ତିହିଡି (ଯଦୁମଣି ପାଣିଗ୍ରାହୀ ) : ସାଳନ୍ଦୀ ଓ ନାଳିଆରେ ପାଣି ଆସି ତିହିଡି ବ୍ଲକର ୫ଟି ପଞ୍ଚାୟତରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଗତ ଦୁଇ ଦିନ ପୂର୍ବରୁ ହଦଗଡ ଡ୍ୟାମରୁ ପାଣି ଛଡା ଯିବାପରେ ସଂପ୍ରତି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏହି ବ୍ଲକର ବାରୋ, ବିଲଣା, ବୋଡକ, ତଳଗୋପବିନ୍ଧା ପଞ୍ଚାୟତ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଥିବା ଜଣାଯାଇଛି । ·ଷ ଜମିରେ ୨ରୁ ୩ ଫୁଟ୍ର ପାଣି ଜମିଥିବା ବେଳେ ଗାଁଗଣ୍ଡାରେ ପାଣି ଲହରିି ଖେଳୁଛି । ଫଳରେ ·ଷୀ ପକାଇଥିବା ତଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ରୁଆ ଧାନ ମଧ୍ୟ ପଚିଗଲାଣି । ଏଥିସହିତ କାଁପଡା ପଞ୍ଚାୟତର ଆଂଶିକ ଜମି ଜଳମଗ୍ନ ହୋଇଥିବା ଜଣାଯାଇଛି । ବିଗତ ଦିର୍ଘଦିନ ଧରି ବର୍ଷା ହୋଇନଥବା ବେଳେ ଏଭଳି କ୍ରୁତିମ ବନ୍ୟାରେ ଲୋକେ ଭୟଭୀତ ହୋଇ ପଡିଛନ୍ତି ।
ବିଗତ ଦିନରେ ସାଳନ୍ଦୀ ସଂସ୍କାର ଯୋଜନାର ସଫଳ ରୂପାୟନ ହୋଇନଥିବା ବେଳେ ସମ୍ପ୍ରତି ଆଡ଼ିବନ୍ଧ ନିର୍ମାଣ ଅଧପନ୍ତରିଆ ହୋଇଥିବାରୁ ହଦଗଡ଼ରୁ ଛଡ଼ା ଯାଇଥିବା ପାଣି ଗାଁଗଣ୍ଡାକୁ ପଶୁଛି । ସାଳନ୍ଦୀ ଅବବାହିକାରେ ପାଣି ଭାସୁଥିବା ବେଳେ ନାଳିଆ ନଈର ପାଶ୍ୱବର୍ତ୍ତୀ ଗାଁ ଗୁଡ଼ିକ ମଧ୍ୟ ଉବୁଟୁବୁ ହେଉଛି । ସୂଚନା ମୁତାବକ ଉପର ମୁଣ୍ଡରେ ବର୍ଷା ହେତୁ ଜଳସେଚନ ବିଭାଗ ପକ୍ଷରୁ ତରବରିଆ ଭାବେ ହଦଗଡ଼ ଡ୍ୟାମରୁ ସ୍ଲୁଇସ୍ ଗୁଡ଼ିକ ଖୋଲି ଦିଆଯାଇଛି । ଦୈନିକ ୫ଶହରୁ ହଜାରେ କୁ୍ୟସେକ୍ ପାଣି ଛଡାଗଲେ ଏଠି ବନ୍ୟା ପରିସ୍ଥିତି ହେଉଥିଲା ବେଳେ ବିଗତ ୨ଦିନ ଧରି ସେଠାରୁ ୩ ହଜାର କୁ୍ୟସେକ ପାଣି ଛଡ଼ା ଯାଇଛି ।
ଯାହା‘ଫଳରେ ଏହି ପଞ୍ଚାୟତ ଗୁଡିକ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ଯାଇଛି । ତହସିଲ ପ୍ରଶାସନ ଓ ସାଳନ୍ଦୀ ଜଳସେଚନ ବିଭାଗର ଅଧିକାରୀ ମାନେ ଗତକାଲି ସନ୍ଧ୍ୟାରେ କ୍ଷେତ୍ରୀୟ ପରିଦର୍ଶନ କରି ଫେରିଥିବା ଜଣାଯାଇଛି । ଖରାଦିନେ ନାଳିଆ ନଈର ଆଡ଼ିବନ୍ଧ ନିର୍ମାଣ ହେଉଥିବା ବେଳେ କେତେକ ଜବରଦଖଲକାରୀଙ୍କ ବିରୋଧରୁ କାମ ଅଧପନ୍ତରିଆ ହୋଇ ରହିଛି । ଯାହା ଫଳରେ ହଦଗଡ଼ରୁ ଛଡ଼ାଯାଇଥିବା ପାଣି ସାଳନ୍ଦୀ ଓ ନାଳିଆ ଦେଇ ତଳମୁଣ୍ଡକୁ ଯିବା ପରିବର୍ତ୍ତେ ଏହି ପଞ୍ଚାୟତରେ ଅଟକି ରହିଛି ।