅନ୍ୟନାମ ବି ମର୍ଯ୍ୟାଦା ପୁରୁଷୋତ୍ତମ ଅର୍ଥାତ୍ ଦୁହେଁ ହେଉଛନ୍ତି ପୁରୁଷ ମାନଙ୍କ ମଧ୍ୟରେ ଶ୍ରେଷ୍ଠ। ତ୍ରେତୟାରେ ଶ୍ରୀରାମ ଏବଂ କଳିଯୁଗରେ ଶ୍ରୀ ଜଗନ୍ନାଥ  ଧର୍ମର ପ୍ରତିଷ୍ଠା ପାଇଁ ଦେବଭୂମି ଭାରତରେ ଅବତୀର୍ଣ୍ଣ ହୋଇ ନିଜର ଉତ୍କୃଷ୍ଟ ଜୀବନ ମୂଲ୍ୟକୁ ପ୍ରତିପାଦିତ କରିଛନ୍ତି। ପିଢ଼ି ପରେ ପିଢ଼ି ସମସ୍ତେ ରାମାୟଣ ଶୁଣି ଶୁଣି ବଡ ହୋଇଛନ୍ତି। ଏହାକୁ କେବଳ ପୁରାଣ କହି ଏଡାଇଦେବା ବୋଧହୁଏ ଭୁଲ ହେବ, ଆମକୁ ମାନିବାକୁ ହେବ ଯେ ଶ୍ରୀରାମ ମା ଭାରତୀ ଙ୍କ କୋଳମଣ୍ଡନ କରି  “ଧର୍ମସଂସ୍ଥାପନାର୍ଥୟ ସମ୍ଭବାମି ଯୁଗେଯୁଗେ” ଉକ୍ତିକୁ ଚରିତାର୍ଥ କରିଛନ୍ତି।
ଓଡ଼ିଶାରେ ଗଙ୍ଗ ରାଜବଂଶ ର ଶାସନକାଳ ସମୟରେ ସୀତାରାମ ଙ୍କ ଆନୁଷ୍ଠାନିକ ପୂଜାର ଆରମ୍ଭ ହୋଇଥିବା କଥା ଇତିହାସ ପୃଷ୍ଠାରୁ ଜଣାପଡେ। ଶ୍ରୀକୁର୍ମମ୍ ମନ୍ଦିର ଶିଳାଲେଖ ରୁ ଜଣାପଡେ ଯେ, ଗଙ୍ଗବଂଶୀ ରାଜା ଭାନୁଦେବ ପ୍ରଥମ ଙ୍କ ସମୟରେ ଓଡ଼ିଶା ଭ୍ରମଣରେ ଆସିଥିଲେ ମହାନ୍ ଅଦ୍ଵୈତବାଦୀ ଶ୍ରୀ ନରହରି ତୀର୍ଥ । ଭାନୁଦେବଙ୍କ ପୁତ୍ର ରାଜା ନରସିଂହଦେବ ଦ୍ଵିତୀୟ ଙ୍କ ଆଧ୍ୟାତ୍ମିକ ପରାମର୍ଶଦାତା ହେବା ସହ ଶ୍ରୀକୁର୍ମମ୍ ମନ୍ଦିର ରେ ରାମ, ସୀତା ଏବଂ ଲକ୍ଷ୍ମଣ ଙ୍କ ମୂର୍ତ୍ତି ପ୍ରତିସ୍ଥାପିତ କରିଥିଲେ।
ଅନ୍ୟ ସାଧୁସନ୍ଥଙ୍କ ଭଳି  ଗୋସ୍ୱାମୀ ତୁଳସୀ ଦାସ ଏକଦା  ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ସକାଶେ ପୁରୀ ଆସିଥାନ୍ତି।  ସେ ଯେତେବଳେ ରତ୍ନ ସିଂହାସନରେ ବିରାଜମାନ ଜଗନ୍ନାଥଙ୍କୁ ଦେଖିଲେ, ସେଠାରେ ସେ ତାଙ୍କ ଆରାଧ୍ୟ ଶ୍ରୀରାମ ଙ୍କୁ ଦେଖି ଚକିତ ହୋଇଯାଇଥିଲେ। ଆଉ ବଳଭଦ୍ର ଙ୍କୁ ଲକ୍ଷ୍ମଣ ଭାବେ ଏବଂ ଭଗବତୀ ସୁଭଦ୍ରାଙ୍କୁ ମାତା ସୀତା ଙ୍କ ଅବତାର ଭାବେ ଦେଖିଲେ ଆଉ ସେ ଅବଧି ଭାଷାରେ କହିଲେ –
