ତିହିଡି, ୧୯/୦୬(ଯଦୁମଣି ପାଣିଗ୍ରାହୀ): ତିହିଡି ତହସିଲ ଅଫିସରେ ଚାଲିଥିବା ଅନିୟମିତତା ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବି ଏହାର କୌଣସି ପ୍ରଭାବ କାର୍ଯ୍ୟରତ କର୍ମଚାରୀଙ୍କ ଉପରେ ନ ପଡିବା ବିଡମ୍ବନାର ବିଷୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଜଣେ ଅଣ କର୍ମଚାରୀ ଅଫିସ ଭିତରେ ବସି ସରକାରୀ କାମରେ ହସ୍ତକ୍ଷେପ କରିବା ସହ ଲୋକଙ୍କ ଠାରୁ ହାତଗୁଞ୍ଜା ନେଉଥିବା ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ଶୁଣିବାକୁ ମିଳୁଛି । ଅନ୍ୟପକ୍ଷେ ଜଣେ ଅସ୍ଥାୟୀ କର୍ମଚାରୀ କେକର୍ଡ ରୁମରେ ପଶି ବିଭିନ୍ନ କଥାରେ ହସ୍ତକ୍ଷେପ କରିବା ସହ ଲୋକଙ୍କୁ ହାତଗୁଞ୍ଜା ମାଗୁଥିବା ଅଭିଯୋଗ ହେଉଛି । ନାମଜାରୀ ବିଭାଗରେ କାର୍ଯ୍ୟରତ କର୍ମଚାରୀ ଜଣଙ୍କ ନିଜ ଦାୟିତ୍ୱ ସୂଚାରୁରୂପେ ସମ୍ପାଦନା କରୁନଥିବା ବେଳେ ଲୋକଙ୍କୁ ବିଭିନ୍ନ ଆଳରେ ହଇରାଣ କରୁଥିବା ଅଭିଯୋଗ ହେଉଛି । ସେହିପରି କାର୍ଯ୍ୟରତ ବଡବାବୁ ଜଣଙ୍କ ନିଜ ସ୍ୱାର୍ଥ ସାଧନ ନିମନ୍ତେ ଏକ ନିର୍ଦ୍ଦିଷ୍ଟ ଜନସେବା କେନ୍ଦ୍ର ଲାଗି କାର୍ଯ୍ୟ କରୁଥିବା ବେଳେ ସରକାରୀ ଆଇଡି ଓ ପାସୱାର୍ଡକୁ ବାହାର ଲୋକଙ୍କ ହାତକୁ ଟେକି ଦେଇଥିବା ଅଭିଯୋଗ ହେଉଛି । ଏସବୁ ବ୍ୟତୀତ ନାମଜାରୀ, ରେକର୍ଡ ସଂଶୋଧନ, ସରକାରୀ ଭାବେ ଜମି ମାପଚୁପ ସର୍ବୋପରି ବିଭିନ୍ନ ସାର୍ଟିଫିକେଟ ପ୍ରଦାନ ଆଦିରେ ଜାଣିଶୁଣି ବିଳମ୍ବ କରାଯିବା ସହ ଲୋକଙ୍କୁ ସିଧାସଳଖ ହାତଗୁଞ୍ଜା ମଗାଯାଉଥିବା ପୀତାମ୍ବର ମଳିକ, ଅମିତ ପଣ୍ଡା, ବିନୟ ଦାସ, ନାରାୟଣ ଚନ୍ଦ୍ର ଦାସ, ମୁକ୍ତିକାନ୍ତ ଭଳ, କାହ୍ନୁ ବେହେରା, ଶ୍ରୀକାନ୍ତ ପଣ୍ଡା, ନିର୍ମଳ ଦଳେଇ, ପୁରସ୍ତମ ସାହୁ, ସତ୍ୟବ୍ରତ କୁଣ୍ଡ ଓ ତପନ ପଣ୍ଡା ପ୍ରମୁଖ ଅଭିଯୋଗ କରିଛନ୍ତି ।
