ତିହିଡି,୨୯/୦୪(ଯଦୁମଣି ପାଣିଗ୍ରାହୀ): ତିହିଡି ଥାନା ପାଳିଆବିନ୍ଧା ବେହେରାସାହିରେ ବଧୂହତ୍ୟା ଅଭିଯୋଗ ହୋଇଛି । ଘଟଣାର ପ୍ରାଥମିକ ତଦନ୍ତ ପରେ ପୋଲିସ ମୃତାଙ୍କ ସ୍ୱାମୀ, ଶାଶୁ ଓ ଶ୍ୱଶୁର ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ମୃତା ଅଖିଲତା ଦଳେଇ, ବୟସ ମାତ୍ର ୨୪ । ୪ ବର୍ଷ ତଳେ ସେ ମଧୁସୂଦନ ଦଳେଇଙ୍କୁ ବିବାହ କରିଥିଲେ । ତାଙ୍କର ୩ ବର୍ଷର ପୁଅଟିଏ ମଧ୍ୟ ଅଛି । ମଧୁସୂଦନ ନିଜକୁ ଅସହାୟ ମନେ କରିବା ସହିତ ତାଙ୍କ ମାଆ ଓ ବାପା ନିୟମିତ ଭାବେ ସ୍ତ୍ରୀ ସହିତ ଝଗଡା କରନ୍ତି ଏବଂ ବାପା ମାରଧର ମଧ୍ୟ କରନ୍ତି । ଏବେ ମାରିଦେଲେ ସେମାନଙ୍କ ମନ ବୁଝିଗଲା ବୋଲି ସର୍ବସମ୍ମୁଖରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛି । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଥିଲା । ଆଜି ସକାଳ ପ୍ରାୟ ୬.୩୦ଘଟିକାରେ ସ୍ତ୍ରୀ ହାତରୁ ଜଳଖିଆ ଖାଇ ମୂଲ ଲାଗିବାକୁ ପାଖ ଗାଁକୁ ଯାଇଥିଲା । କିଛି ସମୟରେ ପରେ ଏଭଳି ଅଘଟଣର ଖବର ପାଇ ଅତ୍ୟନ୍ତ ମ୍ରିୟମାଣ ହୋଇ ପଡିଛନ୍ତି ମଧୁସୂଦନ । ସେପଟେ ଗ୍ରାମବାସୀ ମଧ୍ୟ ମୃତାଙ୍କ ଶାଶୁ ଓ ଶ୍ୱଶୁରଙ୍କ ବିରୋଧରେ ବୟାନ୍ ଦେଇଛନ୍ତି । ସୋମବାର ସକାଳ ପ୍ରାୟ ୮ ଘଟିକାରେ ଅଖିଲତା ନିଜ ଶୋଇବା ଘରେ ଆଲଣାରେ ଶାଢୀରେ ଆତ୍ମହତ୍ୟା କରିଥିବା ଶ୍ୱଶୁର ଘର ଲୋକେ କହୁଥିବା ବେଳେ ବାପଘର ଲୋକେ ଏହାକୁ ଖଣ୍ଡନ କରିଛନ୍ତି । ଅଖିଲତା ଶାଢିରେ ଝୁଲୁଥିବାର କୌଣସି ପ୍ରମାଣ ନଥିବା ବେଳେ ଶାଶୁ ବେକରୁ ଶାଢୀ ଖୋଲି ଦେଇଥିବା କହିଛନ୍ତି । ପୂର୍ବପ୍ରସ୍ତୁତି ଓ ଯୋଜନାବଦ୍ଧ ଭାବେ ତାକୁ ହତ୍ୟାକରି ଆତ୍ମହତ୍ୟାର ରୂପ ଦିଆଯାଉଥିବା ଅଭିଯୋଗ କରିଛନ୍ତି । ତେବେ ଆଲଣାର ଉଚ୍ଚତା ଏବଂ ବେକରେ କୌଣସି ଲିଗେଜର ମାର୍କନଥିବା ବାପଘର ଲୋକେ ସୂଚନା ଦେଇଛନ୍ତି ଏବଂ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଦାବି କରିଥିଲେ । ଯାହାକୁ ନେଇ ତିହିଡି ପୋଲିସ ସମେତ ଜିଲ୍ଲା ସାଇଣ୍ଟଫିକ୍ ଟିମ୍ କ୍ଷେତ୍ରୀୟ ତଦନ୍ତ କରିଥିବା ଜଣାଯାଇଛି । ତେବେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଶବର ପଞ୍ଚନାମା କରାଯାଇ ବ୍ୟବଚ୍ଛେଦ କରାଯାଇଛି । ଏନେଇ ପୋଲିସ ସଂଗୀନ ଦଫାରେ ଏକ ମାମଲା ରୁଜୁ କରି ମୃତାଙ୍କ ସ୍ୱାମୀ ସମେତ ଶାଶୁ ଓ ଶ୍ୱଶୁରଙ୍କୁ ଥାନାରେ ଅଟକ ରଖିଥିବା ଜଣାଯାଇଛି ।