“ଯୋହି ରାମ ସୋହି ଜଗଦୀଶ, ଦିନ ହି କେ ଅନନ୍ତ ପାବତ ସେଶା।
ଶେସା ଭୟ ଲଛିମନ ଅନୁଚରି, ଭଦ୍ରା ସୋ ସୀୟା ରାଜକୁମାରୀ “
ଅର୍ଥାତ୍ ସେ ରାମ, ଯିଏ ଜଗନ୍ନାଥ। ଭାରତର ସମସ୍ତ ରାମ ଭକ୍ତ ଜଗନ୍ନାଥ ଙ୍କୁ ପ୍ରଭୁ ରାମ ଭାବେ ପୂଜା କରନ୍ତି।
ବାଲ୍ମିକୀ ରାମାୟଣ ରେ ମହର୍ଷି ବାଲ୍ମିକୀ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି-
” ଆରାଧ୍ୟ ଜଗନ୍ନାଥମ୍ ଇକ୍ଷାକୁ କୁଳ ଦୈବତାମ୍ ।
ଆରାଧନିୟୋ ମଣିଶମ୍ ଦେବାନାମ୍ ବସବୈସଃ।।”
ପରମ ଭକ୍ତ ଶ୍ରୀ ହନୁମାନ ଓ ରାଜା ବିଭୀଷଣଙ୍କୁ ଉପଦେଶ ଭାବେ ଶ୍ରୀ ରାମ କହିଛନ୍ତି ଯେ ତ୍ରେତୟା ଯୁଗ ପରେ ମୋତେ ଶ୍ରୀ ଜଗନ୍ନାଥଙ୍କ ନାମରେ ଉପାସନା କରିବ।  ବାଲ୍ମିକୀ ରାମାୟଣ ଅନୁସାରେ ଶ୍ରୀ ଜଗନ୍ନାଥ ଓ ଶ୍ରୀରାମ ଉଭୟ ସୂର୍ଯ୍ୟବଂଶୀ/ ଇକ୍ଷାକୁ ବଂଶୀ ଥିଲେ।
ଶ୍ରୀରାମ ଓ ଜଗନ୍ନାଥଙ୍କ ସାଂସ୍କୃତିକ ସମନ୍ଵୟ କୁ ଜଗନ୍ନାଥଙ୍କ ମନ୍ଦିର ନିତିକାନ୍ତି ରେ ପ୍ରତିଫଳିତ ହୁଏ। ଜଗନ୍ନାଥ ମନ୍ଦିର ପୂର୍ବ ଦ୍ଵାରରେ ଥିବା ଦଶାବତାର ମୂର୍ତ୍ତିରେ କୋଦଣ୍ଡଧାରୀ ଶ୍ରୀରାମ ଙ୍କ ବିଗ୍ରହ ଅବସ୍ଥିତ ରହିଛି। ରଥଯାତ୍ରା ସମୟରେ ପୂର୍ଣ୍ଣିମା ଦିନ ରାତିରେ ବିଭୀଷଣ ଶ୍ରୀ ବିଗ୍ରହଙ୍କୁ ପୂଜା କରିଥାନ୍ତି। ଶ୍ରୀଜୀଉଙ୍କ ପବିତ୍ର ରଘୁନାଥ ବେଶ ଯାହାକି ଅତି ବିରଳ ଓ ମନୋରମ ଦୃଶ୍ୟ। ଯେଉଁ ବର୍ଷ ଶ୍ରୀରାମ ଙ୍କ ରାଜ୍ୟାଭିଷେକ ବୈଶାଖ ମାସରେ ପଡେ, ସେଦିନ ଏଇ ବେଶ କରାଯାଏ। ଶ୍ରୀମନ୍ଦିରର ମାଦଳା ପାଞ୍ଜି ଅନୁସାରେ ଏହି ବିରଳ ନୀତି  ପ୍ରଥମେ ୧୫୭୭ ମସିହାରେ ଅନୁଷ୍ଠିତ ହୋଇଥିଲା ଏବଂ ତା’ପରେ ଯଥାକ୍ରମେ ୧୭୩୯, ୧୮୦୯, ୧୮୩୩, ୧୮୪୨, ୧୮୯୩, ୧୮୯୬ ଏବଂ ଶେଷ ଥର ପାଇଁ ୧୯୦୫ ମସିହାରେ ହେଇଥିଲା । ଏହି ବେଶ ପାଇଁ ଶ୍ରୀଜୀଉଙ୍କୁ ସୁବର୍ଣ୍ଣ ଅଳଙ୍କାର ରେ ଶୃଙ୍ଗାର କରାଯାଏ। ଯେହେତୁ ରତ୍ନ ଭଣ୍ଡାର ଖୋଲିବା ନ ଖୋଲିବା ବିବାଦସ୍ପଦ ହୋଇରହିଛି ସେ ପାଇଁ ଏହି ବେଶ ବହୁବର୍ଷ ହେବ ହୋଇପାରିନାହିଁ।
ପୁରୀ ରେ ଚୈତ୍ରମାସ ରାମ ନବମୀ ସମୟରେ ୧୫ ଦିନ ସାହି ଯାତ୍ରା ଅନୁଷ୍ଠିତ ହୁଏ ରାମାୟଣ ର ବିଭିନ୍ନ ପାତ୍ର ଯେପରିକି ରାମ, ଲକ୍ଷ୍ମଣ ସୀତା, ପରଶୁରାମ, ରାବଣ ଆଦି ଙ୍କ ପଟୁଆର ବାହାରେ।  ବସନ୍ତ ପଞ୍ଚମୀ ସମୟରେ ପୁରୀ ରେ ବେଣ୍ଟ ଯାତ୍ରା ଅନୁଷ୍ଠିତ ହୁଏ ଯେଉଁଥିରେ ପ୍ରଭୁ ଶ୍ରୀରାମ ଙ୍କୁ ନଗର ପରିକ୍ରମା କରି ଶିକାର ପାଇଁ ଜଗନ୍ନାଥ ବଲ୍ଲଭ ଉଦ୍ଦ୍ୟାନ କୁ ନିଆଯିବାର ବିଧାନ ରହିଛି।
ରଥଯାତ୍ରା ସମାପ୍ତି ଆଡ଼କୁ ନବଦିନ ଯାତ୍ରା ସମାପନ କରି ନୀଳାଦ୍ରି ବିଜେ ବୃତ୍ତାନ୍ତ ଟି ଶ୍ରୀରାମ ଙ୍କ ଅଯୋଧ୍ୟା ଆଗମନ ଭଳି ଅନୁଷ୍ଠିତ ହୁଏ।
ଓଡିଶାରୁ ଉତ୍ପତ୍ତି ହୋଇଥିବା ନାଥ ସମ୍ପ୍ରଦାୟ ର ଟିକା ଗୋବିନ୍ଦଚନ୍ଦ୍ର ପୁସ୍ତକ ରୁ ଉଦ୍ଧୃତ ଏକ ପ୍ରସିଦ୍ଧ ଲୋକଗୀତ ହେଲା –
“ଭଜୁ କିନା ରାମ ନାମରେ କୁମର, ବୋଲୁ କିନା ରାମ ନାମ ।
ଭଜି ନପାରିଲେ କୁଳଚନ୍ଦ୍ରମାରେ, ବାନ୍ଧିନେବ କାଳଯମ ରେ ।।”
ଏହି ଗୀତ ଗାଇ କେନ୍ଦରା ବଜାଇ ବଜାଇ ରାମ ନାମ ର ପ୍ରଚାର କରି ଗାଁ ଗାଁ ବୁଲନ୍ତି ନାଥ ସମ୍ପ୍ରଦାୟ ର ସିଦ୍ଧ ଯୋଗୀ ମାନେ।
ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସ ର ତତ୍ତ୍ଵାବଧାନ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳ ରେ ଲୋକାର୍ପିତ ହେବାକୁ ଥିବା ଶ୍ରୀରାମଙ୍କ ମନ୍ଦିର ଆମ ସଂସ୍କୃତି ର ଆଧୁନିକ ପ୍ରତୀକ ହେବ । ଆମର  ସନାତନ ଶାଶ୍ୱତ ଓ ଆସ୍ଥାର ପ୍ରତୀକ ପାଲଟିବ । ଏହା ଆମ ରାଷ୍ଟ୍ରୀୟ ଭାବନାର ପ୍ରତୀକ ହେବ ଏବଂ ଏହି ମନ୍ଦିରନ୍ଦି କୋଟି କୋଟି ଲୋକଙ୍କ ସାମୁହିକ ସଂକଳ୍ପ, ଶକ୍ତିର ବି ପ୍ରତୀକ ପାଲଟିବ । ଏ ମନ୍ଦିରନ୍ଦି ଆଗାମୀ ପିଢିକୁ ଆସ୍ଥା, ଶ୍ରଦ୍ଧା ଏବଂ ସଂକଳ୍ପର ପ୍ରେରଣା ଦେବ ।
ଦୁନିଆର ଅନେକ ଦେଶ ରାମଙ୍କ ନାମ ବନ୍ଦନା କରନ୍ତି । ସେଠାକାର ନାଗରିକ ନିଜକୁ ନିଜେ ଶ୍ରୀରାମଙ୍କ ସହ ଯୋଡି ହୋଇଯାଆନ୍ତି ଏବଂ ତାଙ୍କୁ ଭକ୍ତି କରନ୍ତି । ବିଶ୍ୱର ସର୍ବାଧିକ ମୁସଲମାନ ଜନସଂଖ୍ୟା ବିଶିଷ୍ଟ ଦେଶ ଇଣ୍ଡୋନେସିଆରେ ମଧ୍ୟ ରାମ ବେଶ୍ ଲୋକପ୍ରିୟ । ଆମ ଦେଶ ଭଳି ସେଠାରେ ‘କାକାବିନ୍’ ରାମାୟଣ, ସ୍ୱର୍ଣ୍ଣଦ୍ୱୀପ ରାମାୟଣ, ଯୋଗେଶ୍ୱର ରାମାୟଣ ଭଳି ଅନେକ ଅଭିନବ ରାମାୟଣ ରହିଛି। ରାମ ଆଜି ମଧ୍ୟ ସେଠାରେ ପୂଜନୀୟ । କାମ୍ବୋଡ଼ିଆରେ ‘ରମକେର’ ରାମାୟଣ, ଲାଓରେ ‘ଫ୍ରା ଲାକ୍ଫ୍ରା ଲାମ’ ରାମାୟଣ, ମାଲେସିଆରେ ‘ହିକାୟତ ସେରି ରାମତୋ’, ଥାଇଲାଣ୍ଡରେ ‘ରାମାକେନ୍’ ଆଦି ରାମାୟଣ ଲୋକପ୍ରିୟ । ଇରାନ ଏବଂ ଚୀନରେ ମଧ୍ୟ ରାମକଥା ଓ ବିବରଣୀ ଆପଣଙ୍କୁ ମିଳିବ। ଶ୍ରୀଲଙ୍କାରେ ରାମାୟଣ କଥା ଜାନକୀ ହରଣ ନାମରେ ପରିଚିତ। ନେପାଳରେ ରାମଙ୍କ ସହିତ ଲୋକଙ୍କର ଆତ୍ମିକ ସଂପର୍କ ରହିଛି। କାରଣ ଏ ଦେଶ ମାତା ଜାନକୀଙ୍କ ଜନ୍ମମାଟି।
ଆମ ଅସ୍ମିତା ତଥା ଭାବାବେଗ ର ପ୍ରତୀକ ଶ୍ରୀରାମ ଙ୍କ ବିନା ଭାରତ ଓ ଜଗନ୍ନାଥଙ୍କ ବିନା ଉତ୍କଳ ର କଳ୍ପନା ଅସମ୍ଭବ। ସୁତରାଂ, ପ୍ରଭୁ ଶ୍ରୀରାମ ଓ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ର ସମନ୍ଵୟ ଓ ସଂଶ୍ଳେଷଣ ଆମ ଚିରନ୍ତନ ଓ ସନାତନ ଧ୍ୟେୟ ହେଉ। ଭାରତର ଜନଜୀବନ ରେ ସାମାଜିକ ନ୍ୟାୟ, ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଏବଂ ରାଷ୍ଟ୍ରୀୟ ଚରିତ୍ରର ଭାବ ସଞ୍ଚାରିତ ହେଉ। ଏତିକି ହିଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା।
ଜୟ ଶ୍ରୀ ରାମ, ଜୟ ଜଗନ୍ନାଥ , ଜୟ ମା ଭାରତୀ
Leave A Reply